• ବେତାର ବ୍ୟୁରୋ

ନିର୍ବାଚନୀ ଘୋଷଣା : କଂଗ୍ରେସ ଜିତିଲେ ଗରିବ ପରିବାରକୁ ମିଳିବ ବର୍ଷକୁ 72000 ଟଙ୍କା


(ବେତାର ବ୍ୟୁରୋ) ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ନିଜର ପ୍ରାର୍ଥୀ ଚୟନରେ ବ୍ୟସ୍ତ ଥିବା ବେଳେ କଂଗ୍ରେସ ଦଳ ଆଜି ଏକ ବଡ ଗୁଗଲି ଫିଙ୍ଗି ସମସ୍ତଙ୍କୁ ବିସ୍ମିତ କରିଛି । ସୋମବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ କେନ୍ଦ୍ରରେ କ୍ଷମତାକୁ ଆସିଲେ ପ୍ରତି ଗରିବ ପରିବାରକୁ ବର୍ଷକୁ 72000 ଟଙ୍କା ଅର୍ଥାତ ମାସିକ ଛଅ ହଜାର ଟଙ୍କା ଲେଖାଏଁ ମିଳିବ ।

ସେ କହିଥିଲେ “ଅନେକ ବିଚାର ବିମର୍ଶ ପରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲୁ ଯେ ଭାରତରେ ସର୍ବନିମ୍ନ ମାସିକ ଆୟ 12,000 ଟଙ୍କା ହେବା ଉଚିତ । ସେଥିପାଇଁ ଆମେ ନିଷ୍ପତ୍ତି ନେଇଛୁ ଯେ କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ଗରିବ ପରିବାରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବର୍ଷକୁ 72000 ଟଙ୍କା ପ୍ରଦାନ କରାଯିବ। “

କିଛି ମାସ ହେବ ଚର୍ଚ୍ଚା ହେଉଥିଲା ଯେ କଂଗ୍ରେସ ଭାରତରେ ସର୍ବନିମ୍ନ ଆୟ ପ୍ରଦାନ ନିମନ୍ତେ ଆଗ୍ରହୀ ଓ ଏଥିପାଇଁ ବିଦେଶର ଅନେକ ଅର୍ଥନୀତିଜ୍ଞଙ୍କ ମତାମତ ଲୋଡିଛି । ସୋମବାର ପୂର୍ବାହ୍ନରେ ହେଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ସମିତି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସହିତ ଅନ୍ୟାନ୍ୟ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଯୋଜନାର ନାମ ଦଳ ପକ୍ଷରୁ "ନ୍ୟୁନତମ ଆୟ ଯୋଜନା" ରଖାଯାଇଛି । ଏହି ଯୋଜନାରେ ଦେଶର ପ୍ରାୟ 5 କୋଟି ଗରିବ ପରିବାରଙ୍କୁ ସାମିଲ କରିବାର ପ୍ରସ୍ତାବ ରହିଛି ।

ଏହି ଯୋଜନା କିଭଳି ଭାବେ କାର୍ଯ୍ୟକାରୀ ହେବ ସେ ନିମନ୍ତେ ଚୁଡାନ୍ତ ରୂପରେଖ ପ୍ରସ୍ତୁତି କରିବାକୁ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଦାୟିତ୍ଵ ଦିଆଯାଇଛି ବୋଲି କୁହାଯାଇଛି । ତେବେ କଂଗ୍ରେସ ଜିତିବା ପରେ ଏହି ପ୍ରକ୍ରିୟା ବିଭିନ୍ନ ସୋପାନରେ କାର୍ଯ୍ୟକାରୀ ହେବ ବୋଲି ଦଳ କହିଛି ।

ପୁରୁଣା ମୂଷା

କଂଗ୍ରେସ ଦଳ ପୂର୍ବରୁ ଏହିଭଳି ଯୋଜନା ପ୍ରଣୟନ କରି ବେଶ ସଫକତା ପାଇଛି । ୟୁପିଏ ସରକାର 2009 ମସିହାରେ ଦେଶରେ ସମସ୍ତଙ୍କୁ 100 ଦିନର ନିଶ୍ଚିତ ରୋଜଗାର ଯୋଜନା ଲାଗୁ କରିବା ବୋଲି ଘୋଷଣା କରିଥିଲା ଓ ଏହାର ପ୍ରଭାବରେ ଅନେକ ଆସନରେ ବିଜୟୀ ହେଇଥିଲା ମଧ୍ୟ । ଏହାପରେ 2014 ମସିହାରେ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ନାମରେ ଏକ ସ୍କିମ ଆଗତ କରି ଲୋକଙ୍କ ଆକାଉଣ୍ଟରେ ସବସିଡି ଟଙ୍କା ପଠାଇବା ଘୋଷଣା କରିଥିଲା। ତେବେ ଏଥିରେ ଦଳକୁ ସେତେଟା ସଫଳତା ମିଳି ନ ଥିଲା ।

ଗରିବ ଓ କୃଷକ ପରିବାରକୁ ଟଙ୍କା ବଣ୍ଟନ ଯୋଜନା ଏକ ସଫଳ ଯୋଜନା । ନିକଟରେ ତେଲଙ୍ଗାନାରେ ଏହିଭଳି ଏକ ଯୋଜନା ଲାଗୁ କରି ସେଠାକାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପୁନର୍ବାର କ୍ଷମତାସୀନ ହେଇଥିଲେ । ଓଡିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “କାଳିଆ’ ସ୍କିମ ପ୍ରଚଳନ କରି ଭୋଟରଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଛନ୍ତି । ସେହିଭଳି କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର କୃଷକଙ୍କ ପରିବାରକୁ ବାର୍ଷିକ ଛଅ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ସ୍କିମ ଆରମ୍ଭ କରି ସାରିଛନ୍ତି ।

#rahulgandhi #congress #Election2019

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon