• ବେତାର ବ୍ୟୁରୋ

ମଙ୍ଗଳ, ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ: ଜାଣନ୍ତୁ କ'ଣ ରହିବ ପ୍ରଭାବ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଦୁଇଟି ଗ୍ରହଙ୍କ ରାଶି

ପରିବର୍ତ୍ତନ ବା ଚଳନ ବା ଗୋଚର ସଂଘଟିତ ହେଇଛି।ଶୁକ୍ରଗ୍ରହ ମାର୍ଚ୍ଚ 22 ତାରିଖ (ଶୁକ୍ରବାର) ଭୋର୍ ରୁ କୁମ୍ଭରାଶିରେ ଗୋଚର କରିଛନ୍ତି ଓ ଅପ୍ରେଲ 16 ମଙ୍ଗଳବାର ରାତ୍ରି ଘ.12.55 ପର୍ଯ୍ୟନ୍ତ ଏହି ରାଶିରେ ସ୍ଥିର ରହିବେ। ଅନ୍ୟପଟେ ମଙ୍ଗଳଗ୍ରହ ମାର୍ଚ୍ଚ 22 ତାରିଖ ଦ୍ୱିପ୍ରହରରୁ ବୃଷ ରାଶିରେ ପ୍ରବେଶ କରିଛନ୍ତି ଓ ମେ’ 7 ତାରିଖ ସକାଳ ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାନ କରିବେ।


ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଗ୍ରହକୁ ଲାଲଗ୍ରହ ଭାବରେ ମଧ୍ୟ ଜଣାଯାଇଥାଏ ଓ ଏହାକୁ ସାହସ, ଶକ୍ତି ଓ ନେତୃତ୍ଵର କାରକ ବୋଲି କୁହାଯାଇଥାଏ। ସେହିପରି ଶୁକ୍ରଗ୍ରହଙ୍କୁ ସୁନ୍ଦରତା, ସଙ୍ଗୀତ ନୃତ୍ୟ ଓ ଅନ୍ୟପ୍ରକାରର କଳାତ୍ମକ ପ୍ରତିଭାର କାରକ ବୋଲି ବିବେଚନା କରାଯାଇଥାଏ। 

ଶୁକ୍ରଗ୍ରହ ଓ ମଙ୍ଗଳ ଗ୍ରହଙ୍କର ଏହି ଗୋଚରର ପ୍ରଭାବ ସମସ୍ତ ବାରଟି ରାଶି ଉପରେ ପଡିବ।ଆସନ୍ତୁ ଜାଣିବା ସେଗୁଡିକ କଣ।

ମେଷ: ଏହି ସମୟରେ ଆପଣଙ୍କ ଆୟରେ ବୃଦ୍ଧି ପରିଲକ୍ଷିତ ହେବ। ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଭାଇଭଉଣୀ ଓ ବନ୍ଧୁ ଆପଣଙ୍କ ପ୍ରତି ସହଯୋଗର ହାତ ବଢାଇବେ। ମଙ୍ଗଳ ଗୋଚର ପ୍ରଭାବରେ ଆର୍ଥିକ ହାନୀ ହୋଇପାରେ।

ବୃଷ: ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ସନ୍ତାନଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡିବ। ବ୍ୟବସାୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ନିଜ କାମ ପାଇଁ ପ୍ରଶଂସିତ ହେବେ। ମଙ୍ଗଳ ଗୋଚର ପ୍ରଭାବରେ ଚାକିରୀରେ ପଦୋନ୍ନତି ହୋଇପାରେ।

ମିଥୁନ: ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ଶୁଭ ସମାଚାର ପ୍ରାପ୍ତି ହେବ। ଧାର୍ମିକ କାର୍ଯ୍ୟପ୍ରତି ମନବଳାଇବେ। ପରୋପକାର କାର୍ଯ୍ୟରେ ମନ ବଳାଇବେ ଓ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଦୁରସ୍ଥାନକୁ ଯାତ୍ରା ଯୋଗ ରହିଛି। ମଙ୍ଗଳ ଗୋଚର ଆପଣଙ୍କ ପ୍ରଭୁତ୍ଵ ଓ ବ୍ୟକ୍ତିତ୍ଵରେ ସକାରାତ୍ମକ ପ୍ରଭାବ ପକାଇବ।

କର୍କଟ: ହଠାତ କୌଣସି ଘଟଣା ଘଟିପାରେ। ଆପଣଙ୍କ ଖର୍ଚ୍ଚ ସହିତ ଆମଦାନୀ ମଧ୍ୟ ବୃଦ୍ଧି ପାଇବ। ପରିବାର ସଦସ୍ୟଙ୍କ ସହିତ ତୀର୍ଥସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଜୀବନସାଥୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ମଙ୍ଗଳ ଗୋଚର ପ୍ରଭାବରେ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

ସିଂହ: ଜୀବନସାଥୀଙ୍କ ସହ ଅଧିକରୁ ଅଧିକ ସମୟ ବିତେଇବା ପାଇଁ ପସନ୍ଦ କରିବେ। ବ୍ୟବସାୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ ଓ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇବେ। ମଙ୍ଗଳ ଗୋଚର ପ୍ରଭାବରେ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢିବ।ନୂତନ ଜମିବାଡି କ୍ରୟ କରିପାରନ୍ତି।

କନ୍ୟା: କୌଣସି ବିବାଦରେ ପଶନ୍ତୁ ନାହିଁ, ଅଯଥାରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ। ବିରୋଧୀଙ୍କ ପ୍ରତି ସାବଧାନ ରୁହନ୍ତୁ। ଖର୍ଚ୍ଚ ବୃଦ୍ଧି ପାଇବ ଓ ଧନହାନୀ ଯୋଗ ରହିଛି। କାର୍ଯ୍ୟରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ।ମଙ୍ଗଳ ଗ୍ରହ ଚଳନ ଯୋଗୁଁ ଆର୍ଥିକ ଲାଭ ହେଇପାରେ।

ତୁଳା: ଏହି ସମୟ ଆପଣଙ୍କ ପାଇଁ ବହୁତ ଖୁସିରେ କଟିବ ଓ ସମୃଦ୍ଧି ମିଳିବ। ଆପଣଙ୍କ କାମରେ ଆଶାନୁଯାୟୀ ସଫଳତା ପାଇବେ। ଧନଲାଭ ହେବ ଓ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ଅନ୍ୟପଟେ ମଙ୍ଗଳ ଗୋଚର ପ୍ରଭାବରେ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇଁ, ଏହାକୁ ନିୟନ୍ତ୍ରଣ କରନ୍ତୁ। 

ବିଛା: ପରିବାରରେ ଅନେକ ସମୟରୁ ଲାଗିରହିଥିବା ବିବାଦ ଦୁରହେବ ଓ ସୁଖଶାନ୍ତିରେ ସମୟ ବିତାଇବେ। ଆୟ ବୃଦ୍ଧି ପାଇବ। ଆପଣଙ୍କ ବିଚାରଶକ୍ତି ଯୋଗୁଁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମଙ୍ଗଳ ଗୋଚର ପ୍ରଭାବ ଯୋଗୁଁ ଚାକିରୀରେ ପଦୋନ୍ନତି ମଧ୍ୟ ମିଳିପାରେ। ନୂତନ ଜମି ବା ଯାନବାହାନ କିଣିପାରନ୍ତି।

ଧନୁ: ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବେ। ନିଜ ରୁଚିକୁ ଆଗକୁ ବଢାଇବା ପାଇଁ ଧନ ଖର୍ଚ୍ଚ କରିବେ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ମଙ୍ଗଳ ଗୋଚର ପ୍ରଭାବରେ କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହିତ ଝଗଡା ହୋଇପାରେ।

ମକର: ଧନ ସଞ୍ଚୟ କରିବେ ଓ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। ପରିବାର ମଧ୍ୟରେ ବିବାହ ବା କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ। ସ୍ଵାଦିଷ୍ଟ ଭୋଜନ ମିଳିପାରେ। ଆପଣଙ୍କ ବ୍ୟବହର ଅନ୍ୟମାନଙ୍କୁ ଆକର୍ଷିତ କରିବ। ମଙ୍ଗଳ ଗୋଚର ପ୍ରଭାବରେ ନୂତନ ଚାକିରୀର ସୁଯୋଗ ମିଳିବ।

କୁମ୍ଭ: ଆପଣଙ୍କ ମନରେ ଅନ୍ୟମାନଙ୍କ ପ୍ରତି ସ୍ନେହ ଭାବ ବୃଦ୍ଧି ପାଇବ। ଶାରୀରିକ ସୁନ୍ଦରତା ବୃଦ୍ଧି ପାଇବ। ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ଛାତ୍ରଛାତ୍ରୀମାନେ ପଠାପଢାରେ ମନଦେବେ। ମଙ୍ଗଳ ଗୋଚର ପ୍ରଭାବରେ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ।

ମୀନ: ଖର୍ଚ୍ଚ ବୃଦ୍ଧି ପାଇବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖି ଆର୍ଥିକ ସ୍ଥିତିକୁ ସନ୍ତୁଳିତ ରଖନ୍ତୁ। ମଙ୍ଗଳ ଗୋଚର ପ୍ରଭାବରେ ଭାଇଭଉଣୀଙ୍କ ସହିତ ମତଭେଦ ହୋଇପାରେ। ଶତ୍ରୁଙ୍କ ଠାରୁ ସାବଧାନ ରୁହନ୍ତୁ। କର୍ମକ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #venustransitaquarius

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon