• padmabati kund

ହୋଲିରେ ଘରେ ପ୍ରସ୍ତୁତ କରନ୍ତୁ ଭାଙ୍ଗ ପକୋଡା ଓ କାଞ୍ଜିବରା


(ବେତାର ବ୍ୟୁରୋ) ହୋଲି ଉତ୍ସବ ହସଖୁସି ଭରା ହୋଇଥାଏ। ବିଭିନ୍ନ ରଙ୍ଗର ଅବିରରେ ରଙ୍ଗ ଖେଳିବା ସହିତ ଘରେ ପୂଜା ମଧ୍ୟ କରାଯାଇଥାଏ ଓ ଭିନ୍ନ ଭିନ୍ନ ସ୍ଵାଦିଷ୍ଟ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଅନେକ ପ୍ରକାରର ପିଠାପଣା ସହିତ ମିଠା ମଧ୍ୟ ପ୍ରସ୍ତୁତ ହୋଇଥାଏ। ଏହି ପିଠା ଓ ମିଠା ମଧ୍ୟରେ ଆପଣ କିଛି ଚଟପଟା ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିପାରିବେ।

ଆସନ୍ତୁ ଜାଣିବା ସେହିପରି କିଛି ସ୍ଵାଦିଷ୍ଟ ଚଟପଟା ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ବିଷୟରେ।

ଭାଙ୍ଗ ପକୋଡା

ଆବଶ୍ୟକୀୟ ସାମଗ୍ରୀ : ଭାଙ୍ଗ ପକୋଡା ପ୍ରସ୍ତୁତ କରିବା ପାଇଁ ଦୁଇକପ୍ ବେସନ, ତିନୋଟି ପିଆଜ, ଚାରିଟି ଆଳୁ, ଅଧଚାମଚ ହଳଦୀଗୁଣ୍ଡ, ଏକଚାମଚ ଆମଚୁର୍ ପାଉଡର୍, ଦୁଇକପ୍ ରିଫାଇନ ତେଲ, ଅଧଚାମଚ ଲଙ୍କାଗୁଣ୍ଡ, ଏକଚାମଚ ଭାଙ୍ଗଗୁଣ୍ଡ (ଚୁରମା) ଓ ସ୍ଵାଦ ଅନୁଯାୟୀ ଲୁଣ ଆବଶ୍ୟକ।

ପ୍ରସ୍ତୁତି ପ୍ରଣାଳୀ : ଭାଙ୍ଗ ପକୋଡା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ବେସନ, ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଆମଚୁର୍ ପାଉଡ଼ର୍, ଭାଙ୍ଗଗୁଣ୍ଡ (ଚୁରମା)ନେଇ ସେଥିରେ ଆବଶ୍ୟକୀୟ ପରିମାଣର ପାଣି ମିଶାନ୍ତୁ ଓ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ ଏଥିରେ ଛୋଟ ଛୋଟ କଟାଯାଇଥିବା ପିଆଜ ଓ ଆଳୁକୁ ମିଶାନ୍ତୁ। ଭଲ ଭାବରେ ମିଶାଇବା ପରେ ଏହି ପେଷ୍ଟକୁ କିଛି ସମୟ ପାଇଁ ରଖି ଦିଅନ୍ତୁ।

ଏହାପରେ କରେଇରେ ଦୁଇକପ୍ ରିଫାଇନ ତେଲ ନେଇ ଗରମ କରନ୍ତୁ। ତେଲ ଭଲ ଭାବରେ ଗରମ ହୋଇଯିବା ପରେ ସେହି ପେଷ୍ଟକୁ ପକୋଡା ଆକାରରେ ଛାଣନ୍ତୁ। ପକୋଡା ହାଲକା ବ୍ରାଉନ ରଙ୍ଗର ହୋଇଯିବା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ। ଚଟଣି ସହିତ ଗରମ ଗରମ ପରଷନ୍ତୁ।

କାଞ୍ଜିବରା

ଆବଶ୍ୟକୀୟ ସାମଗ୍ରୀ : କାଞ୍ଜିବରା ପ୍ରସ୍ତୁତ କରିବା ପାଇଁ ଅଧାକପ୍ ବିରି, ଅଧାକପ୍ ମୁଗ, ଦୁଇ ଚାମଚ ହଳଦିଆ ସୋରିଷ, ଏକଚାମଚ ସୋରିଷ ତେଲ, ଅଧାଚମଚ ଲଙ୍କାଗୁଣ୍ଡ, ଅଧାଚମଚ ସୈନ୍ଧବ ଲୁଣ (ବିଟ୍ ଲୁଣ), ୧/୪ ଚାମଚ ଜୀରାଗୁଣ୍ଡ, ୧/୪ଚାମଚ ହଳଦୀଗୁଣ୍ଡ, ଅଳ୍ପ ହେଙ୍ଗୁ, ଦୁଇଟି କଞ୍ଚାଲଙ୍କା, ଅଳ୍ପ ଅଦା ଓ ସ୍ଵାଦ ଅନୁଯାୟୀ ଲୁଣ ଆବଶ୍ୟକ।

ପ୍ରସ୍ତୁତି ପ୍ରଣାଳୀ : କାଞ୍ଜିବରାର କାଞ୍ଜିପାଣିକୁ ଗୋଟିଏ ରାତି ପୂର୍ବରୁ ପ୍ରସ୍ତୁତ କରିବାକୁ ପଡିବ। ଏଥିପାଇଁ ଏକ କାଚ ବୋତଲରେ ଦେଢଲିଟର ପାଣି ନିଅନ୍ତୁ ଓ ସେଥିରେ ହଳଦିଆ ସୋରିଷ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ସୈନ୍ଧବ ଲୁଣ (ବିଟ୍ ଲୁଣ), ହଳଦୀଗୁଣ୍ଡ, ହେଙ୍ଗୁ, ଜୀରାଗୁଣ୍ଡ, ସୋରିଷତେଲ ପକାଇ ଭଲ ଭାବରେ ମିଶାନ୍ତୁ। ବୋତଲର କାଚ ବନ୍ଦକରି ଏହାକୁ ଏକ ଉଷୁମ ସ୍ଥାନରେ ରଖନ୍ତୁ।

ବରା ପ୍ରସ୍ତୁତ କରିବା ପାଇଁ ବିରି ଓ ମୁଗଡାଲିକୁ ପାଞ୍ଚରୁ ଛଅ ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ। ଏହାପରେ ଗ୍ରାଇଣ୍ଡରରେ ବିରି, ମୁଗ, ଲୁଣ, ହେଙ୍ଗୁ, କଞ୍ଚାଲଙ୍କା, ଅଦା ଓ ଅବଶ୍ୟକ ମୁତାବକ ପାଣି ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଏକ ପାତ୍ରରେ କାଢି ଭଲ ଭାବରେ ଫେଣ୍ଟନ୍ତୁ, ଯାହାଫଳରେ ବରା ଭଲ ଭାବରେ ଫୁଲିବ।

ଏହାପରେ ଏକ କରେଇରେ ତେଲ ଗରମ କରି ବରାକୁ ଛାଣନ୍ତୁ। ବରାକୁ ଛାଣିବା ପରେ ଏହାକୁ ତୁରନ୍ତ ଥଣ୍ଡାପାଣିରେ ପକାନ୍ତୁ ଓ ବରାକୁ ଫୁଲିବାକୁ ଛାଡିଦିଅନ୍ତୁ। ପାଣିରେ ବରା ଫୁଲିଯିବା ପରେ ଆଗରୁ ପ୍ରସ୍ତୁତ କରିଥିବା କାଞ୍ଜିପାଣି ସହିତ ମିଶାଇ ଖାଆନ୍ତୁ।

#lifestyle #foodrecepie #kanjivada #bhangapakoda

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon