• ବେତାର ବ୍ୟୁରୋ

ୟୁଟ୍ୟୁବ୍ ପରଦାରେ ନୂଆ କମେଡି ଓଡିଆ ୱେବସିରିଜ: 'ଟିକେ ସତ ଟିକେ ମିଛ'


(ବେତାର ବ୍ୟୁରୋ) ଆଜିକାଲି ମୋବାଇଲରେ ଭିଡିଓ ଦେଖିବା କାହାକୁ ବା ଭଲ ଲାଗି ନ ଥାଏ । ଭିଡିଓ ଦେଖାଉଥିବା ବିଭିନ୍ନ ୱେବସାଇଟ ଓ ଆପମଧ୍ୟରେ ଫେସବୁକ ଓ ୟୁ ଟ୍ୟୁବ ଭିଡିଓ ସମସ୍ତଙ୍କର ଖୁବ ପସନ୍ଦ । ବିଭିନ୍ନ ୱେବସିରିଜ ଦେଖିବାକୁ ଲୋକ ଆଗ୍ରହ ପ୍ରକାଶ କରୁଥିବା ବେଳେ ଓଡିଆରେ ଏହିପରି କିଛି ଭିଡିଓ ୱେବ ସିରିଜ ସଂଖ୍ୟା ଅତି ମାତ୍ରାରେ କମ । ସେହି ଅଭାବକୁ ପୂରଣ କରିବାକୁ ସ୍ଵର୍ଗତ ନିର୍ଦ୍ଦେଶକ/ପ୍ରଯୋଜକ ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜନା ସଂସ୍ଥା ଏକ କମେଡି ୱେବସିରିଜ ଆରମ୍ଭ କରିଛି ଯାହାର ନାଁ ହେଉଛି :"ଟିକେ ସତ ଟିକେ ମିଛ”।

ସିଟକମ କମେଡି

ପ୍ରଯୋଜନା ସଂସ୍ଥାର ନିର୍ବାହୀ ଅଧିକାରୀ ବର୍ଷା ପଟ୍ଟନାୟକଙ୍କ ଅନୁସାରେ “ଟିକେ ସତ ଟିକେ ମିଛ’ ଏକ ସିଟକମ କମେଡି ଆଧାରିତ ଶୋ’ ଯେଉଁଥିରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଚରିତ୍ର ଭିନ୍ନ ଭିନ୍ନ ପରିସ୍ଥିତି ଅନୁସାରେ କିପରି ମଜାଦାର ଦୃଶ୍ୟ ପରିବେଷଣ କରିଥାନ୍ତି ତାହା ଦେଖାଯିବ । ଏହି ସିଟକମ କମେଡିର ଏକ ଉଦାହରଣ ହେଉଛି “ତାରକ ମେହେତାଙ୍କ ଉଲଟା ଚଷମା” ସିରିଏଲ, ଯେଉଁଥିରେ ସମାନ ସଂଖ୍ୟକ ଚରିତ୍ର ଦୈନଦିନ ଜୀବନର ଘଟଣାକୁ ମଜାଳିଆ ଢଙ୍ଗରେ ଦେଖାଇଥାନ୍ତି ।

ଏହି ଓଡିଆ ଶୋ’ ରେ ଦୁଇଜଣ ସାଙ୍ଗଙ୍କ କଥୋପକନ ରହିବ ଯେଉଁଥିରେ ସେମାନେ ସାଧାରଣ ଜୀବନରେ ଘଟୁଥିବା ଘଟଣାବଳୀକୁ ନେଇ କିପରି ଅସୁବିଧାର ସମ୍ମୁଖୀନ ହେଇଛନ୍ତି ଓ ତାହା କିପରି ଏକ ମଜାଦାର ପରିସ୍ଥିତିରେ ବଦଳୁଚି ଏହାକୁ ଦର୍ଶକମାନେ ଦେଖିପାରିବେ ।

ଅମୀୟ ପଟ୍ଟନାୟକଙ୍କ ୱେବ ମିଡିଆ ପ୍ରସ୍ତୁତ ସଂସ୍ଥା ଟେକ୍ନୋଆର୍ଟର ଏହିଭଳି ସିଟକମ କମେଡି “ସାହେବ ବିୱି ଓ ଶାଲା’ ଦର୍ଶକଙ୍କୁ ପସନ୍ଦ ଆସିଥିଲା ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ ।

ସାଧାରଣ ସିରିଏଲ ଠୁ ଅଲଗା

ମୁଖ୍ୟତଃ ଓଡିଆ ଯୁବପିଢୀଙ୍କୁ ଧ୍ୟାନରେ ରଖି ତିଆରି କରାହେଇଥିବା ଏହି ଶୋ’ ରେ ପୁରୁଣାକାଳରୁ ଚାଲି ଆସୁଥିବା ସିରିଏଲ ଭଳି କୌଣସି ଦୃଶ୍ୟ ନାହିଁ, ବରଂ ସାଂପ୍ରତିକ ପରିସ୍ଥିତିରେ ଦୁଇ ଓଡିଆ ସାଙ୍ଗ ଯେମିତି କଥାବାର୍ତ୍ତା କରନ୍ତି ଓ ଯେଉଁଭଳି ଆଚରଣ ଦେଖାନ୍ତି ସେହି ଢଙ୍ଗରେ ପ୍ରସ୍ତୁତ ହେଇଛି ବୋଲି ଶୋ’ ର ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଛନ୍ତି ।

ଏହି ଶୋ’ର ପ୍ରତି ଏପିସୋଡ଼ 10 ଋ 12 ମିନିଟ ବିଶିଷ୍ଟ ହେଇଥିବା ବେଳେ , ପ୍ରତି ଶନିବାର ଏହାକୁ ୟୁଟ୍ୟୁବରେ ବାକି ଅଧ୍ୟାୟ ଗୁଡିକ ରିଲିଜ କରାହେବ । ଏହି ଶୋ’ ସମୁଦାୟ 4ଟି ଅଧ୍ୟାୟ ବିଶିଷ୍ଟ । ରିଲିଜ ହେବାର ଦିନକ ମଧ୍ୟରେ ଏହାକୁ ପ୍ରାୟ 5 ହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଦେଖିସାରିଲେଣି । ପ୍ରଯୋଜନା ସଂସ୍ଥାର ମତ ଅନୁସାରେ ସେମାନେ ଯଦିଓ ଦୁଇ ବନ୍ଧୁଙ୍କ ମଧ୍ୟରେ କଥାବାର୍ତ୍ତାକୁ ଯଥା ସମ୍ଭବ ବାସ୍ତବ ଅବସ୍ଥା ଭଳି ରଖିବାକୁ ଚେଷ୍ଟା କରିଛନ୍ତି ତେବେ ଶୋ’ କୁ ପ୍ରାୟ ସମସ୍ତେ ଦେଖିହେବା ଭଳି ପ୍ରସ୍ତୁତ କରାଯାଇଛି ଓ ଏଥିରେ ଅଶ୍ଳୀଳତା ଆଦୌ ନାହିଁ ।

#webseries #odia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon