• padmabati kund

ପାକିସ୍ତାନୀ ବୋର୍ଡକୁ ଆଇସିସିର ଜବାବ : ଆର୍ମୀ କ୍ୟାପ ପିନ୍ଧିବା ପାଇଁ ଭାରତକୁ ଅନୁମତି ମିଳିଥିଲା


(ବେତାର ବ୍ୟୁରୋ) ରାଞ୍ଚିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତୀୟ ଖେଳାଳିମାନେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ସୈନିକଙ୍କ ସମ୍ମାନରେ ଆର୍ମି କ୍ୟାପ୍ ପିନ୍ଧି ମ୍ୟାଚ ଖେଳିଥିଲେ। ଏଥିପାଇଁ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଠାରୁ ଅନୁମତି ଆଣିଥିଲା ବୋଲି ଆଇସିସି ତରଫରୁ ସୋମବାର ସ୍ପଷ୍ଟ କରାଯାଇଛି। ଭାରତର ଏହି ପଦକ୍ଷେପକୁ ନେଇ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଆପତ୍ତି କରିଥିଲା ।

ଆଇସିସିର ମହାପ୍ରବନ୍ଧକ କ୍ଳେରି ଫୁର୍ଲୋଗ ଏନେଇ ସୂଚନା ଦେଇ କହିଛନ୍ତି ଯେ, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପରିବାରଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏବଂ ସହିଦଙ୍କ ସମ୍ମାନରେ ମ୍ୟାଚରେ ଆର୍ମି କ୍ୟାପ୍ ପିନ୍ଧିବା ପାଇଁ ବିସିସିଆଇ ଅନୁମତି ମାଗିଥିଲା। ଭାରତୀୟ ଦଳକୁ ମ୍ୟାଚରେ ଆର୍ମୀ କ୍ୟାପ ପିନ୍ଧି ଖେଳିବା ପାଇଁ ଅନୁମତି ଦିଆଯାଇଥିଲା। ତେଣୁ ଏହାକୁ ନେଇ ଆଉ କୌଣସି ପ୍ରଶ୍ନ ନଉଠିବା ଦରକାର ବୋଲି ଆଇସିସି ସ୍ପଷ୍ଟ କରିଛି ।

ରାଞ୍ଚିରେ ଖେଳାଯାଇଥିବା ଏହି ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଖେଳାଳୀ ଆର୍ମୀ କ୍ୟାପ୍ ପିନ୍ଧି ମ୍ୟାଚ ଖେଳିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏହା ସମ୍ବନ୍ଧରେ ଆଇସିସିକୁ ପତ୍ର ଲେଖିଥିଲା ଓ ମ୍ୟାଚରେ ଏପ୍ରକାରର କ୍ୟାପ୍ ପିନ୍ଧିବା ନେଇ ବିସିସିଆଇ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମୁଦ କ୍ୟୁରେସି ଆଇସିସି ନିକଟରେ ଏନେଇ ଅଭିଯୋଗ ମଧ୍ୟ କରିଥିଲେ।

ପାକିସ୍ତାନର ଅନ୍ୟ ଏକ ମନ୍ତ୍ରୀ ଧମକ ଦେଇ କହିଥିଲେ ଯେ, ଆଇସିସି ଯଦି ଏସମ୍ପର୍କରେ ବିସିସିଆଇ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ ତେବେ ୱାର୍ଲ୍ଡକପରେ ପାକିସ୍ତାନ କଳାପଟି ବାନ୍ଧି ମ୍ୟାଚ ଖେଳିବ।

ଏପରିକି ରବିବାର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ମୁଖ୍ୟ ଏହସାନ୍ ମନି ଏହି ମାମଲା ଉପରେ ମୁହଁ ଖୋଲି କହିଥିଲେ ଯେ, ବିସିସିଆଇ ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ଆଇସିସିଠାରୁ ଅନୁମତି ନେଇଥିଲା ଏବଂ ଏହାର ଉପଯୋଗ ସେମାନେ ଅନ୍ୟ ଉଦ୍ଦେଶ୍ୟ ପାଇଁ କରିଛନ୍ତି, ଯାହା ଆଦୌ ସ୍ୱୀକାର୍ଯ୍ୟ ନୁହେଁ ।ତେଣୁ ବିସିସିଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଆଇସିସି ନିକଟରେ ଦାବି କରିଛୁ ।

ସେ ଆହୁରି ମଧ୍ୟ କହିଥିଲେ ଯେ, କ୍ରିକେଟର ଉପଯୋଗ ରାଜନୀତିରେ କରାନଯାଉ । ଦ୍ୱିତୀୟଥର ପାଇଁ ବିସିସିଆଇ କ୍ରିକେଟକୁ ରାଜନୀତିକରଣ କରିଛି । ଏହା ପୂର୍ବରୁ ମଧ୍ୟ ସେମାନେ ଆଇସିସିଠାରୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଅନୁମତି ମାଗିଥିଲେ ଏବଂ ଏହାର ସଠିକ୍ ଉପଯୋଗ କରିପାରିନଥିଲା । ତେଣୁ ବିସିସିଆଇର ଏଭଳି ହୀନ ରାଜନୀତି ଆଦୌ ସ୍ୱୀକାରଯୋଗ୍ୟ ନୁହେଁ ବୋଲି ସେ କହିଥିଲେ।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର 40ରୁ ଅଧିକ ସୈନ୍ୟ ସହିଦ ହେବା ପରେ ଭାରତୀୟ କ୍ରିକେଟ ବୋର୍ଡ ଆଇସିସି ଆଗରେ ଅନୁରୋଧ କରିଥିଲା ଯେ, ଯେଉଁ ଦେଶ ଆତଙ୍କବାଦୀକୁ ପ୍ରୋତ୍ସାହନ ଦେଉଛି ସେହି ଦେଶଠାରୁ କ୍ରିକେଟ ସମ୍ବନ୍ଧ କଟା ଯାଉ।

ତେବେ ମାର୍ଚ୍ଚ 8ରେ ରାଞ୍ଚି ଠାରେ ଖେଳାଯାଇଥିବା ଏହି ଦିନିକିଆ ମ୍ୟାଚ ଆରମ୍ଭ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ସମସ୍ତ ଖେଳାଳୀ ଓ ଦଳର ସହଯୋଗୀ ସଦସ୍ୟଙ୍କୁ ଆର୍ମୀ କ୍ୟାପ ପ୍ରଦାନ କରିଥିଲେ। ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ପରିବାରର ସହାୟତା ପାଇଁ ସେହି ମ୍ୟାଚର ଫି’କୁ ନାସନାଲ ଡିଫେନସ ଫଣ୍ଡ୍ କୁ ଦାନ କରିଥିଲେ।

#cricket #indianteam #BCCI #ICC #PCB

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon