• padmabati kund

ଆଇପିଏଲ 2019ରେ ବିରାଟ କୋହଲି ଭାଙ୍ଗିପାରନ୍ତି ଏହି ତିନି ରେକର୍ଡ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଦ୍ଵାଦଶ ସଂସ୍କରଣ ଆରମ୍ଭ ହେବାକୁ ଅଳ୍ପ କିଛିଦିନ ବାକି ରହିଯାଇଛି। ଆଇପିଏଲ ସମୟରେ ଖେଳାଳୀମାନେ ଅନେକ ନୂଆ ରେକର୍ଡ ଭାଙ୍ଗିବା ସହିତ ନୂଆ ନୂଆ ରେକର୍ଡ କରିଥାନ୍ତି। ଚଳିତ ବର୍ଷ ମଧ୍ୟ ଏପରି କିଛି ଦେଖିବାକୁ ମିଳିବ।

ଲଗାତାର ଭାବରେ ଭଲ ପ୍ରଦର୍ଶନ କରିଆସୁଥିବା ଭାରତୀୟ ଦଳର ଅଧିନାୟକ ତଥା ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବିରାଟ କୋହଲି ଆଇପିଏଲ 2019ରେ ଅନେକ ନୂଆ ରେକର୍ଡ କରିବା ସହିତ ତିନୋଟି ରେକର୍ଡ ଭାଙ୍ଗିପାରନ୍ତି।

ଆଇପିଏଲରେ ସର୍ବାଧିକ ଶତକ  

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଆଇପିଏଲରେ ସର୍ବାଧିକ ଶତକ ମାରିଥିବା କ୍ରିସ ଗେଲଙ୍କ ରେକର୍ଡ ଭାଙ୍ଗିବା ପାଇଁ ସୁଯୋଗ ରହିବ। ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 163ଟି ମ୍ୟାଚ ଖେଳି 4ଟି ଶତକ ହାସଲ କରିଛନ୍ତି। ଅନ୍ୟପଟେ କ୍ରିସ ଗେଲ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 112ଟି ମ୍ୟାଚ ଖେଳି 6ଟି ଶତକ ହାସଲ କରିଛନ୍ତି ଓ ତାଲିକାରେ ଶୀର୍ଷ ସ୍ଥାନରେ ଅଛନ୍ତି।

ବିରାଟ କୋହଲି ଆଇପିଏଲର ଚାରିଟି ଶତକ ଗୋଟିଏ ସିଜିନରେ ହିଁ ହାସଲ କରିଥିଲେ। ଆଇପିଏଲ 2016ରେ ଦୁଇଟି ଶତକ ଗୁଜୁରାଟ ଲାୟନ୍ସ ବିପକ୍ଷରେ ମାରିଥିବା ବେଳେ ପୁଣେ ଓ ପଞ୍ଜାବ ବିପକ୍ଷରେ ଗୋଟିଏ ଲେଖାଏଁ ଶତକ ହାସଲ କରିଥିଲେ। ଯଦି ବିରାଟ କୋହଲି ଏହି ସିଜିନରେ 3ଟି ଶତକ ହାସଲ କରନ୍ତି ତେବେ ସେ କ୍ର୍ରିସ ଗେଲଙ୍କୁ ପଛରେ ପକାଇ ପାରିବେ।

ଆଇପିଏଲରେ ସର୍ବାଧିକ ରନ

ବିରାଟ କୋହଲି ଚଳିତ ବର୍ଷ ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ ମଧ୍ୟ କରିପାରନ୍ତି। ବର୍ତ୍ତମାନ ଏହି ରେକର୍ଡ ଚେନ୍ନାଇ ସୁପରକିଙ୍ଗର ଖେଳାଳୀ ସୁରେଶ ରାଇନାଙ୍କ ନାମରେ ରହିଛି। ସୁରେଶ ରାଇନା ବର୍ତ୍ତମାନ ପର୍ଯ୍ୟନ୍ତ 172ଟି ମ୍ୟାଚ ଖେଳି 4985ରନ ସଂଗ୍ରହ କରିଛନ୍ତି। ବିରାଟ କୋହଲି ସୁରେଶ ରାଇନାଙ୍କ ଠାରୁ 37ରନ ପଛରେ ଅଛନ୍ତି। ଆଇପିଏଲରେ ସର୍ବାଧିକ ରନ ସଂଗ୍ରହ କରିବା ସହିତ ବିରାଟ କୋହଲି ଆଇପିଏଲରେ ନିଜର 5000ରନ ମଧ୍ୟ ପୁରା କରିପାରନ୍ତି।

ଆଇପିଏଲରେ ସର୍ବାଧିକ ଅର୍ଦ୍ଧଶତକ

ଆଇପିଏଲ ଲିଗର ଆରମ୍ଭରୁ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଖେଳିଆସୁଛନ୍ତି। ବିରାଟ ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ 34ଥର ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇପିଏଲରେ ସର୍ବାଧିକ ଅର୍ଦ୍ଧଶତକ ହାସଲ କରିବା ତାଲିକାରେ ବିରାଟ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଗୌତମ ଗମ୍ଭୀର 36ଟି ଅର୍ଦ୍ଧଶତକ ସହିତ ଶୀର୍ଷରେ ରହିଛନ୍ତି। ବିରାଟ କୋହଲି ଏହି ରେକର୍ଡ ଚଳିତ ଆଇପିଏଲ ସିଜିନରେ ଭାଙ୍ଗିପାରନ୍ତି।

ଆଇପିଏଲ 2019 ମାର୍ଚ୍ଚ 23ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ଖେଳାଯିବ।           

#cricket #IPL2019 #viratkohli

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon