• ବେତାର ବ୍ୟୁରୋ

କଫ୍ ସିରପ ନିଶାରେ ଉବୁଟୁବୁ ରାଜଧାନୀ; ଗୋଦାମ ଠାବ


(ବେତାର ବ୍ୟୁରୋ) ରାଜଧନୀ ଭୁବନେଶ୍ଵରରେ ଦିନକୁ ଦିନ ବେଆଇନ ମଦ ଓ ବ୍ରାଉନସୁଗାରର ଅବାଧ କାରବାର ବଢି ଚାଲିଥିବା ବେଳେ ଏବେ ନିଶା ଔଷଧ ବିପୁଳ ଭାବରେ ବ୍ୟବହାର ହେଉଥିବା ଖବର ସାମ୍ନାକୁ ଆସିଛି। ମଙ୍ଗଳବାର ଦିନ ଭୁବନେଶ୍ଵର-କଟକରୁ କମିଶନରେଟ ପୋଲିସ 26ହଜାର 5ଶହ କଫ୍ ସିରପ (କାଶ ଔଷଧ) ବୋତଲ ଜବତ କରିବା ପରେ ରାଜଧାନୀରେ ଏହା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି।

କଟକରୁ ଏହି କଫ୍‌ ସିରପ୍‌ ଭୁବନେଶ୍ଵର ଆସୁଛି ଓ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହି ରାକେଟ୍‌ ପରିଚାଳନା କରୁଛି ବୋଲି ଖବର ପହଞ୍ଚିବା ପରେ ବଡ଼ଗଡ଼ ଥାନା ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା । କଟକରେ ଥିବା ଷ୍ଟକିଷ୍ଟ ଉପରେ ଚଢ଼ଉ କରି ୨୬ ହଜାର ୫ଶହ ବୋତଲ କଫ୍ ସିରପ୍‌ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା କଫ୍ ସିରଫର ମୂଲ୍ୟ ପାଖାପାଖି ୩୩ ଲକ୍ଷ ୨୧ହଜାର ଟଙ୍କା ହେବ ଓ ଏଥିରେ ୫ପ୍ରକାର ବ୍ରାଣ୍ଡ ରହିଛି।  

ଜବତ ହୋଇଥିବା କଫ୍ ସରିପ ମଧ୍ୟରେ ପ୍ରତି ୧୦୦ ମିଲିଲିଟର ବୋତଲରେ ୨୦୦ମିଲିଗ୍ରାମ୍‌ କୋଡିନ୍‌ (ନିଶାଦ୍ରବ୍ୟ) ରହିଛି। ଜବତ ୨୬ହଜାର ୫ଶହ ବୋତଲରେ ମୋଟ ୫ କେଜି ୩ଶହ ଗ୍ରାମ୍‌ କୋଡିନ୍‌ ରହିଛି। ଏଭଳି ପ୍ରଚୁର ମାତ୍ରାରେ ‌କୋଡିନ୍‌ ଥିବାରୁ ଏହି ବେପାରୀମାନେ ଅଭ୍ୟାସଗତ ଯୁବଗୋଷ୍ଠୀଙ୍କୁ ଟାର୍ଗେଟ କରିବା ସହ ମୋଟା ଅଙ୍କର ଲାଭ ନେଇ ମାଲାମାଲ ହେଉଥିବା ଜଣାପଡ଼ିଛି।

ପୁଲିସ ସୂଚନା ମୁତାବକ, ସୋମବର  ରାତିରେ ଏଭଳି ନିଶା ଔଷଧ ଆଣି ସେକ୍‌ ଆଝାରୁଦ୍ଦିନ୍‌ ନାମକ ଜଣେ ଯୁବକ ଭୁବନେଶ୍ଵର ଆସୁଥିବା ପୁଲିସ ଖବର ପାଇଥିଲା। ଶେଖ୍ ଆଝାରୁଦ୍ଦିନ୍‌ କଳ୍ପନା ଛକରେ ପହଞ୍ଚିବା ବେଳେ ସେଠାରୁ ପୂର୍ବରୁ ଛପି ରହିଥିବା ବଡ଼ଗଡ଼ ଥାନା ପୁଲିସର ଏକ ଟିମ୍‌ ତାକୁ ଗିରଫ କରିଥିଲା। ତା’ଠାରୁ ୩୨୦ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ କରାଯାଇଥିଲା। ଏକ ମୋପେଡ୍‌ରେ ପେଟିକୁ ବାନ୍ଧି ସେ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଯାଉଥିବା ବେଳେ ଧରା ପଡ଼ିଥିଲା ଓ ତା’ଠାରୁ ଏହି ବେପାରର ମୂଳ ଠିକଣା ଜଣାପଡ଼ିଥିଲା।

ଏହାପରେ ବିଳମ୍ବିତ ରାତିରେ ପୁଲିସ କଟକର ନନ୍ଦି ସାହିରେ ଥିବା ଅଜୟ ଫାର୍ମା ଉପରେ ଚଢ଼ଉ କରିଥିଲା। କଟକର ଅଜୟ ଫାର୍ମା ମାଲିକ ଏହାକୁ ଷ୍ଟକ୍‌ ରଖୁଥିବା ବେଳେ ଅନ୍ୟ ଯୁବକମାନେ ଏହାକୁ ବିଭିନ୍ନ ସ୍ଥାନରେ ପହଞ୍ଚାଇବା ବ୍ୟବସ୍ଥା କରନ୍ତି ବୋଲି ପୁଲିସ କହିଛି। ବିନା ପ୍ରେସକ୍ରିପସନରେ ସେ ଏହି ସବୁ ଔଷଧକୁ ଖୁଚୁରା ଦୋକାନୀଙ୍କୁ ଯୋଗାଇଥାନ୍ତି।

ଅନ୍ୟପଟେ ରାଜଧାନୀ ଭୁବନେଶ୍ଵରରେ ଏତେ ପରିମାଣର କଫ୍  ସିରପ ଜବତ ହେବା ପରେ ଭେଷଜ ନିୟନ୍ତ୍ରକ ବିଭାଗ ଚିନ୍ତାରେ ପଡିଛି। ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ତିନିଜଣ ଭେଷଜ ନିରୀକ୍ଷକ ବଡଗଡ ଥାନାରେ ଅଭିଯୁକ୍ତଙ୍କୁ ପଚରାଉଚୁରା କରୁଛନ୍ତି। ଯେଉଁ କାମ ଭେଷଜ ନିୟନ୍ତ୍ରକ ବିଭାଗର ତାହା ପୋଲିସ ବିଭାଗ କରିବା ପରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

#crime #bhubaneswar #cuttuck #cupsyrupceasecase

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon