- padmabati kund
ନୋ-ବଲ୍ ବିବାଦ : ମ୍ୟାଚ ରେଫରୀଙ୍କୁ କୋହଲିଙ୍କ ଗାଳିଗୁଲଜ

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଦ୍ଵାଦଶ ସଂସ୍କରଣରେ ଗତ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ଶେଷ ବଲକୁ ନୋ-ବଲ୍ ଘୋଷଣା ନହେବା ଯୋଗୁଁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିଲା ଓ ବାଙ୍ଗାଲୋର 6 ରନରେ ମ୍ୟାଚ ହାରିଯାଇଥିଲା। ଏହି ମ୍ୟାଚରେ ହାରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ମ୍ୟାଚ ରେଫରୀ ମନୁଙ୍କୁ ଗାଳିଗୁଲଜ କରିଥିବାର ଖବର ମିଳିଛି।
ଏକ ଇଂରାଜୀ ନ୍ୟୁଜ ଚ୍ୟାନେଲର ରିପୋର୍ଟ ମୁତାବକ ବିରାଟ କୋହଲି ସେହି ମ୍ୟାଚରେ ପୁରସ୍କାର ବିତରଣ ପରେ ମ୍ୟାଚ ରେଫରୀ ମନୁ ନାୟାରଙ୍କ ରୁମରେ ଧସେଇ ପସି ତାଙ୍କୁ ଗାଳିଗୁଲଜ କରିଥିଲେ। ମନୁ ନାୟାରଙ୍କ ପ୍ରତି କୋହଲି ଅଶ୍ଳୀଳ ଭାଷାର ମଧ୍ୟ ପ୍ରୟୋଗ କରିଥିଲେ। କୋହଲି ଏପରି ବି କହିଥିଲେ ଯେ, ଆଚାର ସଂହିତା ଉଲ୍ଲଙ୍ଘନ ଯୋଗୁଁ ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ; ତାହାକୁ ସେ ଖାତିର କରନ୍ତି ନାହିଁ।
ବୋଧହୁଏ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଖେଳାଳୀ ମ୍ୟାଚ ରେଫରୀଙ୍କ ରୁମକୁ ଧସେଇ ପଶିଛନ୍ତି। କୋହଲିଙ୍କ ଏପରି କାମ ପାଇଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇପାରେ।
ଅନ୍ୟମନସ୍କ ଅମ୍ପାୟାର
ମ୍ୟାଚ ପରବର୍ତ୍ତୀ ସାମ୍ବାଦିକ ସମ୍ମୀଳନୀରେ ଅତ୍ୟନ୍ତ କ୍ଷୁବ୍ଧ ଥିବା ବିରାଟ କୋହଲି କହିଥିଲେ,”ଆମେ ଆଇପିଏଲ ଖେଳୁଛୁ, କ୍ଲବ କ୍ରିକେଟ ନୁହେଁ। ଅନ୍ତିମ ବଲରେ ଅମ୍ପାୟାର ଯାହା କଲେ, ତାହା ଅତି ହାସ୍ୟାସ୍ପଦ। ଅମ୍ପାୟାର ତାଙ୍କ ଆଖି ଖୋଲା ରଖିବା ଉଚିତ ଥିଲା। ବୋଲରଙ୍କ ପାଦ କ୍ରିଜରୁ ଇଞ୍ଚେ ଆଗରେ ଥିଲା। ନୋ-ବଲ୍ ଡାକ ହୋଇଥିଲେ ମ୍ୟାଚର ଫଳାଫଳ ଭିନ୍ନ ହୋଇଥାନ୍ତା।
ଏହି ମ୍ୟାଚରେ ବାଙ୍ଗାଲୋର ମ୍ୟାଚ ଜିତିବା ପାଇଁ ଅନ୍ତିମ ବଲରେ 7ରନ ଆବଶ୍ୟକ କରୁଥିଲା। ଅନ୍ତିମ ବଲରେ ବାଉଣ୍ଡ୍ରୀ ନହେବା ଯୋଗୁଁ ବାଙ୍ଗାଲୋରର ଉଭୟ ବ୍ୟାଟ୍ସମ୍ୟାନ କୌଣସି ରନ୍ ନେଇନଥିଲେ। ତେବେ ମାଲିଙ୍ଗା ବୋଲିଙ୍ଗ କରିଥିବା ଏହି ଅନ୍ତିମ ବଲଟି ନୋ-ବଲ୍ ଥିବାବେଳେ ଅମ୍ପାୟାର ଏସ.ରବି ଏହାକୁ ଦେଖିପାରିନଥିଲେ। ଯଦି ଏହି ବଲକୁ ନୋ-ବଲ୍ ଘୋଷଣା ହୋଇଥାନ୍ତା ତେବେ ବାଙ୍ଗାଲୋରକୁ ଏକ ରନ୍ ମିଳିଥାନ୍ତା ଓ ଏହାସହିତ ଏକ ଅତିରିକ୍ତ ବଲ୍ ମଧ୍ୟ ମିଳିଥାନ୍ତା; ଯାହାକି ଫ୍ରୀହିଟ୍ ହୋଇଥାନ୍ତା।

ମୁମ୍ବାଇ ଇଣ୍ଡିଇଆନ୍ସର ଅଧିନାୟକ ରୋହିତ ଶର୍ମା ମଧ୍ୟ ଅମ୍ପାୟାରଙ୍କ ଏପରି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି ମତ ଦେଇଛନ୍ତି। ସାରାବିଶ୍ଵରେ ନାମୀ କ୍ରିକେଟରମାନେ ମଧ୍ୟ ଅମ୍ପାୟାରଙ୍କ ଏପରି ଗୁରୁତର ତ୍ରୁଟି ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହି ବୈଷୟିକ ଜ୍ଞାନ ଯୁଗରେ ଅମ୍ପାୟାର ନୋ-ବଲ୍ ଜାଣି ନପାରିବା ନିଶ୍ଚୟ ଅକ୍ଷମଣୀୟ ବୋଲି କେଭିନ୍ ପିଟରସନ୍, ଫାଫ ଡ଼ୁ ପ୍ଲେସୀ, ମାଇକେଲ୍ ଭନ, ସଞ୍ଜୟ ମଞ୍ଜେରକର ପ୍ରଭୃତି କହିଛନ୍ତି।
ସୂଚନାଯୋଗ୍ୟ, ଆଇପିଏଲର ସିଧା ପ୍ରସାରଣକାରୀ ଷ୍ଟାରସ୍ପୋର୍ଟ୍ସ ମ୍ୟାଚର ଅନ୍ତିମ ବଲର ଏକାଧିକ ଥର ଧିମା ଗତିରେ ରିପ୍ଲେ ଦେଖିବା ପରେ ସ୍ପଷ୍ଟ କରିଛି ଯେ, ଅମ୍ପାୟାର ଏସ.ରବି ବୋଲିଂ କ୍ରିଜ୍ କୁ ଆଦୌ ଚାହିଁନଥିଲେ। ତାଙ୍କର ନଜର ବ୍ୟାଟ୍ସମ୍ୟାନ ଉପରେ ଥିଲା।