- padmabati kund
ଆଇପିଏଲ 2019 : ଦିଲ୍ଲୀ ବନାମ ଚେନ୍ନାଇ ମ୍ୟାଚରେ ତରୁଣ ଓ ସ୍ପିନର କରିପାରନ୍ତି କମାଲ

(ବେତାର ବ୍ୟୁରୋ) ଆଇପିଏଲ 2019ରେ ନିଜ ନାମ ପରିବର୍ତ୍ତନ କରି ନିଜ ଭାଗ୍ୟ ପରିବର୍ତ୍ତନ ହେବାର ଆଶା ରଖିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଏହି ସିଜିନରେ ଧମାକାଦାର ଆରମ୍ଭ କରିଛି। ତିନିଥର ଆଇପିଏଲ ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ସିଜିନରେ ନିଜର ପ୍ରଥମ ମ୍ୟାଚରେ ହରେଇବା ପରେ ଏବେ ନିଜ ଘରୋଇ ଗ୍ରାଉଣ୍ଡ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମ୍ୟାଚ ଖେଳିବାକୁ ଯାଉଛି। ଏହି ମ୍ୟାଚରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ବିଜୟଧାରାକୁ ଜାରି ରଖିବାର ଲକ୍ଷ୍ୟ ରଖିବ।
ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ମୋଟ 18ଟି ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚ ମଧ୍ୟରେ ଚେନ୍ନାଇ 12ଟି ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ 6ଟି ମ୍ୟାଚ ବିଜୟ ହାସଲ କରିଛି। ଫିରୋଜ ଶାହ କୋଟଲାରେ ଏହି ଦୁଇ ଦଳ ମଧ୍ୟରେ ମୋଟ 6ଟି ମ୍ୟାଚ ଖେଳାଯାଇଛି ଓ ସେଥିରୁ ଚେନ୍ନାଇ ଚାରିଟି ମ୍ୟାଚରେ ବିଜୟ ହୋଇଥିବା ବେଳେ ଦିଲ୍ଲୀ ଦୁଇଥର ବିଜୟୀ ହୋଇଛି।
ଦିଲ୍ଲୀ ଦଳ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳୁଥିଲେ ମଧ୍ୟ ଚେନ୍ନାଇ ଦଳ ବିପକ୍ଷରେ ଜିତିବା ଏତେ ସହଜ ହେବ ନାହିଁ। ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକରେ ଚେନ୍ନାଇ ଦଳ ଏହି ସିଜିନରେ ନିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଯୁବାଖେଳାଳୀଙ୍କ ଓ ଚେନ୍ନାଇ ସୁପରକିଙ୍ଗ୍ସର ଅନୁଭବୀ ଖେଳାଳୀଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ।
ସିଜିନର ସବୁଠୁ ତରୁଣ ଦଳ
ଆଇପିଏଲ 2019ରେ ଦିଲ୍ଲୀ କ୍ୟାପିଟାଲ୍ସରେ ସବୁଠାରୁ କମ ବୟସର ଖେଳାଳୀ ରହିଛନ୍ତି। ଅନ୍ୟପଟେ ଚେନ୍ନାଇ ଦଳରେ ସବୁ ଖେଳାଳୀଙ୍କ ବୟସ 35ବର୍ଷ ବା ଏହାଠାରୁ ଅଧିକ ଅଟେ। ଦିଲ୍ଲୀ ଦଳର ଖେଳାଳୀଙ୍କ ହାରାହାରି ବୟସ 25ବର୍ଷ ଅଟେ। ଦିଲ୍ଲୀ ଦଳର କ୍ୟାପଟେନ ଶ୍ରେୟସ ଆୟର ମଧ୍ୟ ଯୁବା ଖେଳାଳୀ ଅଟନ୍ତି।
ରିଷଭଙ୍କ ଉପରେ ନଜର

ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ ମୁମ୍ବାଇ ବିରୁଦ୍ଧରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ଓ ଆଗକୁ ମଧ୍ୟ ଠିକ ସେହିପରି ପ୍ରଦର୍ଶନ ଜାରି ରଖିବେ ବୋଲି ସମସ୍ତଙ୍କର ଆଶା ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ 288.88 ଷ୍ଟ୍ରାଇକ ରେଟରେ 27ବଲରେ 78ରନ କରିଥିବା ରିଷଭ ପନ୍ଥଙ୍କୁ ରୋକିବା ପାଇଁ ଧୋନି ନିଶ୍ଚିତ ପ୍ରୟାସ କରିବେ। ଏଥିପାଇଁ ରିଷଭଙ୍କୁ ଧୈର୍ଯ୍ୟର ସହ ବ୍ୟାଟିଙ୍ଗ କରିବାକୁ ପଡିବ। ଅନ୍ୟପଟେ ଚେନ୍ନାଇ ଦଳର ଅନୁଭବୀ ବ୍ୟାଟ୍ସମ୍ୟାନ ସେନ ୱାଟସନଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।
ସ୍ପିନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ
ଫିରୋଜ ଶାହ କୋଟଲାର ଏହି ଗ୍ରାଉଣ୍ଡରେ ମ୍ୟାଚ ଯେତେ ଆଗକୁ ବଢିବ ଏହାର ପିଚ୍ ମଧ୍ୟ ସେତେ ଧିମା ହୋଇଯିବ। ତେଣୁ ସ୍ପିନରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମାମଲାରେ ଚେନ୍ନାଇ ସୁପରକିଙ୍ଗ ଆଗରେ ରହିବ କାରଣ ଚେନ୍ନାଇ ପାଖରେ ହରଭଜନ ସିଂ, ଇମ୍ରାନ ତାହିର ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଅନୁଭବୀ ସ୍ପିନର ଅଛନ୍ତି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସରେ ଅକ୍ସର ପଟେଲ ଓ ରାହୁଲ ତିବେତିୟା ରହିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଏହି ମ୍ୟାଚ ମଙ୍ଗଳବାର ସନ୍ଧ୍ୟା 8ଟାରୁ ଆରମ୍ଭ ହେବ। ଏହାର ସିଧା ପ୍ରସାରଣ ଷ୍ଟାରସ୍ପୋର୍ଟ୍ସ ନେଟୱାର୍କ୍ସ ଓ ହଟଷ୍ଟାରରେ ଦେଖିପାରିବେ।