- padmabati kund
ଅଯଥା ଖର୍ଚ୍ଚକୁ ନେଇ ଚିନ୍ତିତ ? ଏହି 5 ଉପାୟରେ ରୋକିପାରିବେ

(ବେତାର ବ୍ୟୁରୋ) ଆପଣ କେତେଟଙ୍କା ରୋଜଗାର କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ହୋଇନଥାଏ ବରଂ ରୋଜଗାର କରୁଥିବା ଟଙ୍କାରୁ କେତେ ସଞ୍ଚୟ କରୁଛନ୍ତି ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆପଣ ଅର୍ଥ ସଞ୍ଚୟ କରିବା ପାଇଁ ଯେତେ ଚେଷ୍ଟାକଲେ ମଧ୍ୟ ଆପଣଙ୍କ ଆକାଉଣ୍ଟକୁ ଦରମା ଆସିଲା ବେଳକୁ ପୂର୍ବ ମାସର ଦରମା ଶେଷ ହୋଇଯାଇଥାଏ। କିଛି ଲୋକଙ୍କ ମତରେ ଯେପର୍ଯ୍ୟନ୍ତ ଆପଣ ରୋଜଗାର କରୁଛନ୍ତି ସେତେବେଳ ପର୍ଯ୍ୟନ୍ତ ଖର୍ଚ୍ଚ କରିବାରେ କିଛି ଅସୁବିଧା ନାହିଁ, ମାତ୍ରା ଯେତେବେଳେ ଆପଣ ଏହାର ସତ ଜାଣିବେ ସେତେବେଳେ ନିଶ୍ଚିତ ଭାବରେ ଚିନ୍ତିତ ରହିବେ।
ଯଦି ଆପଣ ବର୍ତ୍ତମାନ ସଞ୍ଚୟ କରୁନାହାନ୍ତି ତେବେ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ ନିଜର ଅଯଥା ଖର୍ଚ୍ଚକୁ କମାଇ ଭବିଷ୍ୟତ ପାଇଁ କିପରି ଅର୍ଥ ସଞ୍ଚୟ କରିବେ ଆସନ୍ତୁ ଜାଣିବା।
୧.ଯୋଜନା କରନ୍ତୁ: ସର୍ବପ୍ରଥମେ ଆପଣଙ୍କୁ ନିଜର ଖର୍ଚ୍ଚ କରିବାର ବିଚାରକୁ ପରିବର୍ତ୍ତନ କରିବାକୁ ପଡିବ। ନିଜର ମାସିକ ଖର୍ଚ୍ଚ ବିଷୟରେ ହିସାବ ରଖନ୍ତୁ। ଏଥିରୁ ଆପଣ କେଉଁ ଖର୍ଚ୍ଚ ଗୁଡିକ ଅଯଥାରେ କରୁଛନ୍ତି ତାହା ଜାଣିପାରିବେ ଓ ଏହା ଅନୁଯାୟୀ ଆଗାମୀ ମାସର ଖର୍ଚ୍ଚ ବିଷୟରେ ଯୋଜନା କରିପାରିବେ।

୨.ପ୍ରାଥମିକତା: ପ୍ରାୟ ସମସ୍ତେ ଅର୍ଥ ସଞ୍ଚୟ କରିବାକୁ ଚାହିଁଥାନ୍ତି, ମାତ୍ର ଖର୍ଚ୍ଚ ଏତେ ଅଧିକ ହୋଇଥାଏ ଯେ ସଞ୍ଚୟ କରିପାରିନଥାନ୍ତି। ଏଥିପାଇଁ ଆପଣଙ୍କୁ ଯୋଜନା କରରିବାକୁ ପଡିବ ଓ ଯେଉଁ ଖର୍ଚ୍ଚ ଗୁଡିକ ନିହାତି ଆବଶ୍ୟକ ତା ଉପରେ ପ୍ରାଥମିକତା ଦିଅନ୍ତୁ। ଅଯଥା ଖର୍ଚ୍ଚ ଉପରେ ରୋକ ଲଗାନ୍ତୁ।
୩.ଅତିରିକ୍ତ ଆୟ: ସବୁବେଳେ ନିଜର କାମ ସହିତ କିଛି କିଛି ଅତିରିକ୍ତ ଆୟ କରିବାକୁ ଚେଷ୍ଟା କରନ୍ତୁ। ନିଜ ଦରମା ବ୍ୟତୀତ ଅଫିସରେ ଓଭରଟାଇମ୍ କରି ବା ଘରେ ଖାଲି ସମୟରେ କିଛି ଛୋଟ ଛୋଟ କାମ କରି ଅର୍ଥ ରୋଜଗାର କରିପାରିବେ। ଯାହାଫଳରେ ଆପଣ ଅର୍ଥ ସଞ୍ଚୟ କରିବାକୁ ସକ୍ଷମ ହୋଇପାରିବେ। କିଛି ମାତ୍ରାରେ ଅର୍ଥ ସଞ୍ଚୟ କରିବା ପରେ ଏହାକୁ ବିଭିନ୍ନ ଯୋଜନାରେ ନିବେଶ ମଧ୍ୟ କରିପାରିବେ।
୪.ଲୋଭ ଛାଡନ୍ତୁ: ଆପଣଙ୍କୁ ଅନେକ ସମୟରେ ଅଫିସରେ ବୋନସ ମିଳିଥାଏ। ଏହି ଅର୍ଥକୁ କିପରି ଖର୍ଚ୍ଚ କରିବେ ସେନେଇ ଭଲ ଭାବରେ ଭାବନ୍ତୁ। ଯେଉଁ ସାମଗ୍ରୀ ଆପଣଙ୍କର ସେତେ ଆବଶ୍ୟକ ନୁହେଁ ତାହାକୁ କିଣିବା ପାଇଁ ଏହି ଅର୍ଥକୁ ଖର୍ଚ୍ଚ କରନ୍ତୁ ନାହିଁ। ନିଜ ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣିବାରେ ଏହାକୁ ଖର୍ଚ୍ଚ କରିପାରିବେ ବା ନିବେଶ କରିପାରିବେ।

୫.କ୍ରେଡିଟ କାର୍ଡ କମ ବ୍ୟବହାର କରନ୍ତୁ: କ୍ରେଡିଟ କାର୍ଡ ବହୁତ ଉପଯୋଗୀ ହୋଇଥାଏ। ମାତ୍ର ଆପଣ ଯେତେବେଳେ ଏହାକୁ ବ୍ୟବହାର କରିଥାନ୍ତି ସେତେବେଳେ ଆପଣ ଅନୁମାନ କରିପାରିନଥାନ୍ତି ଯେ ଆପଣ କେତେ ଅଯଥା ଖର୍ଚ୍ଚ କରୁଛନ୍ତି। କ୍ରେଡିଟ କାର୍ଡ ଜରିଆରେ ଅନେକ ଆକର୍ଷଣୀୟ ଅଫର ମିଳିଥାଏ ଓ ଏଥିରେ ପ୍ରଲୋଭିତ ହୋଇ ଆପଣ ଖର୍ଚ୍ଚ କରିଥାନ୍ତି। ତେଣୁ ନିଜ ବ୍ୟୟକୁ ନିୟନ୍ତ୍ରଣ କରିବା ପାଇଁ କ୍ରେଡିଟ କାର୍ଡ ବ୍ୟବହାର କମ କରନ୍ତୁ।