- ବେତାର ବ୍ୟୁରୋ
ଘରେ ଝଗଡା ଲାଗୁଥିଲେ, ବ୍ୟୟ ଅଧିକ ହେଉଥିଲେ ଜାଣନ୍ତୁ ବାସ୍ତୁ ଉପଚାର

(ବେତାର ବ୍ୟୁରୋ) ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ କିଛି ବାସ୍ତୁଦୋଷ ରହିଥାଏ ତେବେ ଘରର ସଦସ୍ୟଙ୍କୁ କିଛି ନା କିଛି କଷ୍ଟ ସହିବାକୁ ପଡିଥାଏ। କିନ୍ତୁ କେଉଁ ବାସ୍ତୁ ଦୋଷ କାରଣରୁ ସେହି ସବୁ କଷ୍ଟ ଭୋଗିବାକୁ ପଡୁଛି ତାହା ଆମେ ଜାଣିପାରିନଥାଉ। ଆପଣ ଯେଉଁ କଷ୍ଟ ବା ସମସ୍ୟା ଭୋଗ କରୁଛନ୍ତି ତାହାର କାରଣ କଣ ଓ କେଉଁ ବାସ୍ତୁଦୋଷ ପାଇଁ ଏପରି ସମସ୍ୟା ଲାଗିରହୁଛି ତାହା ବିଷୟରେ ବାସ୍ତୁଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।
ତେବେ କେଉଁ ବାସ୍ତୁ ଦୋଷ ଯୋଗୁଁ କଣ କଷ୍ଟ ଅନୁଭବ କରିଥାଉ ଓ ଏହାର ସମାଧାନ କିପରି କରିବେ ଆସନ୍ତୁ ଜାଣିବା।
୧.ଆୟ ଠାରୁ ଅଧିକ ବ୍ୟୟ ହେବା: ଯଦି ଆପଣଙ୍କ ଘରେ ଆୟ ଠାରୁ ଅଧିକ ବ୍ୟୟ ହେଉଥାଏ ତେବେ ଆପଣ ଧନ ସଞ୍ଚୟ କରିପାରିନଥାନ୍ତି ଓ ଆର୍ଥିକ ସମସ୍ୟା ଲାଗିରହିଥାଏ। ଆପଣଙ୍କ ଘରର ଉତ୍ତର ଦିଗରେ ଯଦି ଆବର୍ଜନା ଜମା ହୋଇଥାଏ ତେବେ ଏପରି ସମସ୍ୟା ଲାଗିରହିଥାଏ। ଘର ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ଉଚ୍ଚା ହୋଇଥିଲେ ମା’ ଲକ୍ଷ୍ମୀ ପ୍ରାୟତଃ ଅସ୍ଥିର ରହିଥାନ୍ତି। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଘରର ଉତ୍ତର ଦିଗରେ ଶ୍ରୀଯନ୍ତ୍ର ସ୍ଥାପନା କରନ୍ତୁ।
୨.ଘରେ ସବୁବେଳେ ଝଗଡା ହେବା: ଘରର ସଦସ୍ୟଙ୍କ ମଧ୍ୟରେ ଝଗଡା ଲାଗିରହିବାର ମୁଖ୍ୟ କାରଣ ଆଗ୍ନେୟ କୋଣ ହୋଇଥାଏ। ଏହି କୋଣରେ ପାଣିର କୌଣସି ସ୍ରୋତ ରଖନ୍ତୁ ନାହିଁ। ଏହାବ୍ୟତୀତ ଘରର ଆଗ୍ନେୟ କୋଣରେ ହିଁ ରୋଷେଇ ଘର କରନ୍ତୁ।

୩.ସନ୍ତାନ ସୁଖ ନପାଇବା: ଯଦି ଆପଣ ସନ୍ତାନ ସୁଖ ପାଇ ପାରୁନାହାନ୍ତି ତେବେ ଏହାର ମୁଖ୍ୟ କାରଣ ଆପଣଙ୍କ ଘରର ପୂର୍ବଦିଗରେ ଥିବା ଦୋଷ ହୋଇପାରେ। ପୂର୍ବଦିଗରେ କୌଣସି ପ୍ରକାରର ଦୋଷ ବଂଶବୃଦ୍ଧିରେ ବ୍ୟବଧାନ ଆଣିଥାଏ। ତେଣୁ ଘର ପୂର୍ବଦିଗକୁ ସବୁବେଳେ ସଫାସୁତୁରା ରଖନ୍ତୁ ଓ ଦକ୍ଷିଣ-ପଶ୍ଚିମ ଦିଗ ଠାରୁ ଦୂରରେ ରଖନ୍ତୁ ନାହିଁ।
୪.ମନ ଅଶାନ୍ତ ରହିବା: ଯଦି ଆପଣଙ୍କ ଘର ଇଶାଣ କୋଣ ଦୂଷିତ ଓ ଅପରିଷ୍କାର ରହିଥାଏ ତେବେ ମନ ଅଶାନ୍ତ ରହିଥାଏ। ତେବେ ମନକୁ ଶାନ୍ତ ରଖିବା ପାଇଁ ଘରେ ପୂଜା ପାଠ କରନ୍ତୁ ଓ ଇଶାଣ କୋଣକୁ ମୁହଁ କରି ବସି ଧ୍ୟାନ କରନ୍ତୁ।

୫.ପଡୋଶୀଙ୍କ ସହ ଝଗଡା ଲାଗିରହିବା: ଯଦି ଆପଣଙ୍କର ପଡୋଶୀଙ୍କ ସହିତ କୌଣସି କାରଣ ନଥାଇ ମଧ୍ୟ ଝଗଡା ହେଉଥାଏ ତେବେ ଏହାର ମୁଖ୍ୟ କାରଣ ଆପଣଙ୍କ ଘରର ବାୟବ୍ୟ କୋଣରେ ଥିବା ଦୋଷ ହୋଇପାରେ। ଏହି ସମସ୍ୟାକୁ ଦୂର କରିବା ପାଇଁ ପଞ୍ଚମୁଖୀ ରୁଦ୍ରାକ୍ଷର ଧାରଣ କରନ୍ତୁ।
୬.ସବୁ କାର୍ଯ୍ୟରେ ବାଧା ଉପୁଜିବା: ଯଦି ଆପଣଙ୍କ ଘର ବ୍ରହ୍ମସ୍ଥଳରେ କୌଣସି ଦୋଷ ରହିଥାଏ ତେବେ ଆପଣଙ୍କର କୌଣସି କାମ ଠିକ ସମୟରେ ହୋଇପାରିନଥାଏ। ଜୀବନରେ ସଫଳତା ପାଇବା ପାଇଁ ଓ ସମସ୍ତ କାର୍ଯ୍ୟକୁ ସୁରୁଖୁରରେ କରିବା ପାଇଁ ଘରର ବ୍ରହ୍ମସ୍ଥଳକୁ ଖାଲି ଓ ସଫାସୁତୁରା ରଖନ୍ତୁ।
(ବି.ଦ୍ର :ଏହି ବାସ୍ତୁ ତଥା ଜ୍ୟୋତିଷ ଉପାୟ ବିଭିନ୍ନ ଜ୍ୟୋତିର୍ବିଦମାନଙ୍କ ଆଲେଖ୍ୟରୁ ସଂକଳିତ କରାଯାଇଛି । ଏହା ଠିକ କାର୍ଯ୍ୟକାରୀ ହେବା ପାଇଁ ଉପଯୁକ୍ତ ପଦ୍ଧତି ଆପଣେଇବା ତଥା ଦଶା ସ୍ଥିତି ଠିକ ରହିବା ଆବଶ୍ୟକ । ସୁଫଳ ପାଇବାକୁ ହେଲେ କୌଣସି ଅଭିଜ୍ଞ ଜ୍ୟୋତିଷ/ବାସ୍ତୁବିଦଙ୍କ ପରାମର୍ଶ ନିଅନ୍ତୁ )