• padmabati kund

ପୁଲୱାମା ଆକ୍ରମଣରେ ଏମିତି ବ୍ୟବହାର ହୋଇଥିଲା ଭର୍ଚୁଆଲ ସିମ


(ବେତାର ବ୍ୟୁରୋ) ଜମ୍ମୁ କାଶ୍ମୀରର ପୁଲୱାମାରେ ଗତମାସରେ ହୋଇଥିବା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣରେ ଭର୍ଚୁଆଲ ସିମ୍‌ ବ୍ୟବହାର ହୋଇଥିବା ଏକ ରିପୋର୍ଟ ନିକଟରେ ପ୍ରକାଶିତ ହେଇଛି । ଏହି ଭର୍ଚୁଆଲ୍‌ ସିମ୍‌ ବ୍ୟବହାର କରି ଜୈସ୍‌-ଏ-ମହମ୍ମଦର ଆତ୍ମଘାତୀ ଆକ୍ରମଣକାରୀ ଘଟଣାର ମାଷ୍ଟରମାଇଣ୍ଡ ସହ କଥାବାର୍ତ୍ତା କରୁଥିଲା। ଯୋଜନାବଦ୍ଧ ‌ଭାବେ ହୋଇଥିବା ଏହି ଆକ୍ରମଣ ପାଇଁ ପ୍ରାୟ ଚାରି ମାସ ତଳୁ ପ୍ରସ୍ତୁତି ହୋଇଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିବା ବେଳେ ଏବେ ଭର୍ଚୁଆଲ୍‌ ସିମ୍‌ ମାମଲାର ତଦନ୍ତ ନେଇ ଭାରତ ଆମେରିକାର ସହଯୋଗ ଲୋଡ଼ିଛି।

ଭର୍ଚୁଆଲ୍‌ ସିମ୍‌ ସେବା ପ୍ରଦାନକାରୀ ସଂସ୍ଥା ଆମେରିକାର ହୋଇଥିବାରୁ ଭାରତ ପକ୍ଷରୁ ଆମେରିକୀୟ ଅଧିକାରୀଙ୍କ ସହାୟତା ଲୋଡ଼ାଯାଇଛି। ଟ୍ରାକ ହେବାରୁ ବଞ୍ଚିବା ପାଇଁ ଆତଙ୍କବାଦୀମାନେ ଏହି ଭର୍ଚୁଆଲ ସିମର ବ୍ୟବହାର କରୁଥିବା କଥା ଜଣାପଡିଛି।

ଭର୍ଚୁଆଲ ସିମ କଣ

‘ଭର୍ଚୁଆଲ ସିମ୍‌’ ହେଉଛି ମୋବାଇଲ ସିମ୍‌ କାର୍ଡ ଭଳି ଏକ ସିମ୍‌। ଏହି ସିମକୁ ମୋବାଇଲ ଫୋନ୍‌ ପରିବର୍ତ୍ତେ ଅନଲାଇନ୍‌ରେ ବ୍ୟବହାର କରାଯାଇଥାଏ। ଏହି ଭର୍ଚୁଆଲ ସିମର ନମ୍ବର ଚୀନ, ଆମେରିକା ବା ଅନ୍ୟକୌଣସି ଦେଶର ହୋଇପାରେ। ଏହି ଭର୍ଚୁଆଲ ସିମର ସେବା ଯୋଗାଣକାରୀ ସଂସ୍ଥା ଏକ କମ୍ପ୍ୟୁଟର ଜରିଆରେ ମୋବାଇଲ ନମ୍ବର ପ୍ରସ୍ତୁତ କରିଥାଏ ଏବଂ ଏହାପରେ ବ୍ୟବହାରକାରୀକୁ ନିଜ ସ୍ମାର୍ଟଫୋନ୍‌ରେ ସିମ୍‌ ବିହୀନ ନମ୍ବର ବ୍ୟବହାର ପାଇଁ ଏକ ଆପ୍‌ ଡାଉନ୍‌ଲୋଡ କରିବାକୁ ପଡିଥାଏ।

ଏହି ନମ୍ବରକୁ ଫେସ୍‌ବୁକ୍‌, ହ୍ଵାଟସଆପ୍‌ ଭଳି ସୋସିଆଲ ମିଡିଆ ସାଇଟ୍‌ରେ ସଂଯୋଗ କରାଯାଇଥାଏ। ଏହି କନେକ୍ସନକୁ ଆକ୍ଟିଭ କରିବା ପାଇଁ ମୋବାଇଲରେ ଏକ ଭେରିଫିକେସନ କୋଡ ଆସିଥାଏ। ଉକ୍ତ ନମ୍ବର ‘ଯୁକ୍ତ ୧’ରେ ଆରମ୍ଭ ‌ହୋଇଥାଏ। ଏଭଳି ସିମ୍‌ ପାଇଁ କୌଣସି ଆଞ୍ଚଳିକ ସୀମା ରହୁ ନଥିବାରୁ ରୋମିଂ ବ୍ୟବସ୍ଥା ମଧ୍ୟ ରହେ ନାହିଁ।

ଏହାକୁ ଠାବ କରିବା ସହଜ ନୁହେଁ ତେଣୁ ସିମ୍‌କୁ ସହଜରେ ଟ୍ରାକ୍‌ କରିବା କୌଣସି ତଦନ୍ତକାରୀ ସଂସ୍ଥା ବା ଅଧିକାରୀଙ୍କ ପକ୍ଷରେ ସହଜ ହୋଇ ନଥାଏ।

ଗତବର୍ଷ ଭାରତୀୟ ସଞ୍ଚାର ନିଗମ ଲିମିଟେଡ (ବି.ଏସ.ଏନ.ଏଲ) ତାର ଗ୍ରାହକମାନଙ୍କ ପାଇଁ ସିମ ବିହୀନ ନମ୍ବର ବ୍ୟବହାର ପାଇଁ ଏକ ନୂତନ ଆପ ‘ୱିଙ୍ଗସ’ ଲଞ୍ଚ କରାଯାଇଥିଲା। ଏହାକୁ ବ୍ୟବହାର କରି ଗ୍ରାହକମାନେ ବିନା ସିମ କାର୍ଡରେ ଦେଶର ଯେ କୌଣସି ନେଟୱାର୍କକୁ କଲ କରିପାରିବେ। ଏହି ଆପରେ ଇଣ୍ଟରନେଟ ପ୍ରୋଟୋକଲ ସାହାଯ୍ୟରେ କଲ କରାଯିବ। ଏଥିରେ ମୋବାଇଲ ନମ୍ବର ଏକ ୱେବସାଇଟ ପରି କାମ କରିବ, ଯାହାଦ୍ୱାରା କଲ କରିଥିବା ବ୍ୟକ୍ତି ଇଣ୍ଟରନେଟ ପ୍ରୋଟୋକଲ ମାଧ୍ୟମରେ ଚିହ୍ନଟ ହୋଇପାରିବେ।

#mobile #virtualsim

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon