• padmabati kund

ଗ୍ରୀଷ୍ମ ମୁକାବିଲା : ବିଦ୍ୟୁତ କାଟ୍ ମନା, ସକାଳ 6ରୁ 10.30 ପର୍ଯ୍ୟନ୍ତ ଚାଲିବ ସ୍କୁଲ


(ବେତାର ବ୍ୟୁରୋ) ଗ୍ରୀଷ୍ମଋତୁ ଆରମ୍ଭ ହୋଇଗଲାଣି। ଏହାସହିତ ଖରା ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିଛି। ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟରେ ବସିଥିବା ପ୍ରସ୍ତୁତି ବୈଠକରେ ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ୍, ଶ୍ରମିକମାନଙ୍କ କାମ କରିବା ସମୟ ଓ ବିଦ୍ୟାଳୟ ସମୟସୀମାକୁ ନେଇ ଅନେକ ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ବିଦ୍ୟୁତ୍‌ କାଟ୍‌ ହେବନି। ବିଗତବର୍ଷଗୁଡ଼ିକ ତୁଳନାରେ ଏଥର ରାଜ୍ୟରେ ବିଦ୍ୟୁତ୍‌ ଚାହିଦା ଓ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାସତ୍ତ୍ୱେ ବି ଗରମ ସମୟରେ ବିଦ୍ୟୁତ୍‌ କାଟ୍‌ କରାଯିବ ନାହିଁ ବୋଲି ଶକ୍ତି ବିଭାଗ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି।

ଏହାବ୍ୟତୀତ ଗ୍ରୀଷ୍ମ ସମୟ‌ ଅର୍ଥାତ୍‌ ମେ’ ୧ରୁ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଶ୍ରମିକମାନେ ବାହାରେ ପରିଶ୍ରମ କରିବେ ନାହିଁ। ସେହିପରି ବିଦ୍ୟାଳୟ ସକାଳ ୬ଟାରୁ ଦିନ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ। ଦିନ ୧୧ଟା ସୁଦ୍ଧା ଯେମିତି ଛାତ୍ରଛାତ୍ରୀମାନେ ଘରେ ପହଞ୍ଚିବେ ସେଥିପ୍ରତି ବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ଵ ଦେବେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ପୂର୍ବାହ୍ନ ୧୦.୩୦ ପର୍ଯ୍ୟନ୍ତ ଚାଲିବ। ଯଦି କୌଣସି ସ୍ଥାନରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏହି ନିୟମ ଉଲ୍ଲଂଘନ କରନ୍ତି ‌ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସରକାରୀ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କର ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି। ଏଥିସହ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଅଂଶୁଘାତ ଚିକିତ୍ସା କେନ୍ଦ୍ରଗୁଡ଼ିକୁ ଅନବରତ ବିଦ୍ୟୁତ୍‌ ଯୋଗାଣ ବଜାୟ ରଖିବାକୁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ ଅନୁସାରେ ବସ୍‌ ଓ ଯାତ୍ରୀବାହୀ ଯାନଗୁଡ଼ିକର ଚଳାଚଳ ନିୟନ୍ତ୍ରିତ କରିବା ପଇଁ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବସ୍‌ରେ ଓଆର୍‌ଏସ୍‌ ପ୍ୟାକେଟ୍‌, ନିରାପଦ ପାନୀୟ ଜଳ ଓ ଫାଷ୍ଟ-ଏଡ୍‌ ଆଦିର ଉପଯୁକ୍ତ ବ୍ୟବସ୍ଥା କରିବାକୁ ବସ୍‌ ମାଲିକମାନଙ୍କୁ କୁହାଯାଇଛି।

ଦୈନିକ ଗ୍ରୀଷ୍ମ ପ୍ରବାହ ସ୍ଥିତିର ଅନୁଧ୍ୟାନ, ପ୍ରାକ୍‌ ସତର୍କ ସୂଚନା ପ୍ରସାରଣ, ପଶୁପକ୍ଷୀମାନଙ୍କ ପାଇଁ ନଳକୂପ ଓ ପାଇପ୍‌ ଜଳ ଯୋଗାଣ ପୋଷ୍ଟ ପାଖରେ କୁଣ୍ଡ ନିର୍ମାଣ, ଜଳଛତ୍ର ସ୍ଥାପନ, ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ପୋଖରୀ ଓ କୁଣ୍ଡ ଆଦିରେ ପାଣି ରଖିବା, କ୍ଷେତ୍ରସ୍ତରରେ ଅନ୍ତଃ ବିଭାଗୀୟ ସମନ୍ଵୟ ମାଧ୍ୟମରେ ପରିସ୍ଥିତିର ମୁକାବିଲା ପରି ବିଷୟରେ ବୈଠକରେ ଆଲୋଚନା ହୋଇଛି।

ସଚିବାଳୟଠାରେ ଅନୁଷ୍ଠିତ ବୈଠକରେ ସମସ୍ତ ନଳକୂପ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହ ଲଗାତାର ମରାମତି ଓ ରକ୍ଷଣାବେକ୍ଷଣ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଵେଚ୍ଛାସେବୀ ଅନୁଷ୍ଠାନ ଓ ନାଗରିକ ସମିତିମାନଙ୍କୁ ସାମିଲ କରି ଗ୍ରାମ ଓ ପଞ୍ଚାୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି।

#summer #odishagovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon