• ବେତାର ବ୍ୟୁରୋ

ଷ୍ଟେଟ ବ୍ୟାଙ୍କ ପିଓ ପରୀକ୍ଷା 2019 : ପ୍ରଥମ ଥର ସବର୍ଣ୍ଣ ଗରିବଙ୍କ ପାଇଁ 200 ପଦବୀ ସଂରକ୍ଷିତ


(ବେତାର ବ୍ୟୁରୋ) ଭାରତର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ତରଫରୁ ଏହାର ପ୍ରୋବେସନାରୀ ଅଫିସର ବା ପିଓ ପଦବୀ ନିମନ୍ତେ ବିଜ୍ଞପ୍ତି ମଙ୍ଗଳବାର ପ୍ରକାଶ ପାଇଛି । ଚଳିତବର୍ଷ ବ୍ୟାଙ୍କ ତରଫରୁ 2,000 ପଦବୀ ପୂରଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ଥର ପାଇଁ ଉଚ୍ଚଜାତିର ଗରିବଙ୍କ ନିମନ୍ତେ 10% ହିସାବରେ 200 ପଦବୀ ସଂରକ୍ଷିତ ରଖାଯାଇଛି ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 2,000 ଟି ପଦବୀ ପ୍ରକାଶ ପାଇଛି। ସେଥିମଧ୍ୟରୁ ଅନୁସୂଚିତ ଜାତି ପାଇଁ 300 ପଦ, ଆଦିବାସୀ ବର୍ଗଙ୍କ ପାଇଁ 150 ପଦ, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ 540 ପଦ ଓ ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ନିମନ୍ତେ 200 ପଦବୀ ସଂରକ୍ଷିତ ରଖାଯାଇଛି । ଏହି ପଦବୀମାନଙ୍କ ମଧ୍ୟରୁ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରାୟ 140ଟି ପଦବୀ ସଂରକ୍ଷିତ ରହିଛି ।

ଦରମା

ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଥିବା ପ୍ରାର୍ଥୀଙ୍କୁ ମାସିକ ମୂଳ ଦରମା ଟ.27, 620 ହେଇଥିବା ବେଳେ ଏହା ସହିତ ସେମାନଙ୍କୁ ମହଙ୍ଗା ଭତ୍ତା, ଘର ଭଡା ଓ ଅନ୍ୟାନ୍ୟ ଅଲାଓନ୍ସ ବାବଦକୁ ମଧ୍ୟ ଅର୍ଥ ମିଳିବ । ସମସ୍ତ ଆଲାଓନ୍ସ ଓ ମୂଳ ଦରମା ମିଶାଇ ଜଣେ ପ୍ରାର୍ଥୀ ନିଜର ପୋଷ୍ଟିଂ ସ୍ଥାନ ଅନୁସାରେ ବାର୍ଷିକ 8.20 ଲକ୍ଷ ଟଙ୍କାରୁ ଆରମ୍ଭ କରି 13.02 ଲକ୍ଷ ଟଙ୍କା ପାଇପାରେ ।

ଅର୍ଥାତ ଜଣେ ପ୍ରାର୍ଥୀ ମାସିକ ସର୍ବନିମ୍ନ 68,000 ରୁ ଆରମ୍ଭ କରି 1,10,000 ପର୍ଯ୍ୟନ୍ତ ଦରମା ପାଇପାରେ ।

ପରୀକ୍ଷା ପଦ୍ଧତି

ଏହି ପରୀକ୍ଷା ତିନି ସ୍ତରରରେ ପରିଚାଳିତ ହେବ । ପ୍ରଥମ ପର୍ଯ୍ୟାୟରେ ପ୍ରିଲିମିନାରୀ ଅନଲାଇନ ପରୀକ୍ଷା ଜୁନ 8,9,15 ଓ 16 ତାରିଖରେ ହେବ ଓ ଜୁଲାଇ ପ୍ରଥମ ସପ୍ତାହରେ ଏହାର ଫଳାଫଳ ପ୍ରକାଶିତ ହେବ । ଏଥିରେ

ଇଂରାଜୀରୁ 30, ଗଣିତରୁ 35 ଓ ମାନସିକ ଦକ୍ଷତା (ରିଜୋନିଙ୍ଗ)ରୁ 35ଟି ପ୍ରଶ୍ନ ହିସାବରେ ମୋଟ 100ଟି ପ୍ରଶ୍ନ ଆସିବ ଯାହାକୁ 1 ଘଣ୍ଟାରେ ପୂରଣ କରିବାକୁ ହେବ ।

ଅନଲାଇନ ମେନ୍ ପରୀକ୍ଷା ଜୁଲାଇ 20 ତାରିଖରେ ଅନୁଷ୍ଠିତ ହେବ ଓ ଅଗଷ୍ଟ ମାସ ଶେଷ ଆଡକୁ ଏହାର ଫଳାଫଳ ପ୍ରକାଶିତ ହେବ । ଏହି ପରୀକ୍ଷାରେ ଇଂରାଜୀ, ଗଣିତ, କମ୍ପ୍ୟୁଟର ଓ ଅର୍ଥନୀତି (ବ୍ୟାଙ୍କ) ଉପରେ 155ଟି ବସ୍ତୁନିଷ୍ଠ/ଅବଜେକଟିଭ ପ୍ରଶ୍ନ200 ମର୍କ ବିଶିଷ୍ଟ 3 ଘଣ୍ଟା ପାଇଁ ଅନଲାଇନରେ ଅନୁଷ୍ଠିତ ହେବ । ଏହାର ଦ୍ଵିତୀୟ ଭାଗରେ ସେହିଦିନ ଇଂରାଜୀରେ ପ୍ରବନ୍ଧ ଓ ପତ୍ରଲିଖନ ପରୀକ୍ଷା ଆଉ ଏକ ଘଣ୍ଟା ପାଇଁ ଅନୁଷ୍ଠିତ ହେବ ।

ଏହାପରେ ଇଣ୍ଟରଭିଉ ସେପ୍ଟେମ୍ବର ମାସରେ ହେଇ ଚାକିରି ପାଇଁ ବିବେଚିତ ପରୀକ୍ଷାର୍ଥୀଙ୍କ ନାମ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଘୋଷଣା କରାଯିବ ।

ଆବେଦନ ତାରିଖ,ପରୀକ୍ଷା ଫି'

ଏହି ପରୀକ୍ଷା ନିମନ୍ତେ ଆବେଦନ କରିବା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟାର ଅବଧି ଏପ୍ରିଲ 2 ତାରିଖରୁ ଆରମ୍ଭ ହୋଇ ଏପ୍ରିଲ 22 ତାରିଖ ପର୍ଯ୍ୟନ୍ତ ରହିଛି। ଏହି ସମୟ ମଧ୍ୟରେ ଆବେଦନ ଫି' ମଧ୍ୟ ଅନଲାଇନ ଜରିଆ ରେ ଜମା କରିବାକୁ ହେବ ।

ଏହି ପଦରେ ଆବେଦନ କରିବା ପାଇଁ ଫି’ ବାବଦରେ ପ୍ରାର୍ଥୀଙ୍କୁ ଟ.750 ପଇଠ କରିବାକୁ ପଡିବ। ଅନୁସୂଚିତ ଜାତି, ଆଦିବାସୀ ଓ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କୁ ଟ.150 ଦେବାକୁ ପଡିବ। ଏହାକୁ ଅନଲାଇନରେ ପଇଠ କରିପାରିବେ। ଅନଲାଇନରେ ଆବେଦନ ଫି’ ପଇଠ କରିବାର ଶେଷ ତାରିଖ ଏପ୍ରିଲ 22 ତାରିଖ ପର୍ଯ୍ୟନ୍ତ ରହିଛି।

ଶିକ୍ଷାଗତ ଯୋଗ୍ୟତା, ବୟସ

ପ୍ରୋବେସାନ ଅଫିସର ପାଇଁ ପାଇଁ ପ୍ରାର୍ଥୀ ଭାରତର ସ୍ଵୀକୃତିପ୍ରାପ୍ତ ବୋର୍ଡ ବା ଅନୁଷ୍ଠାନରୁ ସ୍ନାତକ ବା ଗ୍ରାଜୁଏସନ ପାସ କରିଥିବା ଆବଶ୍ୟକ। ଗ୍ରାଜୁଏସନ ଶେଷ ବର୍ଷରେ ଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରି

ପାରିବେ । ତେବେ ଇଣ୍ଟରଭିୟୁ ପୂର୍ବରୁ ସେମାନେ ଶେଷ ପରୀକ୍ଷା ପାସ କରିଥିବା ଆବଶ୍ୟକ ।

ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ଅପ୍ରେଲ ୧,୨୦୧୯ ସୁଦ୍ଧା ସର୍ବନିମ୍ନ 21ବର୍ଷ ଓ ସର୍ବାଧିକ 30ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀ ତଥା ପୂର୍ବତନ ସୈନ୍ୟଙ୍କ ପାଇଁ ସର୍ବାଧିକ ବୟସସୀମା 5 ବର୍ଷ, ଓବିସି ପ୍ରାର୍ଥୀଙ୍କ ପାଇଁ 3 ବର୍ଷ ଏବଂ ଶାରୀରିକ ଅକ୍ଷମ ପ୍ରାର୍ଥୀଙ୍କ ପାଇଁ 10 ରୁ 15 ବର୍ଷ କୋହଳ କରାଯିବ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ପ୍ରଥମେ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟ https://ibpsonline.ibps.in/sbiposmar19/ ରେ ଲଗଇନ କରିବାକୁ ପଡିବ। ସେଠାରେ ପୂର୍ବରୁ ରେଜିଷ୍ଟ୍ରେସନ କରିଥିବା ପ୍ରାର୍ଥୀମାନେ ନିଜର ଆଇଡି ଓ ପାସୱାର୍ଡ ଦେଇ ଲଗ ଇନ କରିପାରିବେ । ସେହିପରି ନୂଆ ପରୀକ୍ଷା ଦେବାକୁ ଚାହୁଁ ଥିବା ପ୍ରାର୍ଥୀମାନେ CLICK HERE FOR NEW REGISTRATIONରେ କ୍ଲିକ କରି ଅବଶ୍ୟକୀୟ ତଥ୍ୟ ପ୍ରଦାନ କରି ରେଜିଷ୍ଟର କରିପାରିବେ ।

ସମସ୍ତ ଆବଶ୍ୟକୀୟ ତଥ୍ୟ ସହିତ ପାସପୋର୍ଟ ସାଇଜ ଫଟୋ ଓ ଏଥିରେ ଦସ୍ତଖତ କରି ଏହାର ସ୍କାନ କପି ଅପଲୋଡ କରିବାକୁ ପଡିବ।

ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ବିବରଣୀ ଷ୍ଟେଟ ବ୍ୟାଙ୍କ ଚାକିରି ସମ୍ବନ୍ଧିତ ୱେବସାଇଟ https://www.sbi.co.in/careers/ ରେ LATEST ANNOUCNEMENT

ଦେଖିପାରିବେ ।

#jobs #govtjobs #SBI #bankexam

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon