• padmabati kund

ଆଇପିଏଲ 2019 : ମୁମ୍ବାଇ ବନାମ ବାଙ୍ଗାଲୋର ମ୍ୟାଚରେ କୋହଲି- ବୁମରାହ ହେବେ ସାମ୍ନାସାମ୍ନି


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ଵାଦଶ ସଂସ୍କରଣରେ ସପ୍ତମ ମ୍ୟାଚ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଏହା ଉଭୟ ଦଳର ଦ୍ଵିତୀୟ ମ୍ୟାଚ ଅଟେ। ସିଜିନର ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଓ ମୁମ୍ବାଇ ଦଳ ହାରିବା ପରେ ଏହି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିବା ପାଇଁ ଉଭୟ ଦଳ ଲକ୍ଷ୍ୟ ରଖିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ 23ଟି ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚ ମଧ୍ୟରୁ ମୁମ୍ବାଇ 14ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ବାଙ୍ଗାଲୋର 9ଟି ମ୍ୟାଚରେ ବିଜୟୀ ହୋଇଛି। ଚିନ୍ନାସ୍ଵାମୀ ଷ୍ଟାଡିୟମରେ ବାଙ୍ଗାଲୋର ମୋଟ 81ଟି ମ୍ୟାଚ ଖେଳିଥିବା ବେଳେ 39ଥର ବିଜୟୀ ହୋଇଛି ଓ 37ଟି ମ୍ୟାଚରେ ପରାଜୟ ହୋଇଛି। ଅନ୍ୟପଟେ ମୁମ୍ବାଇ ଦଳ ଏହି ଷ୍ଟାଡିୟମରେ ଖେଳିଥିବା ମୋଟ 13ଟି ମ୍ୟାଚ ମଧ୍ୟରୁ 9ଟି ମ୍ୟାଚରେ ବିଜୟୀ ହୋଇଛି।

ବିରାଟ କୋହଲି ବନାମ ଜସପ୍ରିତ ବୁମରାହ

ଏହି ମ୍ୟାଚରେ ଦୁନିଆର ଏକଦିବସୀୟ କ୍ରିକେଟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ସର୍ବଶ୍ରେଷ୍ଠ ବୋଲର ଜସପ୍ରିତ ବୁମରାହଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। ଏହି ଦୁଇ ଖେଳାଳୀ ଯେତେବେଳେ ସାମ୍ନାସାମ୍ନି ହେବେ ତାହା ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ମ୍ୟାଚରେ ସେତେଟା ଭଲ ପ୍ରଦର୍ଶନ କରିପାରିନଥିବା ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ବାଙ୍ଗାଲୋର ଦଳ ଅଧିକ ନିର୍ଭର କରିବ। ଅନ୍ୟପଟେ ମୁମ୍ବାଇର ବୋଲର ଜସପ୍ରିତ ବୁମରାହଙ୍କ କାନ୍ଧରେ ପ୍ରଥମ ମ୍ୟାଚରେ ଆଘାତ ଲାଗିଥିଲା କିନ୍ତୁ ବର୍ତ୍ତମାନ ସେ ସଂପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯାଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସ ବିରୁଦ୍ଧରେ ମୁମ୍ବାଇ ତାହାର ପ୍ରଥମ ମ୍ୟାଚରେ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ। ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ମାନେ ସେତେ ଭଲ ପ୍ରଦର୍ଶନ କରିନଥିଲେ। ତେବେ ଏସବୁ ଭୁଲି ବାଙ୍ଗାଲୋର ବିପକ୍ଷରେ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନ ମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଦିଲ୍ଲୀ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିବା ମୁମ୍ବାଇର ଖେଳାଳୀ ଯୁବରାଜ ସିଂ ଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଏହାର ପ୍ରଥମ ମ୍ୟାଚରେ ଚେନ୍ନାଇ ଠାରୁ ଲଜ୍ଜ୍ୟାଜନକ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ମ୍ୟାଚରେ ବାଙ୍ଗାଲୋର ଦଳ 70ରନରେ ହିଁ ଅଲଆଉଟ ହୋଇଯାଇଥିଲେ ଯାହାକି ଆଇପିଏଲ ଇତିହାସରେ ଷଷ୍ଠ ସର୍ବନିମ୍ନ ସ୍କୋର ଅଟେ। ଏସବୁ ସତ୍ତ୍ୱେ ବାଙ୍ଗାଲୋର ମୁମ୍ବାଇଆ ବିରୁଦ୍ଧରେ ନିଜ ଘରୋଇ ଷ୍ଟାଡିୟମରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରହିଛି ଓ ୟୁଜବେନ୍ଦ୍ର ଚହଲ, ଏବି ଡିଭିଲିୟର୍ସଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ମାଲିଙ୍ଗାଙ୍କ ଉପସ୍ଥିତିରେ ମୁମ୍ବାଇ ଦଳ ମଜଭୁତ

ମୁମ୍ବାଇ ଇଣ୍ଡିଆନ୍ସରେ ଶ୍ରୀଲଙ୍କାର ବୋଲର ଲାସିଥ ମାଲିଙ୍ଗାଙ୍କର ପ୍ରତ୍ୟାବର୍ତ୍ତନ ହୋଇଛି। ଶ୍ରୀଲଙ୍କା କ୍ରିକେଟ ତରଫରୁ ମାଲିଙ୍ଗାଙ୍କୁ ଖେଳିବା ପାଇଁ ମଙ୍ଗଳବାର ଦିନ ଅନୁମତି ପ୍ରଦାନ କରାଯାଇଛି। ତେବେ ଲାସିଥ ମାଲିଙ୍ଗା ମୁମ୍ବାଇ ଦଳରେ ସାମିଲ ହେବା ପରେ ମୁମ୍ବାଇର ସ୍ଥିତି ବର୍ତ୍ତମାନ ମଜଭୁତ ରହିଛି।

ବାଙ୍ଗାଲୋର ଓ ମୁମ୍ବାଇ ମଧ୍ୟରେ ଏହି ମ୍ୟାଚ ଗୁରୁବାର ସନ୍ଧ୍ୟା 8ଟାରୁ ଆରମ୍ଭ ହେବ ଓ ଏହାର ସିଧାପ୍ରସାରଣ ଷ୍ଟାରସ୍ପୋର୍ଟ୍ସ ନେଟୱାର୍କ ଓ ହଟଷ୍ଟାରରେ ଦେଖିପାରିବେ। ଏହି ମ୍ୟାଚରେ ବିଜୟ ହାସଲ କରି ପାଇଁ ଉଭୟ ଦଳ ଲକ୍ଷ୍ୟ ରଖିବ।

#Cricket #ipl2019 #RCBVsMI

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon