• padmabati kund

ବଲିଉଡ ବେତାର : ପୁଣିଥରେ ବାଇକର୍ ଭୂମିକାରେ ଜନ୍ ଆବ୍ରାହମ


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଜନ ଆବ୍ରାହମ ନିଜର ଅଭିନୟ ପାଇଁ ବଲିଉଡ ଇଣ୍ଡଷ୍ଟ୍ରୀରେ ଖୁବ ପରିଚିତ। ତାଙ୍କ ଅଭିନୀତ ଫିଲ୍ମ ‘ଧୂମ’କୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ। ଏହାପରେ ସେ ଅନେକ ଆକ୍ସନ ଫିଲ୍ମରେ ଅଭିନୟ କରିଛନ୍ତି। ଆକ୍ସନ ଫିଲ୍ମ କରିବା ସହିତ ଜନଙ୍କର ବାଇକ୍ ପ୍ରତି ଭଲ ପାଇବା ସମସ୍ତଙ୍କୁ ଜଣା। ତେବେ ‘ଧୂମ’ ଫିଲ୍ମ ପରେ ପୁଣିଥରେ ଜନଙ୍କୁ ପରଦାରେ ଏକ ବାଇକର୍ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ।

ଜନ୍ ଆବ୍ରାହମ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ପୋଷ୍ଟ କରି ତାଙ୍କର ଏହି ଆଗାମୀ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ସେ ପୋଷ୍ଟ କରି ଲେଖିଛନ୍ତି, “ଏହା ଏପରି ଏକ କାହାଣୀ, ଯାହାକି ମୋ ହୃଦୟର ବହୁତ ନିକଟତର। ଏହି ଫିଲ୍ମକୁ ନେଇ ବହୁତ ଉତ୍ସୁକ ରହିଛି। ଫିଲ୍ମର ସୁଟିଙ୍ଗ ୨୦୧୯ ଜୁଲାଇ ମାସରେ ଆରମ୍ଭ ହେବ।“ ଏହାସହିତ ଜନ୍ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଜନ୍ ଏହି ଫିଲ୍ମରେ ଅଭିନୟ କରିବା ସହିତ କୋ-ପ୍ରଡ୍ୟୁସର ଭାବରେ ମଧ୍ୟ କାମ କରିବେ।

ଜନଙ୍କ କହିବା ମୁତାବକ ଦୀର୍ଘ ଦୁଇବର୍ଷ ଧରି ସେ ଏହି ଫିଲ୍ମର କାହାଣୀ ପ୍ରସ୍ତୁତ କରିବା ପରେ ଏକ ସୁନ୍ଦର କାହାଣୀ ପ୍ରସ୍ତୁତ ହୋଇଛି। ଜନ୍ ଆବ୍ରାହମଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ରେନ୍ସିଲ ଡିସିଲ୍ବା ଓ ଏହାର ପ୍ରଯୋଜନା ଦେବେ ଅଜୟ କପୁର। ଜନ୍ ଏହା ପୂର୍ବରୁ ‘ପରମାଣୁ’ରେ ମଧ୍ୟ ଅଜୟ କପୁରଙ୍କ ସହିତ କାମ କରିଛନ୍ତି ଏବଂ ତାଙ୍କର ଆଗାମୀ ଫିଲ୍ମ ‘RAW’ରେ ମଧ୍ୟ ଅଜୟ କପୁର ପ୍ରଯୋଜନା ଦେଇଛନ୍ତି।

ତେବେ ବାଇକର୍ ଜୀବନୀ ଉପରେ ଆଧାରିତ ଜନଙ୍କର ଏହି ଆଗାମୀ ଫିଲ୍ମର ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଜନଙ୍କ ସହିତ ଏହି ଫିଲ୍ମରେ କାମ କରିବାକୁ ନେଇ ନିର୍ଦ୍ଦେଶକ ରେନ୍ସିଲ ଡିସିଲ୍ବା କହିଛନ୍ତି ଯେ, ଏହି ଫିଲ୍ମରେ ଜନ୍ ସହିତ କାମ କରି ମୋର ବହୁ ଦିନର ସ୍ଵପ୍ନ ସତ ହୋଇଛି। ଏହା ପୂର୍ବରୁ ସେ ‘ଧୂମ’ ଫିଲ୍ମରେ ବାଇକ ଚଲାଉଥିବାର ନଜର ଆସିଛନ୍ତି। ଏହାସହିତ ଫିଲ୍ମରେ ଛଅଥର ବିଶ୍ଵମୋଟର ସାଇକେଲ ଚାମ୍ପିୟନ ହୋଇଥିବା ପିଟର ଡ୍ୟୁକ ମଧ୍ୟ କାମ କରିବେ।

ତେବେ ବର୍ତ୍ତମାନ ଜନ୍ ନିଜର ଆଗାମୀ ଫିଲ୍ମ ‘ରୋମିଓ, ଆକବର,ୱାଲ୍ଟର’(RAW)ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି। ଜନଙ୍କର ଅଭିନୀତ ଏହି ଫିଲ୍ମ ଆସନ୍ତା ଏପ୍ରିଲ ୧୨ ତାରିଖରେ ରିଲିଜ ହେବ। ଏଥିରେ ଜନ ଏକ ଗୁପ୍ତଚର ଭୂମିକାରେ ଅଭିନୟ କରିଛନ୍ତି ଓ ଏଥିରେ ଜନଙ୍କର ୨୮ଟି ଅଲଗା ଅଲଗା ଲୁକ୍ ଦେଖିବାକୁ ମିଳିବ। ଏହି ଫିଲ୍ମ ବ୍ୟତୀତ ଜନ୍ ‘ପାଗଲପନ୍ତି’ ଓ ‘ୱାଟଲା ହାଉସ’ରେ ମଧ୍ୟ ଅଭିନୟ କରିବେ।

#entertainmetnt #bollywoodsuperhit #johnabraham

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon