- padmabati kund
କଟକରେ ଆରମ୍ଭ ହେଲା ୱାଟର ସ୍ପୋର୍ଟ୍ସ

(ବେତାର ବ୍ୟୁରୋ) ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ଗୁଡିକ ମଧ୍ୟରେ କଟକ ସହରକୁ ଆକର୍ଷଣର କେନ୍ଦ୍ରବିନ୍ଦୁ କରିବା ପାଇଁ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ସମ୍ମୁଖ ମହାନଦୀରେ ୱାଟର ସ୍ପୋର୍ଟିଙ୍ଗ ଆରମ୍ଭ କରାଯାଇଛି। ଏଥିରେ ପିଲାମାନେ ସନ୍ତରଣ, ସ୍କୁବା ଡାଇଭିଙ୍ଗ, ୱିଣ୍ଡ ସର୍ଫିଙ୍ଗ, ବୋଟିଙ୍ଗ ଇତ୍ୟାଦି ଶିଖିବାର ସୁଯୋଗ ପାଇବା ସହିତ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ମହାନଦୀରେ ବୋଟିଙ୍ଗର ମଜା ଉଠାଇ ପାରିବେ।
ଆଡଭେଞ୍ଜର ୱାଟର ସ୍ପୋର୍ଟ୍ସ କମ୍ପାନୀ ତରପଫରୁ ଏହି ସୁବିଧା ଆରମ୍ଭ କରାଯାଇଛି। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ମଧ୍ୟ ଅନୁମତି ଦିଆଯାଇଛି। ଏଥିରେ ମୋଟ ନଅ ପ୍ରକାରର ୱାଟର ସ୍ପୋର୍ଟ୍ସ ଯଥା ଜେଟସ୍କି, ବନାନା ରାଇଡିଂ, ହାଇସ୍ପିଡ ବୋଟିଙ୍ଗ, ଡେଜର୍ଟ ବାଇକିଙ୍ଗ, ସର୍ଫିଙ୍ଗ, ସ୍କୁବା ଡାଇଭିଙ୍ଗ, କାୟକିଙ୍ଗ, ଜର୍ଭିଙ୍ଗ, ସ୍ଲାକିଙ୍ଗର ବ୍ୟବସ୍ଥା ରହିଛି। ଗୋଟିଏ ଟିକେଟର ମୂଲ୍ୟ ଟ.100 ରଖାଯାଇଛି।
ସକାଳ 8ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। ପରବର୍ତ୍ତୀ ସମୟରେ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇପାରେ। ଦର୍ଶକମାନେ ଏହାର ମଜା ଉଠାଇବା ସହିତ ଏଠାରେ ସନ୍ତରଣ, ସ୍କୁବା ଡାଇଭିଙ୍ଗ, ୱିଣ୍ଡ ସର୍ଫିଙ୍ଗ, ବୋଟିଙ୍ଗର ପ୍ରଶିକ୍ଷଣ ମଧ୍ୟ ନେଇପାରିବେ। ଏଥିପାଇଁ ଆଡଭେଞ୍ଜର ୱାଟର ସ୍ପୋର୍ଟ୍ସ କମ୍ପାନୀ ତରଫରୁ 32ଜଣ ପ୍ରଶିକ୍ଷକ ରହିଛନ୍ତି।

ଗ୍ରୀଷ୍ମ ଅବକାଶରେ ସ୍କୁଲ ଓ କଲେଜ ପିଲା ଏଠାରେ ପ୍ରଶିକ୍ଷଣ ନେଇପାରିବେ। ପିଲାମାନଙ୍କୁ ପ୍ରଥମେ 15ଦିନ ପାଇଁ ସ୍ଵିମିଙ୍ଗପୁଲରେ ସନ୍ତରଣ ଶିଖାଯିବ ଓ ଏହାପରେ ମହାନଦୀରେ ପ୍ରଶିକ୍ଷଣ ଦିଆଯିବ। ଛୋଟ ଛୋଟ ପିଲାମାନଙ୍କୁ ସେମାନଙ୍କର ଅବିଭାବକଙ୍କ ସାମ୍ନାରେ ପ୍ରଶିକ୍ଷଣ ଦିଆଯିବ। ଏହାଦ୍ଵାରା ଆଗକୁ ପିଲାମାନେ ଜଳକ୍ରୀଡାରେ ନିଜ କ୍ୟାରିୟର ଗଢିବା ପାଇଁ ପ୍ରେରଣା ପାଇ ପାରିବେ।
ଆଡଭେଞ୍ଜର ୱାଟର ସ୍ପୋର୍ଟ୍ସ କମ୍ପାନୀର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସ୍କୁବା ଡାଇଭର ସବୀର ବକ୍ସ କହିଛନ୍ତି ଯେ, “ଏଭଳି ଅନୁଷ୍ଠାନ ଓଡିଶାରେ ପ୍ରଥମ ଓ ଅନନ୍ୟ ଅଟେ। ଜଳକ୍ରୀଡା ପାଇଁ ନଦୀଘେରା କଟକର ପ୍ରକୃତିକ ପରିବେଶ ଅତ୍ୟନ୍ତ ଅନୁକୂଳ। ଏଥିପାଇଁ ପୂର୍ବରୁ ଅନେକ ଥର ମହାନଦୀକୁ ସଫେଇ କରିବା ସହିତ ଏହାର ସଦୁପଯୋଗ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଅନୁମତି ମାଗିଥିଲେ। ସମସ୍ତ ଦିଗକୁ ବିଚାର କରିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁମତି ମିଳିଥିଲା।“
ତେବେ ପରବର୍ତ୍ତୀ ସମୟରେ ରାଜ୍ୟରେ ମହାନଦୀକୁ ମିଶାଇ ଏହିପରି 26ଟି ଜଳାଶୟରେ ୱାଟର ସ୍ପୋର୍ଟ୍ସ ତଥା ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ। ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଅନୁମତି ମିଳିସାରିଛି।