• padmabati kund

ଆଇପିଏଲ 2019 : ଚେନ୍ନାଇ  ବନାମ ବାଙ୍ଗାଲୋର ମଧ୍ୟରେ କିଏ ଅଛି ସୁବିଧାଜନକ ସ୍ଥିତିରେ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଦ୍ଵାଦଶ ସଂସ୍କରଣ ମାର୍ଚ୍ଚ 23 ତାରିଖ ଶନିବାର ଆରମ୍ଭ ହେବାକୁ ଯାଉଛି। ଏହି ଆଇପିଏଲ 2019ର ଉଦଘାଟନୀ ମ୍ୟାଚ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଆଇପିଏଲରେ ତିନିଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ ଦଳର ଆତ୍ମବିଶ୍ଵାସ ଅଧିକ ଥିବା ବେଳେ ତିନିଥର ଫାଇନାଲକୁ ଯାଇ ହାରିଥିବା ବାଙ୍ଗାଲୋର ଦଳ ଚଳିତ ବର୍ଷ ପ୍ରଥମ ଥର ଆଇପିଏଲ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ଏହି ଦୁଇ ଦଳ ମଧ୍ୟରେ ମୋଟ 22ଟି ମ୍ୟାଚ ଖେଳାଯାଇଛି। ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ପରିଣାମକୁ ଦେଖିଲେ ଚେନ୍ନାଇ ଦଳ ବାଙ୍ଗାଲୋର ଦଳ ଠାରୁ ଆଗୁଆ ରହିଛି। ଚେନ୍ନାଇ ସୁପରକିଙ୍ଗ ଏହି 22ଟି ମ୍ୟାଚରୁ 14ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାତଟି ମ୍ୟାଚରେ ବିଜୟ ହାସଲ କରିଛି ଓ  ଗୋଟିଏ ମ୍ୟାଚ ଟାଇ ରହିଥିଲା। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ଛଅଟି ମ୍ୟାଚରେ ଚେନ୍ନାଇ ବିଜୟୀ ହୋଇଛି। ଶେଷଥର ପାଇଁ ବାଙ୍ଗାଲୋର

ମେ’ 18, 2014ରେ ଚେନ୍ନାଇ ଦଳକୁ ହରାଇବାରେ ସଫଳ ହୋଇଥିଲା।

ଶନିବାର ଏହି ପ୍ରଥମ ମ୍ୟାଚର ଫଳାଫଳ ବୋଲରଙ୍କ ଉପରେ ଓ କଠିନ ପରିସ୍ଥିତିକୁ ସାମ୍ନା କରିବାର କ୍ଷମତା ଉପରେ ନିର୍ଭର କରିବ। ସ୍ପିନ ବୋଲିଙ୍ଗ ପାଇଁ ଅନୁକୂଳ ଚେନ୍ନାଇର ଏହି ଗ୍ରାଉଣ୍ଡରେ ଉଭୟ ଦଳର ସ୍ପିନ ବୋଲରଙ୍କ ପ୍ରଦର୍ଶନ ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଇବ।

ଚେନ୍ନାଇ ସୁପରକିଙ୍ଗ ପାଖରେ ରବୀନ୍ଦ୍ର ଜାଡେଜା, ହରବଭାଜନ ସିଂ ଙ୍କ ପରି ଅଭିଜ୍ଞ ସ୍ପିନ ବୋଲରଙ୍କ ସହିତ ଇମ୍ରାନ ତାହିର, ମିଚେଲ ସାଣ୍ଟନର ଓ କର୍ଣ୍ଣ ଶର୍ମା ପରି ପ୍ରତିଭାବାନ ବୋଲର ମଧ୍ୟ ରହିଛନ୍ତି। ଅନ୍ୟପଟେ ବାଙ୍ଗାଲୋର ଦଳରେ ୟୁଜବେନ୍ଦ୍ର ଚହଲ, ମୋଏନ ଅଲ୍ଲୀ, ପୱନ ନେଗୀ, ଗୁରୁକିରତ ସିଂହ ଓ ୱାସିଙ୍ଗଟନ ସୁନ୍ଦର ପରି ସ୍ପିନ ବୋଲରର ଅପ୍ସନ ରହିଛି।

ଇଣ୍ଡିଆନ ପ୍ରିମିୟର ଲିଗରେ ଲଗାତର ଭାବରେ ଭଲ ପ୍ରଦର୍ଶନ କରିଆସୁଥିବା ଚେନ୍ନାଇ ସୁପରକିଙ୍ଗ ଚଳିତବର୍ଷ ସିଜିନର ପ୍ରଥମ ମ୍ୟାଚ ଜିତି ଯାତ୍ରା ଆରମ୍ଭ କରିବାକୁ ଚାହିଁବ। ଚେନ୍ନାଇର ଅମ୍ବତି ରାୟୁଡୁ,ରବୀନ୍ଦ୍ର ଜାଡେଜା ଓ ବାଙ୍ଗାଲୋର ଦଳର ଉମେଶ ଯାଦବଙ୍କ ପାଖରେ ଭଲ ପ୍ରଦର୍ଶନ କରି ବିଶ୍ଵକପ ପାଇଁ ଭାରତୀୟ ଦଳରେ ସାମିଲ ହେବାର ସୁଯୋଗ ମଧ୍ୟ ରହିବ।

କେବଳ ବୋଲର ନୁହନ୍ତି ଏହି ଉଭୟ ଦଳ ନିଜର ବିସ୍ଫୋଟକ ବ୍ୟାଟ୍ସମ୍ୟାନ ପାଇଁ ମଧ୍ୟ ପରିଚିତ। ବାଙ୍ଗାଲୋର ଦଳରେ ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ପରି ବ୍ୟାଟ୍ସମ୍ୟାନ ଥିବା ବେଳେ ଚେନ୍ନାଇରେ ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି ରହିଛନ୍ତି। ଏହାସହିତ ଶିମ୍ରନ ହେଟମାୟର, ହେନରିଚ କ୍ଲାସେନ ଓ କଲିନ ଡି ଗ୍ରାଣ୍ଡହୋମଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ଏହି ଆପିଏଲ 2019ର ଏହି ପ୍ରଥମ ମ୍ୟାଚ ଶନିବାର ସନ୍ଧ୍ୟା 8ଟା ସମୟରେ ଆରମ୍ଭ ହେବ। ଏହାର ସିଧା ପ୍ରସାରଣ ଷ୍ଟାରସ୍ପୋର୍ଟ୍ସ ନେଟୱାର୍କ ଓ ହଟଷ୍ଟାରରେ ଦେଖିପାରିବେ।

#Cricket #ipl2019 #CSKVsRCB

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon