• ବେତାର ବ୍ୟୁରୋ

ନିର୍ବାଚନ 2019 : ଓଡିଶାରେ ଏଥର ଲମ୍ବା ହେବ ଭୋଟ ଗ୍ରହଣ


(ବେତାର ବ୍ୟୁରୋ) ଓଡିଶାରେ ଏଥର ଦୀର୍ଘ ସମୟ ଥର ଧରି ନିର୍ବାଚନ ହେବ ବୋଲି  କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଦ୍ଵାରା ଘୋଷିତ ନିର୍ବାଚନ ତାରିଖରୁ ଜଣାପଡିଛି  । ଗତ 2014 ନିର୍ବାଚନରେ ଓଡିଶାରେ ମାତ୍ର ଦୁଇ ପର୍ଯ୍ୟାୟରେ ନିର୍ବାଚନ ସମାପ୍ତ ହେଇଥିବା ବେଳେ ଚଳିତ ଥର ତାହା ଚାରି ପର୍ଯ୍ୟାୟରେ ହେବ , ଫଳରେ ନିର୍ବାଚନୀ ଉଷ୍ମତା ଓଡିଶାରେ ଅଧିକ ଦିନ ରହିବ ।

କେନ୍ଦ୍ର ନିର୍ବାଚନ ଆୟୋଗ ରବିବାର ସନ୍ଧ୍ୟାରେ ସାରା ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ଓ ତତସହିତ ଚାରୋଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଏଥର ସାତ ପର୍ଯ୍ୟାୟରେ  ସାରା ଦେଶରେ ନିର୍ବାଚନ ଅନୁଷ୍ଠିତ ହେବ ।

ଏହି ଘୋଷଣା ନାମା ଅନୁସାରେ  ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ଆରମ୍ଭ ହେଉଥିବା ବେଳେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ମାସ ୧୯ ତାରିଖ‌ରେ ଅନୁଷ୍ଠିତ ହେବ। ଭୋଟ ଗଣତି ସେହି ମାସ ୨୩ ତାରିଖରେ କରାଯିବ । ଏହି ସମୟ ମଧ୍ୟରେ ଉଭୟ ଲୋକସଭା ଏବଂ ଓଡିଶା, ଆନ୍ଧ୍ର ପ୍ରଦେଶ , ସିକିମ ଓ ଅରୁଣାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ  ।

ତେବେ ଗତ ବର୍ଷ ସମଗ୍ର ଦେଶରେ ନଅଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯାଇଥିବା ବେଳେ , ଚଳିତ ଥର ନିର୍ବାଚନ ଆୟୋଗ ତାହାକୁ ହ୍ରାସ କରି ସାତ ଟି ପର୍ଯ୍ୟାୟରେ ସାରା ଦେଶରେ ମତଦାନ ଗ୍ରହନ କରାହେବ ବୋଲି ପ୍ରକାଶ କରିଛନ୍ତି । ସମଗ୍ର ଦେଶରେ ଏଥର ପ୍ରାୟ 90 କୋଟି ଭୋଟର ନିଜତ ମତ ସାବ୍ୟସ୍ତ କରିବେ ।

ଓଡିଶାରେ ଚାରି ପର୍ଯ୍ୟାୟ

ନିର୍ବାଚନ  ଆୟୋଗଙ୍କ ସୂଚନା ଅନୁସାରେ  ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକ ସଭା ଆସନ, ୨ୟ ପର୍ଯ୍ୟାୟରେ ୫, ତୃତୀୟ ପର୍ଯ୍ୟାୟରେ ୬ ଓ ୪ର୍ଥ ପର୍ଯ୍ୟାୟରେ ୬ ଲୋକ ସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ଯେଉଁ ଲୋକସଭା ଆସନରେ ଯେଉଁ ଦିନ ଭୋଟ ଗ୍ରହଣ କରାଯିବ ସେହି ଆସନ ଅନ୍ତର୍ଗତ ବିଧାନସଭା କ୍ଷେତ୍ରଗୁଡ଼ିକରେ ମଧ୍ୟ ଏକା ସଙ୍ଗରେ ନିର୍ବାଚନ ହେବ । ସେହି ହିସାବରେ  ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ, ୨ୟ ପର୍ଯ୍ୟାୟରେ ୩୫, ୩ୟ ଏବଂ ୪ର୍ଥ ପର୍ଯ୍ୟାୟରେ ୪୨ଟି ଲେଖାଏଁ ଆସନରେ ଭୋଟ ଗ୍ରହଣ ହେବ।

ଗତ ଥର ଓଡିଶାରେ ଗୋଟିଏ ପର୍ଯ୍ୟାୟରେ 10ଟି ଓ ଅନ୍ୟ ଏକ ପର୍ଯ୍ୟାୟରେ 11ଟି ଲୋକସଭା ଆସନରେ ଭୋଟ ଗ୍ରହଣ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତାରିଖ ମାର୍ଚ୍ଚ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏହି  ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଆସନ ସହିତ ତା' ଅନ୍ତର୍ଗତ ବିଧାନସଭା ଆସନ ଲାଗି ଏପ୍ରିଲ ୧୧ ତାରିଖରେ ଭୋଟ  ଗ୍ରହଣ ହେବ । 

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ତାରିଖ ମାର୍ଚ୍ଚ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ଆସନ ଓ ତା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ ।  

ତୃତୀୟ ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ଆସନ ପାଇଁ ନିର୍ବାଚନ ହେବ। ସେହିପରି ଚତୁର୍ଥ ପର୍ଯ୍ୟାୟରେ ଲୋକସଭା ଆସନଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ।

#polls #Elections2019 #naveenpattanayak #modi #govt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon