- padmabati kund
ନୂଆ ସଫଳତା : ମହାକାଶରେ ସାଟେଲାଇଟ ଧ୍ଵଂସ କରିବ ଏହି ଭାରତୀୟ ମିସାଇଲ୍

(ବେତାର ବ୍ୟୁରୋ) ଦେଶର ପ୍ରତିରକ୍ଷା ତଥା ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ବୈଜ୍ଞାନିକ ମାନେ ଏକ ବିଶେଷ ସଫଳତା ହାସଲ କରିଛନ୍ତି । ଭାରତ ମାତ୍ର ୩ ମିନିଟରେ ଏକ ଲିଓ (ଲୋ ଅର୍ଥ ଅରବିଟ) ସାଟେଲାଇଟକୁ କକ୍ଷପଥରୁ ଖସେଇବାରେ ସକ୍ଷମ ହୋଇଛି। ଏପରି ସଫଳତା ହାସଲ କରିବାରେ ଭାରତ ଚତୁର୍ଥ ଦେଶ ଭାବେ ମହାକାଶ ଇତିହାସରେ ତାର ନାମ ସାମିଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦେଶବାସୀଙ୍କୁ ସମ୍ବୋଧିତ କରିବା ସହିତ ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତର ଏହି ସଫଳତା ବିଷୟରେ ସୂଚନା ଦେଇଥିଲେ
‘ମିଶନ୍ ଶକ୍ତି’ ନାମକ ଏହି ୩ ମିନିଟର ଅଭିଯାନ ପରେ ଭାରତ `ସ୍ପେଶ୍ ସୁପର ଲିଗ୍’ରେ ସାମିଲ ହୋଇଛି। ପୃଥିବୀ ପୃଷ୍ଠଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ପରୀକ୍ଷାମୂଳକ ଭାବେ ଏ-ସ୍ୟାଟ (ଆଣ୍ଟି) ମିସାଇଲ ଜରିଆରେ ଧ୍ୱଂସ କରାଯାଇଛି। ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ରାଷ୍ଟ୍ର। ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍ ଥିଲା। ଏହା ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ।
ଏହା ଏକ ବିରଳ ସଫଳତା ଅଟେ । କାରଣ 300 କିମି ଦୂର ମହାକାଶରେ ଘୂର୍ଣ୍ଣନ ଅବସ୍ଥାରେ ଥିବା କୌଣସି ଉପଗ୍ରହକୁ ମାରି ଖସାଇବା ପାଇଁ ଅତ୍ୟନ୍ତ ଉନ୍ନତ ଜ୍ଞାନକୌଶଳର ଆବଶ୍ୟକତା ରହିଛି ଯାହାକୁ ଆମ ଦେଶରେ ଗବେଷଣା କରି ବିକଶିତ କରାଯାଇଛି । ଏହି କୌଶଳ 2012ରୁ ପ୍ରାପ୍ତ ହେଇଥିଲେ ମଧ୍ୟ ଏହାର ପରୀକ୍ଷା ନିମନ୍ତେ ସରକାର ଅନୁମତି ଦେଉ ନ ଥିଲେ ।
ଭାରତକୁ ଫାଇଦା
ଏହି ସଫଳତା ଯୁଦ୍ଧ ସମୟରେ ବିଶେଷ କରି ପାକିସ୍ତାନ ସହିତ ଯୁଦ୍ଧ ସମୟରେ ବିଶେଷ କାମରେ ଆସିପାରେ । ସଙ୍କଟ ପରିସ୍ଥିତିରେ ପାକିସ୍ତାନୀ ସେନାକୁ ସୂଚନା ପ୍ରଦାନ କରୁଥିବା ସାଟେଲାଇଟକୁ ମାରି ଖସାଇବା ଏବେ ଭାରତ ପକ୍ଷେ ସମ୍ଭବପର ହେବ । ଅପର ପକ୍ଷେ ପାକିସ୍ତାନ ନିକଟରେ ଏଭଳି ସୁବିଧା ନ ଥିବାରୁ ଭାରତ ସୁବିଧାଜଣକ ସ୍ଥିତିରେ ରହିବ ।
ଏହା ଭାରତର ସୁରକ୍ଷା, ଅର୍ଥନୀତିକ ପ୍ରଗତି ଏବଂ ଟେକ୍ନୋଲୋଜି ବିକାଶରେ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ପଦକ୍ଷେପ କୌଣସି ଦେଶକୁ ଲକ୍ଷ୍ୟ କରି ନିଆଯାଇନାହିଁ ବରଂ ଆତ୍ମରକ୍ଷା ସେବା ଆପଣାଇବା ପାଇଁ ଏହା ଏକ ଉଦ୍ୟମ ଅଟେ। ଏହି ଅପରେସନ କୌଣସି ପ୍ରକାର ସନ୍ଧିର ଉପଯୋଗ କରୁନାହିଁ ଓ ଏହା ବିକାଶ କ୍ଷେତ୍ର ଦେଶକୁ ନୂଆ ଦିଗ ଦେଖାଇବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ ଯେ, ବର୍ତ୍ତମାନ ସମୟରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଉପଗ୍ରହ ରହିଛି ଯାହାକି କୃଷି, ବିପର୍ଯ୍ୟୟ, ଯୋଗାଯୋଗ, ପାଣିପାଗ ଏବଂ ଦିଗ ନିର୍ଦ୍ଧାରଣ ଆଦି କ୍ଷେତ୍ରରେ ବ୍ୟାପକ ଯୋଗଦାନ ଦେଉଛନ୍ତି।
ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଡିଆରଡିଓର ବୈଜ୍ଞାନିକ ଏବଂ
ଗବେଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଏକ ମହାକାଶ ଶକ୍ତି ଭାବେ ବହୁ ଉପଲବ୍ଧିର ଅଧିକାରୀ ହୋଇଥିବା ସହ ଆଜି ଅନ୍ତରୀକ୍ଷ ମହାଶକ୍ତି ଭାବେ ପୃଥିବୀ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି। ମହାକାଶ ଓ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଜି ଏକ ନୂଆ ଇତିହାସ ରଚନା କରିଛି।