• padmabati kund

ଆଇପିଏଲ : ରାଜସ୍ଥାନ ଓ ହାଇଦ୍ରାବାଦ ମ୍ୟାଚରେ ଏହି ପାଞ୍ଚ ଖେଳାଳୀଙ୍କ ଉପରେ ରହିବ ନଜର


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ୍ 2019ରେ ଅଷ୍ଟମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ (SRH) ଓ ରାଜସ୍ଥାନ ରୟାଲ୍ସ(RR) ମଧ୍ୟରେ ଖେଳାଯିବ। ହାଇଦ୍ରାବାଦର ରାଜୀବଗାନ୍ଧୀ ଇଣ୍ଟରନାସିନାଲ ଷ୍ଟାଡିୟମରେ ଶୁକ୍ରବାର ଖେଳାଯିବାକୁ ଥିବା ଏହି ମ୍ୟାଚରେ ଉଭୟ ଦଳ ବିଜୟ ହେବା ପାଇଁ ଲକ୍ଷ୍ୟ ରଖିବ। ଉଭୟ ଦଳ ସିଜିନର ପ୍ରଥମ ମ୍ୟାଚରେ ପରାଜୟ ହୋଇଛନ୍ତି।

ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ମୋଟ 9ଟି ମ୍ୟାଚ ଖେଲାଯାଇଛି, ସେଥିମଧ୍ୟରୁ ହାଇଦ୍ରାବାଦ 5ଟି ମ୍ୟାଚ ଜିତିଥିବା ବେଳେ ରାଜସ୍ଥାନ 4ଟି ମ୍ୟାଚରେ ବିଜୟୀ ହୋଇପାରିଛି। ତେବେ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ହେଲେ ଉଭୟ ଦଳର ଖେଳାଳୀଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ନିଜ ଦଳକୁ ଜିତାଇବା ପାଇଁ କେଉଁ ଖେଳାଳୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ଆସନ୍ତୁ ଜାଣିବା।

ଡେଭିଡ ୱାର୍ଣ୍ଣର

ବଲ୍ ଟ୍ୟାମ୍ପରିଙ୍ଗ କେସରେ ଏକବର୍ଷ ପାଇଁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆର ଏହି ଖେଳାଳୀ ଆଇପିଏଲର ଗତ ସିଜିନରେ ଖେଳିପାରିନଥିଲେ। ତେବେ ଚଳିତ ସିଜିନରେ ଧମକାଦାର ଆରମ୍ଭ କରିଛନ୍ତି। କୋଲକାତା ନାଇଟ୍ ରାଇଡ଼ର୍ସ ବିରୁଦ୍ଧରେ ପ୍ରଥମ ମ୍ୟାଚରେ 53ଟି ବଲରେ 85ରନ୍ ସଂଗ୍ରହ କରିଥିଲେ। ଆଇପିଏଲରେ ସନରାଇଜର୍ସକୁ ଭଲ ପ୍ରଦର୍ଶନ କରିବା ପାଇଁ ହେଲେ ଏହି ଖେଳାଳୀଙ୍କୁ ଲଗାତର ଭଲ ପ୍ରଦର୍ଶନ କରିବାକୁ ପଡିବ।

ଷ୍ଟିଭ ସ୍ମିଥ

ଅଷ୍ଟ୍ରେଲିଆର ଅନ୍ୟତମ ଖେଳାଳୀ ଷ୍ଟିଭ ସ୍ମିଥ ମଧ୍ୟ ଏକବର୍ଷ ପାଇଁ ବଲ୍ ଟ୍ୟାମ୍ପରିଙ୍ଗ କେସରେ ବାସନ୍ଦ ହୋଇଥିଲେ। ଏହାପରେ ରାଜସ୍ଥାନ ଦଳରେ ଫେରିବା ପରେ ଚଳିତ ସିଜିନର ପ୍ରଥମ ମ୍ୟାଚରେ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ। ପଞ୍ଜାବ ବିରୁଦ୍ଧରେ ପ୍ରଥମ ମ୍ୟାଚରେ 16 ବଲରେ 20ରନ କରିପାରିଥିଲେ। ତେବେ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ରାଜସ୍ଥାନ ଦଳକୁ ଜିତାଇବାର ଲକ୍ଷ୍ୟ ରଖିବେ।

ଭୁବନେଶ୍ଵର କୁମାର

ଶେଷ ଓଭରରେ ଚମତ୍କାର ବୋଲିଙ୍ଗ କରୁଥିବା ସନରାଇଜର୍ସ ହାଇଦ୍ରାବାଦର ବୋଲର ଭୁବନେଶ୍ଵର କୁମାର କୋଲକାତା ବିରୁଦ୍ଧରେ ପ୍ରଥମ ମ୍ୟାଚରେ କୌଣସି ୱିକେଟ ନେବାରେ ସଫଳ ହୋଇନଥିଲେ। ସେ 4ଓଭର ବୋଲିଙ୍ଗ କରି 37ରନ ଦେଇଥିଲେ। ତେବେ ରାଜସ୍ଥାନ ବିରୁଦ୍ଧ ମ୍ୟାଚରେ ଭୁବନେଶ୍ଵରଙ୍କ ପ୍ରଦର୍ଶନ ହାଇଦ୍ରାବାଦ ଦଳଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।

ଜୋସ ବଟଲର

ରାଜସ୍ଥାନ ଦଳର ଏହି ୱିକେଟକିପର ବ୍ୟାଟ୍ସମ୍ୟାନ ଚଳିତ ସିଜିନରେ ଖୁବ ଚମତ୍କାର ଭାବରେ କରିଛନ୍ତି। ପଞ୍ଜାବ ବିରୁଦ୍ଧରେ 69ରନର ଇନିଙ୍ଗ୍ସ ଖେଳିଥିଲେ। କିନ୍ତୁ ଅଶ୍ୱିନଙ୍କ ଦ୍ଵାରା ମାଙ୍କଡିଙ୍ଗ ହୋଇ ଆଉଟ ହେବା ପରେ ଜୋସ ବଟଲରଙ୍କ ଦଳ ମଧ୍ୟ ହାରିଯାଇଥିଲା। ଏହି ଆଉଟକୁ ନେଇ ପରେ ଅନେକ ବିବାଦ ମଧ୍ୟ ଦେଖାଦେଇଥିଲା। ତେବେ ଏହି ସବୁ ବିବାଦକୁ ପଛରେ ପକାଇ ବଟଲର ପୁଣି ଥରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇବାର ଲକ୍ଷ୍ୟ ରଖିବେ।

ବେନ୍ ଷ୍ଟୋକ୍ସ

ଚଳିତ ସିଜିନ ପାଇଁ ଅକ୍ସନରେ ରାଜସ୍ଥାନ ଦଳ ବେନ୍ ଷ୍ଟୋକ୍ସଙ୍କୁ 12କୋଟି 50ଲକ୍ଷ ଟଙ୍କାରେ କିଣିଥିଲା। କିନ୍ତୁ ପଞ୍ଜାବ ବିରୁଦ୍ଧରେ ପ୍ରଥମ ମ୍ୟାଚରେ ବେନ୍ ଷ୍ଟୋକ୍ସ ସାମାନ୍ୟ ମହଙ୍ଗା ରହିଥିଲେ। ସେ 4ଓଭରରେ ମୋଟ 48ରନ୍ ଦେଇଥିଲେ ଓ ଦୁଇଟି ୱିକେଟ ମଧ୍ୟ ସେ ନେଇଥିଲେ। ତେବେ ହାଇଦ୍ରାବାଦ ବିରୁଦ୍ଧରେ ବେନ୍ ଷ୍ଟୋକ୍ସ ୱିକେଟ ନେବା ସହିତ କମ ରନ ଦେବାର ଲକ୍ଷ୍ୟ ରଖିବେ।

ସନ ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏହି ମ୍ୟାଚ ଶୁକ୍ରବାର ସନ୍ଧ୍ୟା 8ଟାରେ ଖେଳାଯିବ। ଏହାର ସିଧାପ୍ରସାରଣ ଷ୍ଟାରସ୍ପୋର୍ଟ୍ସ ନେଟୱାର୍କ ଓ ହଟଷ୍ଟାରରେ ଦେଖିପାରିବେ।

#cricket #ipl2019 #SRHVsRR

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon