• padmabati kund

ଏହି କାରଣ ପାଇଁ ଶ୍ରେଷ୍ଠ 5 ଶୋ'ରୁ ତଳକୁ ଖସିଲା କପିଳ ଶର୍ମା ଶୋ’


(ବେତାର ବ୍ୟୁରୋ) ଟେଲିଭିଜନ ଦୁନିଆର ଲୋକପ୍ରିୟ କମେଡି ଶୋ’ ‘କପିଳ ଶର୍ମା ଶୋ’ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କେତେବେଳେ କପିଳ ଶର୍ମାଙ୍କ ପାଇଁ ତ କେତେବେଳେ ଶୋ’ର ଜଜ୍ ନବଯୋତ ସିଂ ସିଦ୍ଧୁଙ୍କ ପାଇଁ ଏହି ଶୋ’ ଲଗାତାର ଚର୍ଚ୍ଚାରେ ରହି ଆସୁଥିଲେ ମଧ୍ୟ କପିଳ ଶର୍ମାଙ୍କ ଏହି ଶୋ’କୁ ଟିଆରପି ରେଟିଙ୍ଗ ତାଲିକାରେ ଶକ୍ତ ଝଟକା ମିଳିଛି। ଟିଆରପି ତାଲିକାରେ ଶ୍ରେଷ୍ଠ ପାଞ୍ଚଟି ଶୋ’ ମଧ୍ୟରେ ଏହି ଶୋ’ ସ୍ଥାନ ପାଇପାରିନାହିଁ।

ବ୍ରୋଡକାଷ୍ଟ ରିସର୍ଚ୍ଚ ଅଡିଏନ୍ସ କାଉନସିଲ (BARC) ତରଫରୁ 2019ର ଦଶମ ସପ୍ତାହ ରେଟିଙ୍ଗ ଜାରି କରାଯାଇଛି। ଏହି ରେଟିଙ୍ଗ ତାଲିକା ଅନୁଯାୟୀ କପିଳ ଶର୍ମାଙ୍କ ଶୋ’ 2.0 ରେଟିଙ୍ଗ ସହିତ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। 2018 ଡିସେମ୍ବର ଆରମ୍ଭ ହୋଇଥିବା ଏହି ଶୋ’  2019ବର୍ଷ ଆରମ୍ଭରୁ ଟିଆରପି ମାମଲାରେ ଶୀର୍ଷରେ ରହିଆସୁଥିଲା। ମାତ୍ର 2019ର ଅଷ୍ଟମ ସପ୍ତାହରୁ ଏହି ଶୋ’ ଟିଆରପି ତାଲିକାରେ ତଳକୁ ଖସିବାରେ ଲାଗିଛି।

ସିଦ୍ଧୁଙ୍କ ପାଇଁ!

ଅଷ୍ଟମ ସପ୍ତାହରେ ଏହି ଶୋ’ ପ୍ରଥମ ସ୍ଥାନରୁ ଦ୍ଵିତୀୟ ସ୍ଥାନକୁ ଖସି ଆସିଥିଲା। ଏହାପରେ ନବମ ସପ୍ତାହରେ ଶୋ’ଟି ଚତୁର୍ଥ ସ୍ଥାନକୁ ଖସି ଆସିଥିଲା। ଦଶମ ସପ୍ତାହରେ ଏହା ଆହୁରି ତଳକୁ ଖସି ଆସିଛି। ତେବେ ଶୋ’ରୁ ନବଜୋତ ସିଂ ଙ୍କ ବାହାରିଯିବା, ଅର୍ଚ୍ଚନା ପୂରଣସିଂହଙ୍କୁ ନେଇ ଲାଗିରହିଥିବା ଅନିଶ୍ଚିତତା ଏହାର ଟିଆରପି କମିବାର ମୁଖ୍ୟ କାରଣ ଅଟେ। ଏହାସହିତ ଲଗାତାର ଭାବରେ ଏହି ଶୋ’ରେ କୌଣସି ବଡ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିନାହିଁ।

ତେବେ BARC ଦ୍ଵାରା ପ୍ରକାଶିତ ଏହି ରେଟିଙ୍ଗ ତାଲିକାରେ ପ୍ରଥମ ସ୍ଥାନରେ ରହିଛି ରୋହିତ ଶେଟ୍ଟୀଙ୍କ ଶୋ’ ‘ଖତରୋ କେ ଖିଲାଡ଼ି 9’। ଏହି ରେଟିଙ୍ଗ ‘ଖତରୋ କେ ଖିଲାଡ଼ି 9’ର ଗ୍ରାଣ୍ଡ ଫିନାଲେର ପୂର୍ବ ସପ୍ତାହର ଅଟେ। 3.3 ରେଟିଙ୍ଗ ପଏଣ୍ଟ ସହିତ ଏହି ଶୋ’ଟି ପ୍ରଥମ ସ୍ଥାନରେ ରହିଛି।

ତାଲିକାରେ ଦ୍ଵିତୀୟ ସ୍ଥାନରେ ଏକତା କପୁରଙ୍କ ଧାରାବାହିକ ତଥା ସୁରଭି ଜ୍ୟୋତି, ପର୍ଲବି ପୁରି ଓ ଅନିତା ହଂସନନ୍ଦାନିଙ୍କ ଅଭିନୀତ ‘ନାଗିନ 3’ ରହିଛି। ଏହି ଧାରାବାହିକକୁ 2.6 ରେଟିଙ୍ଗ ପଏଣ୍ଟ ମିଳିଛି। ସେହିପରି ତାଲିକାରେ ତୃତୀୟ ସ୍ଥାନରେ ଜୀ ଟିଭିରେ ପ୍ରସାରିତ ‘କୁଣ୍ଡଳୀ ଭାଗ୍ୟ’ ରହିଛି ଓ ଏହି ଧାରାବାହିକକୁ 2.2 ରେଟିଙ୍ଗ ପଏଣ୍ଟ ମିଳିଛି।

ଷ୍ଟାରପ୍ଲସରେ ପ୍ରସାରିତ ମୋହିତ ମଲିକ ଓ ଆକୃତି ଶର୍ମାଙ୍କ ଅଭିନୀତ ଧାରାବାହିକ ‘କୁଲ୍ଫି କୁମାର ବାଜେୱାଲା’ 2.1 ରେଟିଙ୍ଗ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି। ପଞ୍ଚମ ସ୍ଥାନରେ 2.0 ରେଟିଙ୍ଗ  ପଏଣ୍ଟ ସହିତ ଡ୍ୟାନ୍ସିଙ୍ଗ ଶୋ’ ‘ସୁପର ଡ୍ୟାନ୍ସର 3’ ରହିଛି।

ସେହିପରି ସପ୍ତମ ସ୍ଥାନରେ ଷ୍ଟାରପ୍ଲସର ‘ଯେ ରିସ୍ତା କ୍ୟା କେହେଲାତା ହେ’, ଅଷ୍ଟମ ସ୍ଥାନରେ ‘କସୌଟି ଜିନ୍ଦେଗୀ କି’, ନବମ ସ୍ଥାନରେ ‘କୁମକୁମ ଭାଗ୍ୟ’ ଓ ଦଶମ ସ୍ଥାନରେ ‘ତାରକ ମେହେତା କ ଉଲ୍ଟା ଚଷମା’ ରହିଛି।

#entertainment #tvshow #TRPrating #kapilsharmaashow

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon