- padmabati kund
‘ଦବଙ୍ଗ 3’ର ଡ୍ୟାନ୍ସ ଭିଡିଓ ଲିକ୍: ଇଣ୍ଟରନେଟରେ ଟ୍ରୋଲ ହେଲେ ସଲମାନ ଖାନ

(ବେତାର ବ୍ୟୁରୋ) ବଲିଉଡ ଅଭିନେତା ସଲମାନ ଖାନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ3’କୁ ନେଇ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ପାଇଁ ସଲମାନ ଖାନ ବର୍ତ୍ତମାନ ମଧ୍ୟପ୍ରଦେଶରେ ସୁଟିଙ୍ଗ ଚାଲୁ ରଖିଛନ୍ତି। ବର୍ତ୍ତମାନ ସମୟରେ ଫିଲ୍ମର ଟାଇଟିଲ ଟ୍ରାକ ସୁଟିଙ୍ଗ କରାଯାଉଥିବା ବେଳେ ଏହି ଟାଇଟିଲ ଟ୍ରାକ୍ ଭିଡିଓର କିଛି ଅଂଶ ଅନଲାଇନରେ ଲିକ୍ ହୋଇଯାଇଛି।
ଏହି ଭିଡିଓରେ ସଲମାନ ଖାନଙ୍କୁ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଭିଡିଓଟି ଲିକ୍ ହେବା ପରେ ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ନର୍ମଦା ନଦୀ ଘାଟରେ ସୁଟିଙ୍ଗ କରାଯାଇଛି। ତେବେ ସଲମାନ ଖାନଙ୍କ ଏହି ଡ୍ୟାନ୍ସ ଭିଡିଓଟି ଭାଇରାଲ ହେବା ପରେ ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ସଳମାନଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।
ସଲମାନଙ୍କ ଏହି ଡ୍ୟାନ୍ସ ଦେଖି କିଛି ଇନଷ୍ଟାଗ୍ରାମ ବ୍ୟବହାରକାରୀ କହିଛନ୍ତି ସଲମାନ ଖାନଙ୍କୁ ଡ୍ୟାନ୍ସ କରି ଆସୁନାହିଁ। ଅନ୍ୟଜଣେ ଦର୍ଶକ କମେଣ୍ଟ ଦେଇ ଲେଖିଛନ୍ତି, ‘ସଲମାନଙ୍କୁ ନିଜ ଓଜନ କରିବାକୁ ପଡିବ, କାରଣ ଏପରି ଲାଗୁଛି ଯେମିତି ଜଣେ ବୁଢା ଲୋକ ନାଚିବା ପାଇଁ ଚେଷ୍ଟା କରୁଛି।“ ସଲମାନଙ୍କ ଏହି ଡ୍ୟାନ୍ସ କିଛି ଦର୍ଶକଙ୍କୁ ଆକର୍ଷିତ କରି ପାରୁନାହିଁ ବୋଲି ମଧ୍ୟ ଲେଖିଛନ୍ତି।
କିଛିଦିନ ପୂର୍ବରୁ ଦବଙ୍ଗ 3 ସୁଟିଙ୍ଗ ସେଟରୁ ସଲମାନ ଖାନଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ସଲମାନ ଖାନଙ୍କୁ, ଚୁଲବୁଲ ପାଣ୍ଡେ’ଙ୍କର ସିଗ୍ନେଚର ପୋଜରେ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ଫଟୋରେ ନୀଳ ଶାର୍ଟ ପିନ୍ଧିଥିବା ସଲାମାନଙ୍କ ପଛପଟ ଲୁକ୍ ଦେଖାଯାଇଥିଲା ଓ ଏଥିରେ ଫିଲ୍ମର ନିର୍ଦ୍ଦେଶକ ପ୍ରଭୁଦେବାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।
ଏହି ଦବଙ୍ଗ 3 ଫିଲ୍ମଟି 2010ରେ ରିଲିଜ ହୋଇଥିବା ଦବଙ୍ଗ ଫ୍ରାଞ୍ଚାଇଜିର ତୃତୀୟ ଫିଲ୍ମ ଅଟେ। ଦବଙ୍ଗ 3ରେ ପ୍ରଭୁଦେବା ନିର୍ଦ୍ଦେଶନା ଦେଉଛନ୍ତି। ‘ୱାଣ୍ଟେଡ’ ପରେ ପ୍ରଭୁଦେବାଙ୍କର ସଲମାନ ଖାନଙ୍କ ସହିତ ଏହା ତୃତୀୟ ଫିଲ୍ମ ଅଟେ। ‘ଦବଙ୍ଗ’ରେ ଅଭିନବ କଶ୍ୟପ ଓ ‘ଦବଙ୍ଗ 2’ରେ ଅରବାଜ ଖାନ ନିର୍ଦ୍ଦେଶନା ଦେଇଥିଲେ। ଦୁଇଟିଯାକ ଫିଲ୍ମ ସୁପରହିଟ ହୋଇଥିଲା।
ସଲମାନ ଖାନଙ୍କ ସହିତ ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା ଓ ମାହି ଗିଲଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ତେବେ ‘ଦବଙ୍ଗ 3’ର ସୁଟିଙ୍ଗ ମହେଶ୍ଵର ଓ ମାଣ୍ଡୁରେ ଶେଷ ହେବାପରେ ମହାରାଷ୍ଟ୍ରରେ 80ଦିନ ପର୍ଯ୍ୟନ୍ତ ସୁଟିଙ୍ଗ କରାଯିବ। ଏହାପରେ ଫିଲ୍ମଟି ଡିସେମ୍ବର 31ରେ ରିଲିଜ ହେବାର ଲକ୍ଷ୍ୟ ରଖାଯାଇଛି।
ଏହାପୂର୍ବରୁ ସଲମାନ ଖାନଙ୍କ ଅଭିନୀତ ଅଲ୍ଲୀ ଆବାସ ଜାଫରଙ୍କ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିବ। ଏଥିରେ ସଲମାନଙ୍କ ସହିତ କାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ଚଳିତ ବର୍ଷ ଇଦ୍ ସମୟରେ ରିଲିଜ କରାଯିବ।