- padmabati kund
ବିନା କାର୍ଡରେ ଏଣିକି ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଉଠାଇ ହେବ ଟଙ୍କା

(ବେତାର ବ୍ୟୁରୋ) ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ’ ତାର ଗ୍ରାହକଙ୍କ ପାଇଁ ଏକ ନୂଆ ସେବା ଆରମ୍ଭ କରିଛି। ଏହି ସେବା ଅନୁସାରେ SBIର ଗ୍ରାହକମାନେ ଡେବିଟ କାର୍ଡର ବ୍ୟବହାର ନକରି ଏଟିଏମରୁ ଟଙ୍କା ଉଠାଇ ପାରିବେ। ଯଦି ଆପଣ ସାଙ୍ଗରେ ଡେବିଟ କାର୍ଡ ନେବାକୁ ଭୁଲିଯାଇଛନ୍ତି ତେବେ ଟଙ୍କା ଉଠାଇବାରେ ଅସୁବିଧା ହେବ ନାହିଁ।
ଏସବିଆଇର ଏହି ନୂଆ ସେବାର ନାମ ‘SBI YONO cash’ ରହିଛି। ସମଗ୍ର ଦେଶରେ ଏସବିଆଇ ଗ୍ରାହକ ମାନେ ମୋଟ 16,500ଟି ଏଟିଏମରେ ଏହି ସେବାର ଲାଭ ଉଠାଇ ପାରିବେ। ଗ୍ରାହକମାନଙ୍କୁ ଏହି ସୁବିଧା ଯୋଗାଇବାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଭାରତରେ ପ୍ରଥମ ବ୍ୟାଙ୍କ ହୋଇପାରିଛି।
କିପରି ଟଙ୍କା ଉଠାଇବେ
1.ଏହି ସୁବିଧାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ନିଜ ସ୍ମାର୍ଟଫୋନରେ YONO ଆପ୍ ଡାଉନଲୋଡ କରିବାକୁ ପଡିବ। ଏହି ଆପରେ ଗ୍ରାହକଙ୍କୁ ଏକ ଛଅ ଅଙ୍କ ବିଶିଷ୍ଟ YONO ପିନ ସେଟ୍ କରିବାକୁ ପଡିବ।
2. ଯେତେବେଳେ ଆପଣ ଏହି ଆପ୍ ସହାୟତାରେ ଟଙ୍କା ଉଠାଇବେ ସେହି ସମୟରେ ଆପଣଙ୍କ ମୋବାଇଲରେ ଏସଏମଏସ ଜରିଆରେ ଏକ ଛଅ ଅଙ୍କ ବିଶିଷ୍ଟ ରେଫରେନ୍ସ ନମ୍ବର ମଧ୍ୟ ମିଳିବ।
୩. ମୋବାଇଲକୁ ଆସିଥିବା ଏହି ରେଫରେନ୍ସ ନମ୍ବର ଓ YONO ପିନ୍ ସାହାଯ୍ୟରେ ଆପଣ ନିଜର ପାଖ ଏଟିଏମରୁ ୩୦ମିନିଟ ମଧ୍ୟରେ ଟଙ୍କା ଉଠାଇ ପାରିବେ। ରେଫରେନ୍ସ ନମ୍ବର ଆସିବାର ୩୦ମିନିଟ ପରେ ସେହି ନମ୍ବରଟି ଆଉ କାମ କରିବ ନାହିଁ। ଟଙ୍କା ଉଠାଇବା ପାଇଁ ଆପଣ ଆଉଥରେ ପିନ୍ ପାଇଁ ଅନୁରୋଧ କରିବାକୁ ପଡିବ।

ଏସବିଆଇର ଏହି ନୂଆ ସେବାକୁ ନେଇ ଏସବିଆଇର ଚେୟାରମ୍ୟାନ ରଜନିଶ କୁମାର କହିଛନ୍ତି ଯେ, ଏହି ସେବା ଜରିଆରେ ଡେବିଟ କାର୍ଡ ସହିତ ଜଡିତ ଅନେକ ସମସ୍ୟା ଦୂର ହେବ। ଆସନ୍ତା ଦୁଇବର୍ଷ ମଧ୍ୟରେ YONO ଜରିଆରେ ସଂପୂର୍ଣ୍ଣ ଟ୍ରାଞ୍ଜାକ୍ସନ ପ୍ରକ୍ରିୟାକୁ ଗୋଟିଏ ପ୍ଲାଟଫର୍ମ ମଧ୍ୟରେ କରିବା ପାଇଁ ଯୋଜନା ରହିଛି ବୋଲି ସେ କହିଛନ୍ତି।
ଡେବିଟ କାର୍ଡ ମାଧ୍ୟମରେ ଏଟିଏମରୁ ଟଙ୍କା ଉଠାଇ ଲୋକମାନେ ଅନେକ ଥର ଠକାମିର ଶିକାର ହୋଇଥାନ୍ତି। ଏସବିଆଇର ଏହି ନୂଆ ସେବା ଆରମ୍ଭ ହେବା ପରେ ଲୋକମାନେ ଏପରି ଠକେଇରୁ ମୁକ୍ତି ପାଇ ପାରିବେ ବୋଲି ଆଶା ରହିଛି।
2017 ମସିହା ନଭେମ୍ବର ମାସରେ ଏସବିଆଇ ତରଫରୁ ଲଞ୍ଚ ହୋଇଥିବା ଏହି YONO ଆପ୍ ବର୍ତ୍ତମାନ ଗ୍ରାହକଙ୍କୁ ଆର୍ଥିକ ଓ ଲାଇଫଷ୍ଟାଇଲ ସମ୍ବନ୍ଧୀୟ ସୁବିଧା ଯୋଗାଇବାରେ ପ୍ରଥମ ସ୍ଥାନରେ ରହିଛି। ଏହି ଆପରେ ପ୍ରାୟ 85ଟି ଇ-କମର୍ସ କମ୍ପାନୀ ତାଲିକାଭୁକ୍ତ ଅଛନ୍ତି ଯେଉଁଠାରୁ ଗ୍ରାହକମାନେ ଜିନିଷ କିଣିପାରିବେ। ଷ୍ଟେଟ ବ୍ୟାଙ୍କର କହିବା ଅନୁଯାୟୀ, ଫେବୃୟାରେ 2019 ପର୍ଯ୍ୟନ୍ତ ଦେଶରରେ ପ୍ରାୟ ଏକ କୋଟି ଅଶୀ ଲକ୍ଷରୁ ଅଧିକ ଗ୍ରାହକ ଏହି ଆପକୁ ଡାଉନଲୋଡ କରିଛନ୍ତି ଓ ବର୍ତ୍ତମାନ 70ଲକ୍ଷରୁ ଅଧିକ ବ୍ୟବହାରକାରୀ ଏହାକୁ ବ୍ୟବହାର କରୁଛନ୍ତି। ଏହି ଆପଟି ଉଭୟ ଆଣ୍ଡ୍ରଏଡ ଓ iOSରେ ଉପଲବ୍ଧ।