- padmabati kund
₹୧୨୫କୋଟିରେ 'ବଦଲା'; ‘ବୁଢା ଅଭିନେତା’କୁ ଭଲ ପାଇଥିବାରୁ ଧନ୍ୟବାଦ : ଅମିତାଭ

(ବେତାର ବ୍ୟୁରୋ) ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ତାପସୀ ପନୁଙ୍କ ଅଭିନୀତ ଫିଲ୍ମ ‘ବଦଲା’ ରିଲିଜ ହେବାର ତିନି ସପ୍ତାହରୁ ଅଧିକ ହୋଇଗଲାଣି। ବର୍ତ୍ତମାନ ମଧ୍ୟ ଏହି ଫିଲ୍ମକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। କେବେଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ଫିଲ୍ମଟି ଖୁବ ଭଲ ରୋଜଗାର କରିଛି। ଫିଲ୍ମର ଏହି ସଫଳତା ପାଇଁ ଓ ବୁଢା ଅଭିନେତାକୁ ଏତେ ଭଲପାଇବା ଦେଇଥିବାରୁ ଅମିତାଭ ବଚ୍ଚନ ଦର୍ଶକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅମିତାଭ ବଚ୍ଚନ ନିଜ ଟ୍ଵିଟର ଆକାଉଣ୍ଟରେ ଏକ ଟ୍ଵିଟ କରିଛନ୍ତି ଓ ଦର୍ଶକଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି, “ ଏହା ହେଉଛି ଜଣେ ୭୭ବର୍ଷୀୟ ବୃଦ୍ଧ ଅଭିନେତାର ରୋଜଗାର। ଏହି ଫିଲ୍ମର ପ୍ରଶଂସକ, ଦର୍ଶକ ଓ ଶୁଭ ଚିନ୍ତକ ମାନଙ୍କୁ ମୋ ତରଫରୁ ଧନ୍ୟବାଦ।“ ଫିଲ୍ମଟି ବକ୍ସଅଫିସରେ ବର୍ତ୍ତମ୍ମାନ ପର୍ଯ୍ୟନ୍ତ ମୋଟ ୧୨୫କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି।
ବଲିଉଡ ଇଣ୍ଡଷ୍ଟ୍ରୀର ଏହି ୭୭ବର୍ଷୀୟ ଅଭିନେତା ଅମିତାଭ ବଚ୍ଚନଙ୍କର ବହୁତ ଫ୍ୟାନ ଓ ପ୍ରଶଂସକ ରହିଛନ୍ତି। ତାଙ୍କର ବୟସ ବଢୁଥିଲେ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରୀରେ ତାଙ୍କ ଜାଦୁ ଠିକ ଆଗପରି ରହିଛି। କମ ବଜେଟରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମକୁ ଦର୍ଶକମାନେ ଏତେ ଅଧିକ ଭଲ ପାଇବା ଦେଉଥିବା ଦେଖି ଅମିତାଭ ବଚ୍ଚନ ଫ୍ୟାନମାନଙ୍କୁ ଏହି ଧନ୍ୟବାଦ ବାର୍ତ୍ତା ଦେଇଛନ୍ତି।
ସୁଜୋୟ ଗୋଷଙ୍କ ନିର୍ଦ୍ଦେଶିତ ଏହି କ୍ରାଇମ ଥ୍ରୀଲର ଫିଲ୍ମଟି ମୋଟ ୨୨କୋଟି ବଜେଟରେ ପ୍ରସ୍ତୁତ ହୋଇଥିଲା। ରିଲିଜ ହେବାର ତିନିସପ୍ତାହ ପରେ ଫିଲ୍ମଟି ସମଗ୍ର ବିଶ୍ଵରେ ମୋଟ ୧୨୫କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ସେଥିମଧ୍ୟରୁ ଭାରତରେ ଫିଲ୍ମଟି ୯୨କୋଟି ୫୬ଲକ୍ଷ ଟଙ୍କା ରୋଜଗାର କରିଥିବା ବେଳେ ଭାରତ ବାହାରେ ଅନ୍ୟଦେଶରେ ଫିଲ୍ମଟି ୩୩କୋଟି ୨୧ଲକ୍ଷ ଟଙ୍କା ରୋଜଗାର କରିଛି।
‘ବଦଲା’ ଫିଲ୍ମଟି ରିଲିଜ ହେବାର ମାତ୍ର ଦଶ ଦିନ ମଧ୍ୟରେ ୫୦କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲା ଓ ଅଠର ଦିନରେ ୭୫କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିଲା। ଏନେଇ ଟ୍ରେଡ ବିଶେଷଜ୍ଞ ତରନ ଆଦର୍ଶ ଏକ ଟ୍ଵିଟ କରି ଜଣାଇଛନ୍ତି।
ରେଡ୍ ଚିଲ୍ଲୀ ଏଣ୍ଟରଟେନମେଣ୍ଟର ଏହି ଫିଲ୍ମଟି 2017ରେ ରିଲିଜ ହୋଇଥିବା ସ୍ପେନ୍ ଭାଷୀ ଫିଲ୍ମ 'The invisible guest'ର ଆଧିକାରିକ ରିମେକ୍ ଅଟେ। ଏଥିରେ ତାପସୀ ପନ୍ନୁ ଜଣେ ବିଜନେସ ମ୍ୟାନ ଭୂମିକାରେ ଅଭିନୟ କରିଛନ୍ତି; ତାଙ୍କ ଉପରେ ଏକ ହତ୍ୟାର ଅଭିଯୋଗ ଲାଗିଛି। ଅମିତାଭ ବଚ୍ଚନ ଜଣେ ଓକିଲ ଭୂମିକାରେ ଅଭିନୟ କରିଛନ୍ତି, ଯିଏକି ନିଜ ୪୦ବର୍ଷର କ୍ୟାରିୟରରେ କୌଣସି ବି କେସ୍ ହାରିନାହାନ୍ତି।
ଫିଲ୍ମରେ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ବଳିଷ୍ଠ ଅଭିନୟ ଏବଂ ସର୍ବୋପରି ଏକ ବଳିଷ୍ଠ କାହାଣୀକୁ ନେଇ ଫିଲ୍ମଟି ସମସ୍ତଙ୍କ ମନକୁ ଛୁଇଁ ପାରିଛି।