• padmabati kund

ନୂଆ ନିୟମ : ଛାତ୍ରଛାତ୍ରୀ ଉପସ୍ଥାନ ରିପୋର୍ଟ ଅଭିଭାଭକ ପାଇବେ ମୋବାଇଲରେ


(ବେତାର ବ୍ୟୁରୋ) ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ଦିନକୁ କେତୋଟି କ୍ଳାସରେ ଉପସ୍ଥିତ ରହୁଛନ୍ତି ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତି ବିଷୟରେ ସେମାନଙ୍କ ଅବିଭାବକଙ୍କୁ ଖବର ପହଞ୍ଚାଇବା ପାଇଁ ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ବିଦ୍ୟାଳୟର ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମୋବାଇଲ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଏହି ବ୍ୟବସ୍ଥା ଲାଗୁହେବା ପରେ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ କେହି ଠକି ପାରିବେ ନାହିଁ କିମ୍ବା କେହି ଛାତ୍ରଛାତ୍ରୀ କ୍ଳାସ ଚାଲୁଥିବା ସମୟରେ ବାହାରେ ବୁଲିପାରିବେ ନାହିଁ। ଫଳରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ସହିତ ଦୈନିକ କେତେଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ରହୁଛନ୍ତି ତାହାର ରିପୋର୍ଟ ବିଭାଗ ପାଖରେ ରହିପାରିବ। ପିଲାମାନେ ଦୈନିକ କେତୋଟି କ୍ଳାସ କରୁଛନ୍ତି ତାହା ମଧ୍ୟ ତାଙ୍କ ଅବିଭାବକ ମାନେ ଜାଣିପାରିବେ।

କେତେକ ବିଦ୍ୟାଳୟରେ ଦୈନିକ ଥରେ ଉପସ୍ଥାନ ଗ୍ରହଣ କରାଯାଉଥିବା ବେଳେ ଏଣିକି ପ୍ରତିଦିନ ବିଦ୍ୟାଳୟରେ ସମସ୍ତ କ୍ଳାସ ଆରମ୍ଭ ହେବା ଆଗରୁ ଊପସ୍ଥାନ ନିଆଯିବ ଓ ସେହିପରି କ୍ଳାସ ଶେଷରେ ଶ୍ରେଣୀରେ କେତେ ପିଲା ଉପସ୍ଥିତ ଥିଲେ ତାହାର ରିପୋର୍ଟ ପ୍ରଧାନ ଶିକ୍ଷକଙ୍କୁ ଦିଆଯିବ ଓ ଏହାପରେ ଅବିଭାବକଙ୍କୁ ମୋବାଇଲ ମାଧ୍ୟମରେ ଜଣାଇ ଦିଆଯିବ।ଏଥିପାଇଁ ଆସନ୍ତା ଶିକ୍ଷାବର୍ଷରୁ ପ୍ରତ୍ୟେକ ଅବିଭାବକ ଦୁଇଟି ମୋବାଇଲ ନମ୍ବର ପ୍ରଧାନଶିକ୍ଷକଙ୍କୁ ଦେବାକୁ ବାଧ୍ୟତାମୂଳକ କରାଯାଇଛି।

ଗତକିଛି ବର୍ଷ ହେବ ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ବାହାନାରେ ବାହାରେ ବୁଲାବୁଲି କରୁଛନ୍ତି ଓ ଅନେକ ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଫଳରେ ତାଙ୍କ ଅବିଭାବକମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏଥିପାଇଁ ଦାୟୀ କରିବା ସହିତ ପିଲାମାନେ ବିଦ୍ୟାଳୟ ନଆସିବା ଘଟଣା ଶିକ୍ଷକମାନେ କାହିଁକି ଜଣାଇଲେ ନାହିଁ ବୋଲି ଅଭିଯୋଗ କରିଥାନ୍ତି। ପ୍ରାୟ 20% ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ବାହାନାରେ ବାହାରେ ବୁଲାବୁଲି କରିଥାନ୍ତି।

ଏପରି ସମସ୍ୟାର ସମାଧାନ ପାଇଁ ଏହି ମୋବାଇଲ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ପ୍ରତିଦିନ ଅବିଭାବକଙ୍କୁ ପିଲାମାନଙ୍କର ଉପସ୍ଥାନ ସମ୍ପର୍କରେ ଅବଗତ କରାଯିବା ପରେ ପ୍ରତି ସପ୍ତାହର ଶନିବାର ଦିନ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନେ ସାପ୍ତାହିକ ରିପୋର୍ଟ ଗୋଷ୍ଠୀ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ପାଖରେ ଦାଖଲ କରିବେ। ବିଇଓ ପ୍ରତି 15ଦିନର ରିପୋର୍ଟ ଜିଲ୍ଲା ଅଧିକାରୀଙ୍କ ପାଖରେ ଦାଖଲ କରିବେ।

ପ୍ରତି ମାସର ଶେଷ ସପ୍ତାହର ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯିବ ଏବଂ ପ୍ରତି ତିନିମାସରେ ଉପସ୍ଥାନ ରିପୋର୍ଟ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପାଖରେ ଦାଖଲ କରାଯିବ ବୋଲି ଜଣାପଡିଛି। ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ସ୍ଵତନ୍ତ୍ର ସେଲ ରହିବ ବିଦ୍ୟାଳୟର ଜଣେ କର୍ମଚାରୀଙ୍କୁ ଏହି ଦାୟିତ୍ଵ ତୁଲାଇବା ପାଇଁ ଅତିରିକ୍ତ ଦାୟିତ୍ଵ ଦିଆଯିବ।

#school #newrule

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon