- padmabati kund
ବକ୍ସଅଫିସରେ ‘କେଶରୀ’ର ରେକର୍ଡ : 2019ରେ ସବୁଠାରୁ ବଡ ଓପନିଙ୍ଗ ଡେ’

(ବେତାର ବ୍ୟୁରୋ) ହୋଲି ଅବସରରେ ବଲିଉଡରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘କେଶରୀ’କୁ ଲୋକମାନେ ଖୁବ ପସନ୍ଦ କରିବା ସହିତ ଚଳିତବର୍ଷ ବକ୍ସଅଫିସରେ ଫିଲ୍ମ ଧମାକାପୂର୍ଣ୍ଣ ଆରମ୍ଭ କରିଛି। ରିଲିଜର ପ୍ରଥମ ଦିନରେ ଫିଲ୍ମଟି ବକ୍ସଅଫିସରେ 21କୋଟି ଟଙ୍କାରୁ ଅଧିକ ରୋଜଗାର କରି ଚଳିତବର୍ଷ ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ପ୍ରଥମ ଦିନରେ ବକ୍ସଅଫିସରେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ମଧ୍ୟରେ ନୂଆ ରେକର୍ଡ କରିପାରିଛି।
ଅକ୍ଷୟ କୁମାରଙ୍କ ଅଭିନୀତ ଏହି ପିରିୟଡ ଡ୍ରାମା ଫିଲ୍ମକୁ ଫିଲ୍ମ ସମୀକ୍ଷକମାନେ ପ୍ରଶଂସା କରିବା ସହିତ ଦର୍ଶକମାନେ ମଧ୍ୟ ଖୁବ ପ୍ରଶଂସା କରୁଛନ୍ତି। ଟ୍ରେଡ ବିଶେଷଜ୍ଞ ତରଣ ଆଦର୍ଶ ଚଳିତ ବର୍ଷ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ଦିନର ରୋଜଗାରକୁ ନେଇ ଏକ ଟ୍ଵିଟ କରିଛନ୍ତି। ତାଙ୍କ ଟ୍ଵିଟ ଅନୁସାରେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମ ପ୍ରଥମ ଦିନରେ ପ୍ରାୟ 21କୋଟି 50ଲକ୍ଷ ଟଙ୍କା ରୋଜଗାର କରିଛି। ଏହାପୂର୍ବରୁ ଚଳିତ ବର୍ଷର ଏହି ରେକର୍ଡ ‘ଗଲିବୟ’ ଓ ‘ଟୋଟାଲ ଧମାଲ’ ନାମରେ ଥିଲା।
ରଣବୀର ସିଂ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ଗଲିବୟ’ ରିଲିଜ ହେବାର ପ୍ରଥମ ଦିନରେ 19କୋଟି 40ଲକ୍ଷ ଟଙ୍କା ରୋଜଗାର କରିଥିଲା। ଏହାପରେ ଅଜୟ ଦେବଗନ, ଅନିଲ କପୁର ଓ ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ଫିଲ୍ମ ‘ଟୋଟାଲ ଧମାଲ’ ପ୍ରଥମ ଦିନରେ 16କୋଟି 50ଲକ୍ଷ ଟଙ୍କା ରୋଜଗାର କରିଥିଲା।
ଅକ୍ଷୟ କୁମାରଙ୍କ ଏହି ଫିଲ୍ମଟି ବକ୍ସଅଫିସରେ ପ୍ରଥମ ଦିନରେ ସବୁଠାରୁ ଅଧିକ ରୋଜଗାର କରିଥିବା ତାଙ୍କର ଦ୍ଵିତୀୟ ଫିଲ୍ମ ଅଟେ। ଏହାପୂର୍ବରୁ ଗତବର୍ଷ ସ୍ଵାଧୀନତା ଦିବସରେ ରିଲିଜ ହୋଇଥିବା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ ପ୍ଫିଲ୍ମଟି ବକ୍ସଅଫିସରେ ପ୍ରଥମ ଦିନରେ 25କୋଟି 25ଲକ୍ଷ ଟଙ୍କା ରୋଜଗାର କରିଥିଲା।
‘କେଶରୀ’ ଫିଲ୍ମଟି ମୋଟ 4200ଟି ସ୍କ୍ରିନରେ ରିଲିଜ କରାଯାଇଥିଲା। ସେଥିମଧ୍ୟରୁ ଭାରତରେ ଏହା ମୋଟ 3600ଟି ସ୍କ୍ରିନରେ ରିଲିଜ କରାଯାଇଥିଲା। ଅନୁରାଗ ସିଂ ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ପରିଣୀତି ଚୋପ୍ରା ଅଭିନୟ କରିଛନ୍ତି। ପ୍ରଥମ ଦିନର ରୋଜଗାରକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଫିଲ୍ମଟି ଆଗକୁ ଆହୁରି ଅନେକ ରେକର୍ଡ ଭାଙ୍ଗିବ।
ଫିଲ୍ମଟି ଗୁରୁବାର ରିଲିଜ କରାଯାଇଥିଲା ଓ ଏହାକୁ ମୋଟ 4ଦିନର ୱିକେଣ୍ଡ ମିଳିଛି। ଏଥିପାଇଁ ଫିଲ୍ମଟି ପ୍ରଥମ ସପ୍ତାହରେ ହିଁ 100କୋଟିରୁ ଅଧିକ ରୋଜଗାର କରିପାରେ ବୋଲି ଅନୁମାନ କରାଯାଉଛି।
କାହାଣୀ
ଧର୍ମା ମୁଭିଜରେ ପ୍ରସ୍ତୁତ ଏହି ଫିଲ୍ମ ଏକ ବାସ୍ତବିକ ଓ ଐତିହାସିକ ଘଟଣା ଉପରେ ଆଧାରିତ। 122ବର୍ଷ ପୂର୍ବେ 21ଜଣ ଭାରତୀୟ ସୈନିକ ଦଶ ହଜାର ଆଫଗାନିସ୍ଥାନ ଆକ୍ରମଣକାରୀଙ୍କ ସହିତ ଲଢେଇ କରିଥିଲେ। ସେହି 21ଜଣ ସୈନିକଙ୍କର ବୀରତ୍ଵ କାହାଣୀକୁ ଏହି ଫିଲ୍ମରେ ଚିତ୍ରିତ କରାଯାଇଛି। 1897 ମସିହା, ସେପ୍ଟେମ୍ବର 12 ତାରିଖରେ ସାରାଗଢୀରେ ହୋଇଥିବା ଏହି ଲଢେଇ ଭାରତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଅଟେ। ଏଥିରେ ଅକ୍ଷୟ କୁମାର ହାବିଲଦାର ଇଶର ସିଂଙ୍କ ଭୂମିକାରେ ଅଭିନୟ କରିଛନ୍ତି।