• padmabati kund

ଆଇପିଏଲ 2019 : ରାଜସ୍ଥାନ, ପଞ୍ଜାବର ଦାମୀ ଖେଳାଳୀଙ୍କ ଉପରେ ନଜର


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ 2019ରେ ଚତୁର୍ଥ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ସୋମବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ଆଇପିଏଲର ଦ୍ଵାଦଶ ସଂସ୍କରଣରେ ଏହି ମ୍ୟାଚ ଉଭୟ ଦଳର ପ୍ରଥମ ମ୍ୟାଚ ଅଟେ, ତେଣୁ ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ସିଜିନ ଆରମ୍ଭରୁ ନିଜ ସ୍ଥିତି ମଜଭୁତ ରଖିବା ପାଇଁ ଉଭୟ ଦଳ ପ୍ରୟାସ କରିବ।

ଆଇପିଏଲର ପ୍ରଥମ ସଂସ୍କରଣ ଜିତିଥିବା ରାଜସ୍ଥାନ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ତିନିଥର ପ୍ଲେ-ଅଫରେ ପହଞ୍ଚିଛି, ମାତ୍ର ଫାଇନାଲରେ ସ୍ଥାନ ପାଇନାହିଁ। 2018 ଓ 2015ରେ ଚତୁର୍ଥ ସ୍ଥାନରେ ଓ 2013ରେ ତୃତୀୟ ସ୍ଥାନରେ ରହିଥିବା ଏହି ଦଳକୁ 2016 ଓ 2017ରେ ଟୁର୍ଣ୍ଣାମେଣ୍ଟରୁ ବାହାର କରାଯାଇଥିଲା। ଅନ୍ୟପଟେ ପଞ୍ଜାବ ଦଳ 2014ରେ ଫାଇନାଲ ଖେଳିଥିଲା ମାତ୍ର ବିଜୟ ହୋଇପାରିନଥିଲା। ଏହାପରେ ଚାରିଟି ସଂସ୍କରଣରେ ପଞ୍ଜାବ ଦଳ ପ୍ଲେ-ଅଫ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରୁନାହିଁ।

ସ୍ପଟ ଫିକ୍ସିଙ୍ଗ ମାମଲାରେ ଦୁଇବର୍ଷ ପାଇଁ ବାସନ୍ଦ ହେଇଥିବା ରାଜସ୍ଥାନ ଦଳ ଗତ ସିଜିନରେ ପ୍ଲେ-ଅଫ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା। ତେବେ ଚଳିତ ବର୍ଷ ଅଜିଙ୍କ୍ୟା ରାହାଣେଙ୍କ ଅଧିନାୟକତ୍ଵରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ଏହାସହିତ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଦଳ ମଧ୍ୟ ବହୁତ ଆଶାବାଦୀ ରହିଛି। ଇଂଲଣ୍ଡରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଜସ ବଟଲରଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ଗତ ସିଜିନରେ ସେ ମୋଟ 13ଟି ମ୍ୟାଚରେ 548ଟି ରନ କରିଥିଲେ।

ଦାମୀ ଖେଳାଳୀଙ୍କ ଉପରେ ନଜର

ଚଳିତ ବର୍ଷ ଅକ୍ସନରେ ସବୁଠାରୁ ଅଧିକ ମୂଲ୍ୟରେ କିଣା ହୋଇଥିବା ଖେଳାଳୀ ଜୟଦେବ ଉନ୍ନଦକଟ ଓ ବରୁଣ ଚକ୍ରବର୍ତ୍ତୀ ଉଭୟ ଦଳରେ ରହିଛନ୍ତି। ରାଜସ୍ଥାନ ରୟାଲ୍ସ ଅକ୍ସନରେ 8କୋଟି 40ଲକ୍ଷ ଟଙ୍କା ଦେଇ କିଣିଥିବା ବୋଲର ଜୟଦେବ ଉନ୍ନଦକଟଙ୍କ ଉପରେ ମଧ୍ୟ ବହୁତ ଚାପ ରହିବ। ପଞ୍ଜାବ ଦଳ ମଧ୍ୟ ଅକ୍ସନ ସମୟରେ ତାମିଲନାଡୁର ବରୁଣ ଚକ୍ରବର୍ତ୍ତୀଙ୍କୁ 8କୋଟି 40ଲକ୍ଷ ଟଙ୍କା ଦେଇ କିଣିଥିଲା। ଏହାପରେ ବରୁଣ ଖୁବ ଚର୍ଚ୍ଚାରେ ରହି ଆସିଛନ୍ତି। ତାଙ୍କ ପ୍ରଦର୍ଶନ ଉପରେ ଦର୍ଶକଙ୍କ ନଜର ରହିବ।

କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳରେ ଚଳିତ ବର୍ଷ ବହୁତ ଭଲ ଭଲ ଖେଳାଳୀ ଅଛନ୍ତି। ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ ଅଧିନାୟକତ୍ଵରେ ଏହି ଦଳ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିବା ବୋଲି ଆଶା ରଖିଛି। ଦଳରେ କେ.ଏଲ ରାହୁଲ, ମୟଙ୍କ ଅଗ୍ରୱାଲ, କରୁଣ ନାୟର, ଡେଭିଡ ମିଲର, ମନଦୀପ ସିଂ ଙ୍କ ପରି ବ୍ୟାଟ୍ସମ୍ୟାନ ରହିଛନ୍ତି। ଏହାସହିତ ୱେଷ୍ଟଇଣ୍ଡିଜର ବିସ୍ଫୋଟକ ବ୍ୟାଟ୍ସମ୍ୟାନ କ୍ରିସ ଗେଲଙ୍କ ପ୍ରଦର୍ଶନ ଉପରେ ଦଳର ସଫଳତା ନିର୍ଭର କରିବ।

ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ଏହି ଦୁଇ ଦଳ ମଧ୍ୟରେ ମୋଟ 17ଟି ମ୍ୟାଚ ଖେଳାଯାଇଛି, ସେଥିମଧ୍ୟରୁ 10ଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଥିବା ବେଳେ 6ଟି ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିଜୟୀ ହୋଇଛି ଓ ଗୋଟିଏ ମ୍ୟାଚ ଟାଇ ରହିଥିଲା। ରାଜସ୍ଥାନ ନିଜର ଘରୋଇ ଷ୍ଟାଡିୟମ ସୱ୍ୱାଇ ମାନସିଂହ ଷ୍ଟାଡିୟମରେ ମଧ୍ୟ ପଞ୍ଜାବ ଦଳ ଉପରେ ଭାରି ରହିଛି। ଏଠାରେ ଖେଳାଯାଇଥିବା ପାଞ୍ଚଟିଯାକ ମ୍ୟାଚରେ ରାଜସ୍ଥାନ ଦଳ ବିଜୟ ହୋଇଛି।

ତେବେ ପଞ୍ଜାବ ଓ ରାଜସ୍ଥାନ ଦଳରେ ମଧ୍ୟରେ ଆଇପିଏଲ 2019ର ଏହି ଚତୁର୍ଥ ମ୍ୟାଚ ସୋମବାର ସନ୍ଧ୍ୟା

8ଟାରୁ ଆରମ୍ଭ ହେବ। ଏହାର ସିଧା ପ୍ରସାରଣ ଷ୍ଟାରସ୍ପୋର୍ଟ୍ସ ନେଟୱର୍କ ଓ ହଟଷ୍ଟାରରେ ଦେଖିପାରିବେ।

#cricket #ipl2019 #RRVsKXIP

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon