• padmabati kund

ଆଇପିଏଲ 2019 : ପ୍ରଥମ 200ତମ ଛକା ରେକର୍ଡ ପାଇଁ ଏହି ଖେଳାଳୀଙ୍କ ମଧ୍ୟରେ ଟକ୍କର


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗର ଦ୍ଵାଦଶ ସଂସ୍କରଣ ଆସନ୍ତା ମାର୍ଚ୍ଚ 23 ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରତି ବର୍ଷ ଆପିଏଲରେ ଖେଳାଳୀମାନେ ଅନେକ ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ନୂଆ ରେକର୍ଡ କରିଥାନ୍ତି। ଚଳିତ ବର୍ଷ ମଧ୍ୟ ଏହା ଦେଖିବାକୁ ମିଳିବ। ତେବେ ଏହି ଦ୍ଵାଦଶ ସିଜିନରେ ଭାରତୀୟ ଖେଳାଳୀଙ୍କ ମଧ୍ୟରେ ଆଇପିଏଲରେ ପ୍ରଥମେ 200ରୁ ଅଧିକ ଛକା ମାରିବାର ରେକର୍ଡ କରିବାର ସୁଯୋଗ ରହିବ।

ପ୍ରଥମ ଭାରତୀୟ ଖେଳାଳୀ ଭାବେ ଆଇପିଏଲରେ 200ଟି ଛକା ମାରିବାର ସୁଯୋଗ ଭାରତୀୟ ଦଳର ପୂର୍ବ ଅଧିନାୟକ ତଥା ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପାଖରେ ରହିଛି। ଏହାସହିତ ଚେନ୍ନାଇ ସୁପରକିଙ୍ଗର ଅନ୍ୟତମ ଖେଳାଳୀ ସୁରେଶ ରାଇନା ଓ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହି ରେକର୍ଡ ଭାଙ୍ଗିପାରନ୍ତି। ଏହି ତିନି ଖେଳାଳୀଙ୍କ ମଧ୍ୟରେ ଆଇପିଏଲରେ 200ରୁ ଅଧିକ ଛକା ମାରିବାର ରେକର୍ଡ କରିବାର ସୁଯୋଗ ରହିଛି।  

ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ଛକା ମାରିଥିବା ଭାରତୀୟ ଖେଳାଳୀଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନି  ପ୍ରଥମ ସ୍ଥାନରେ ରହିଛନ୍ତି। ସେ ଆଇପିଏଲରେ ମୋଟ 158ଟି ଇନିଙ୍ଗ୍ସ ଖେଳି 186ଟି ଛକା ମାରିଛନ୍ତି। ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗର ଅଲରାଉଣ୍ଡର ଖେଳାଳୀ ସୁରେଶ ରାଇନା ରହିଛନ୍ତି। ସେ 172ଟି ଇନିଙ୍ଗ୍ସ  ଖେଳି ମୋଟ 185ଟି ଛକା ମାରିଛନ୍ତି। ତୃତୀୟ ସ୍ଥାନରେ ରୋହିତ ଶର୍ମା ରହିଛନ୍ତି ଓ ସେ 168ଟି ଇନିଙ୍ଗ୍ସରେ 184ଟି ଛକା ମାରିଛନ୍ତି।

ଭାରତୀୟ ଦଳର ଅଧିନାୟକ ତଥା ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏହି ମାମଲାରେ ସାମାନ୍ୟ ପଛରେ ରହିଛନ୍ତି। ସେ 163ଟି ଆଇପିଏଲ ଇନିଙ୍ଗ୍ସ  ଖେଳି 178ଟି ଛକା ମରିଛନ୍ତି। ତେବେ ବର୍ତ୍ତମାନ ସେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ଓ ଫର୍ମରେ ମଧ୍ୟ ଅଛନ୍ତି। ଏପରି ସମୟରେ ବିରାଟ କୋହଲି ମଧ୍ୟ ଏହି ରେକର୍ଡ ଭାଙ୍ଗିବାରେ ସଫଳ ହୋଇପାରନ୍ତି।

ଆଇପିଏଲ ସିକ୍ସର କିଙ୍ଗ ‘କ୍ରିସ ଗେଲ’

ଆଇପିଏଲରେ ସମସ୍ତ ଖେଳାଳୀଙ୍କ କଥା ବିଚାର କଲେ ସିକ୍ସର କିଙ୍ଗ ୱେଷ୍ଟଇଣ୍ଡିଜର ଖେଳାଳୀ କ୍ରିସ ଗେଲ ଅଟନ୍ତି। ଟି20 କ୍ରିକେଟରେ ବିସ୍ଫୋଟକ ବ୍ୟାଟିଙ୍ଗ କରୁଥିବା ଏହି ବ୍ୟାଟ୍ସମ୍ୟାନ ଆଇପିଏଲରେ 111ଟି ଇନିଙ୍ଗ୍ସ ଖେଳି ମୋଟ 292ଟି  ଛକା ମାରିଛନ୍ତି ଓ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଲିକାରେ ଦ୍ଵିତୀୟ ସ୍ଥାନରେ ସାଉଥଆଫ୍ରିକାର ଖେଳାଳୀ ଏ.ବି.ଡିଭିଲିୟର୍ସ ରହିଛନ୍ତି। ସେ 186ଟି ଛକା ମାରିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ତୁଳନାରେ ଏ.ବି.ଡିଭିଲିୟର୍ସ ମାତ୍ର 129ଟି ଇନିଙ୍ଗ୍ସରେ ଏହି ଛକା ମାରିଛନ୍ତି।

ଏହି ତାଲିକାରେ ଚତୁର୍ଥ ସ୍ଥାନରେ ସୁରେଶ ରାଇନା, ପଞ୍ଚମରେ ରୋହିତ ଶର୍ମା, ଷଷ୍ଠ ସ୍ଥାନରେ ବିରାଟ କୋହଲି, ସପ୍ତମ ସ୍ଥାନରେ ଡେଭିଡ ୱାର୍ଣ୍ଣର (160ଟି ଛକା), ଅଷ୍ଟମ ସ୍ଥାନରେ ସେନ ୱାଟସନ (157ଟି ଛକା), ନବମ ସ୍ଥାନରେ ୟୁସୁଫ ପଠାନ(157ଟି ଛକା) ଓ ଦଶମ ସ୍ଥାନରେ କାଇରନ ପୋଲାର୍ଡ (154ଟି ଛକା) ରହିଛନ୍ତି।      

#cricket #ipl2019 #msdhoni #sixerking

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon