• ବେତାର ବ୍ୟୁରୋ

ଚୁମ୍ବକ ବେତାର : ପୁରୀ ମନ୍ଦିରରୁ ଚୋରୀ; ଟ୍ରେନ ଛାଡି ପଳାଇଲା ରାଜଧାନୀ ଇଞ୍ଜିନ୍


(ବେତାର ବ୍ୟୁରୋ) ଆସନ୍ତୁ ନଜର ଗଡାଇ ନେବା ମଙ୍ଗଳବାର ପୂର୍ବାହ୍ନର କିଛି ଜରୁରୀ ଖବର ସଂକ୍ଷେପରେ ।

ପୁରୀ ଶ୍ରୀ ମନ୍ଦିରରୁ ଚୋରୀ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଦକ୍ଷିଣ କବାଟ ପାର୍ଶ୍ଵରେ ଥିବା ରାମ ମନ୍ଦିରରୁ ନଗଦ ଚାରି ହଜାର ଟଙ୍କା ଦାନ ବାକ୍ସରୁ ଚୋରୀ ହେଇଥିବାର ଖବର ମଙ୍ଗଳବାର ସକାଳୁ ମିଳିଛି । ଘଟଣାସ୍ଥଳରେ ସିଂହଦ୍ଵାର ପୋଲିସ ପହଞ୍ଚି ପଚରାଉଚୁରା ଜାରି ରଖିଛି । ତେବେ ସିସିଟିଭି କ୍ୟାମେରା ଲାଗିଥିବା ସତ୍ତ୍ୱେ କିଏ ଚୋରୀ କରିବାର ସାହସ କରିଛି ସେ ବିଷୟରେ ମନ୍ଦିରର ପୂଜାରୀ ପ୍ରଶ୍ନ କରିଛନ୍ତି ।ଗଣମାଧ୍ୟମ ସହିତ କଥା ହେଲା ବେଳେ ସେ କହିଛନ୍ତି ଯେ ସବୁଦିନ ରାତିରେ ପ୍ରାୟ 11 ଟା ବେଳକୁ ସେ ପହଡ ପକାଇ ଘରକୁ ଫେରିଥାନ୍ତି। ତେଣୁ ମଧ୍ୟରାତ୍ରିରୁ ଭୋର ଭିତରେ କେହି ଜଣେ ଚୋରୀ କରିଥିବାର ସେ ଅନୁମାନ କରି

ସେ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସର ଅପାରଗତାକୁ ଦାୟୀ କରିଛନ୍ତି। ପୋଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି । ସୂଚନାଯୋଗ୍ୟ ଯେ 2018 ମସିହାରେ ମଧ୍ୟ କିଛି ଦୁର୍ବୁତ୍ତ ଶ୍ରୀ ମନ୍ଦିର ପରିସରରେ ଥିବା ବୁଢୀ ଠାକୁରାଣୀ ମନ୍ଦିରରୁ ଚୋରୀ କରିଥିଲେ ।

ରାଜଧାନୀ ଏକ୍ସପ୍ରେସରୁ ଇଞ୍ଜିନ ବାହାରିଗଲା : ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଗାଡି ଚାଲୁଥିବା ସମୟରେ କଟକର କାଠଯୋଡି ବ୍ରିଜଠାରେ ବଗିକୁ ଛାଡି ଇଞ୍ଜିନ କିଛି ବାଟ ଆଗକୁ ଗାଡି ଯାଇଥିଲା ,ଫଳରେ ବ୍ରିଜ ଉପରେ ମଙ୍ଗଳବାର ପୂର୍ବାହ୍ନ 10ଟା ରୁ ଟ୍ରେନଟି କାଠଯୋଡି ବ୍ରିଜଠାରେ ଅଟକି ରହିଥିଲା । ଘଟଣାସ୍ଥଳରେ ରେଳବାଇ କର୍ତ୍ତୃପକ୍ଷ ପହଞ୍ଚି ମରାମତି କାର୍ଯ୍ୟ ଚାଲୁ କରିଥିଲେ ଓ ଟ୍ରେନ ପ୍ରାୟ ଏକ ଘଣ୍ଟା ଅଟକି ରହିଥିଲା । ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।

ମୋଦୀଙ୍କ ଓଡିଆରେ ଟ୍ଵିଟ : ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନୀ ସଭା ଥିବା ବେଳେ ଏହାର ଦୁଇଘଣ୍ଟା ଆଗରୁ ସେ ଓଡିଆରେ ଟ୍ୱିଟ କରି ଓଡିଶାର ଭୋଟରଙ୍କୁ ଆକର୍ଷିତ କରିବାର ପ୍ରୟାସ କରିଛନ୍ତି । ନିଜର ଟ୍ୱିଟର ଆକାଉଣ୍ଟରେ ସେ ଲେଖିଥିଲେ “ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । “ ନିର୍ବାଚନ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ଓଡିଶାକୁ ଦ୍ଵିତୀୟ ଗସ୍ତ ଓ ଚଳିତ ବର୍ଷ ଏହା ତାଙ୍କର ପଞ୍ଚମବାର ଗସ୍ତ ।

ପାକିସ୍ତାନରେ ପେଟ୍ରୋଲ 100 ଟଙ୍କା : ପାକିସ୍ତାନରେ ଅର୍ଥନୀତି ଦେବାଳିଆ ପରିସ୍ଥିତିରେ ପହଞ୍ଚି ସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ମଙ୍ଗଳବାର ସକାଳ ସୁଦ୍ଧା ସେଠାରେ ପେଟ୍ରୋଲ ଦର ଲିଟର ପିଛା 98.88 ଟଙ୍କାରେ ବିକ୍ରି ହେଉଛି । ତେଲ ଦର ବୃଦ୍ଦି ପାଇବା ସହିତ ସେଠାରେ ପରିବହନ ଦର ମଧ୍ୟ ବଢୁଥିବାରୁ ପନିପରିବା ଦର ମଧ୍ୟ ଆକାଶଛୁଆଁ ହେଇ ଚାଲିଛି । ରଏଟର୍ସ ଖବର ଏଜେନ୍ସି ମୁତାବକ ସେଠାରେ ମୁଦ୍ରାସ୍ଫୀତି ଦର ଏବେ 9 ପ୍ରତିଶତ ରେ ପହଞ୍ଚିଛି , ଯାହାକି ପାଞ୍ଚ ବର୍ଷରେ କେବେ ବି ଦେଖା ଯାଇ ନ ଥିଲା । ସୂଚନା ଯୋଗ୍ୟରେ 2018ରେ ପାକିସ୍ତାନରେ ମୁଦ୍ରାସ୍ଫୀତି ଦର ମାତ୍ର 4 ପ୍ରତିଶତ ଥିଲା ।

#newswrap #news

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon