- padmabati kund
ଋଷଭଙ୍କ ଏହି ଭିଡିଓ ଭାଇରାଲ ପରେ ଆଇପିଏଲରେ ମ୍ୟାଚ ଫିକ୍ସିଙ୍ଗକୁ ନେଇ ଚର୍ଚ୍ଚା

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଦ୍ଵାଦଶ ସଂସ୍କରଣରେ ଦଶମ ମ୍ୟାଚ ଅଚାନକ ବିବାଦରେ ଘେରି ଯାଇଛି। ମାର୍ଚ୍ଚ 30ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡ଼ର୍ସ ମଧ୍ୟରେ ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ ଏହି ମ୍ୟାଚଟି ସୁପର ଓଭରକୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ଅନ୍ୟପଟେ ଷ୍ଟମ୍ପ ମାଇକରେ ରେକର୍ଡ ହୋଇଥିବା ରିଷଭ ପନ୍ଥଙ୍କ ସ୍ଵର ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ କହିଥିଲେ ଯେ, ଏମିତି ବି ଏହି ବଲରେ ଚାରି ରନ୍ ହେବ। କୋଲକାତାର ବ୍ୟାଟ୍ସମ୍ୟାନ ରବିନ୍ ଉଥାପା ଚତୁର୍ଥ ଓଭରରେ ବ୍ୟାଟିଙ୍ଗ କରୁଥିବା ସମୟରେ ରିଷଭ ପନ୍ଥ ଏପରି କହୁଥିବାର ଶୁଣିବାକୁ ମିଳିଥିଲା ଓ ଠିକ ସେହି ବଲରେ ରବିନ୍ ଉଥାପା ଚଉକା ମାରିଥିଲେ।
ଏହାପରେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହୋଇଥିଲା ଓ ଏହି ବଲରେ ଚାରିରନ ହେବ, ଏକଥା ରିଷଭ ପନ୍ଥ ଆଗରୁ କେମିତି ଜାଣିପାରିଲେ ବୋଲି ଲୋକମାନେ ପ୍ରଶ୍ନ କରିଥିଲେ। ତେଣୁ ମ୍ୟାଚ୍ ଫିକ୍ସ ହୋଇଛି ବୋଲି ଦର୍ଶକମାନେ ମତ ରଖିଥିଲେ।
ଅଧା ସତ ଭିଡ଼ିଓ
ଭିଡିଓଟି ଭାଇରାଲ ହେବା ପରେ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଏନେଇ ନିଜ ମତ ଦେଇଛି। ବିସିସିଆଇର କହିବା ମୁତାବକ ସୋସିଆଲ ମିଡିଆରେ ରିଷଭ ପନ୍ଥଙ୍କର କଥାବାର୍ତ୍ତାର ଅଧା ଭିଡିଓ କ୍ଲିପ ଭାଇରାଲ ହେଉଛି। ଏହାପୂର୍ବରୁ ରିଷଭ ପନ୍ଥ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟରଙ୍କୁ ସାଇଡ୍ ଫିଲ୍ଡର ବଢାଇବା ପାଇଁ କହୁଥିଲେ, ଯାହାଫଳରେ ଚାରି ରନ ରୋକାଯାଇ ପାରିବ। ଏହି ଭାଇରାଲ ଭିଡିଓରେ ଏସବୁ ଦେଖାଯାଇ ନାହିଁ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, କୌଣସି ଯାଞ୍ଚ ନକରି ଏପରି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଦ୍ଵାରା ଜଣେ ଯୁବ କ୍ରିକେଟର ବିନା କାରଣରେ ବଦନାମ ହେଉଛନ୍ତି, ଯାହାକି ବହୁତ ନିରାଶାଜନକ ଅଟେ।
ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡ଼ର୍ସ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ତିନିରନରେ ବିଜୟୀ ହୋଇଥିଲା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି କୋଲକାତା ଦଳ ମୋଟ 20 ଓଭରରେ 185 ରନ୍ କରିପାରିଥିଲା। ଏହାପରେ ଦିଲ୍ଲୀ ବ୍ୟାଟିଙ୍ଗ କରି 20 ଓଭରରେ 6ୱିକେଟ ହରାଇ 185ରନ୍ କରିଥିଲା, ଯାହାଫଳରେ ମ୍ୟାଚ ଟାଇ ହୋଇଯାଇଥିଲା ଓ ପରେ ସୁପର ଓଭର ଖେଳାଯାଇଥିଲା। ଏହି ସୁପର ଓଭରରେ ଦିଲ୍ଲୀ 3ରନରେ ବିଜୟୀ ହୋଇଥିଲା।
ଆଇପିଏଲ 2019ରେ ଏହା ପ୍ରଥମ ସୁପର ଓଭର ହୋଇଥିବା ବେଳେ ଆଇପିଏଲ ଇତିହାସରେ ଏହା ସପ୍ତମ ସୁପର ଓଭର ଅଟେ। ପ୍ରଥମେ 2009ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ମଧ୍ୟରେ ପ୍ରଥମ ଆଇପିଏଲ ସୁପର ଓଭର ଖେଳାଯାଇଥିଲା। ଏହାପରେ 2010ରେ, 2013ରେ 2014ରେ 2015ରେ ଓ 2017ରେ ସୁପର ଓଭର ମ୍ୟାଚ ଖେଳାଯାଇଥିଲା।