• padmabati kund

କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ : ବ୍ୟାନ ହଉ "ଟିକ୍ ଟକ୍"


(ବେତାର ବ୍ୟୁରୋ) ଚୀନ ଦେଶରେ ଉଦ୍ଭାବିତ ଲୋକପ୍ରିୟ ଭିଡିଓ ଶେୟର ଆପ୍ ‘ଟିକ୍ ଟକ୍’ ଡାଉନଲୋଡ ଉପରେ ବ୍ୟାନ ଲଗାଇବା ପାଇଁ ମାଡ୍ରାସ ହାଇକୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଟିକ୍ ଟକ୍ ଆପରେ ପ୍ରସ୍ତୁତ ହୋଇଥିବା ଭିଡିଓକୁ ପ୍ରସାରଣ ନକରିବା ପାଇଁ ଗଣମାଧ୍ୟମକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଟିକ୍ ଟକ୍ ଭିଡିଓରେ ଦିନକୁ ଦିନ ଅଶ୍ଳୀଳତାର ବୃଦ୍ଧି ପାଉଥିବାରୁ କୋର୍ଟ ତରଫରୁ ଏପରି ନିର୍ଦ୍ଦେଶ ଦିଆଯାଇଛି।

ମାଡ୍ରାସ ହାଇକୋର୍ଟ ଏହି ଟିକ୍ ଟକ୍ ଆପ୍ ବିରୁଦ୍ଧରେ ଦାଖଲ ହୋଇଥିବା କେସର ଶୁଣାଣୀ ସମୟରେ କହିଛନ୍ତି ଯେ, ଯେଉଁ ପିଲାମାନେ ଟିକ୍ ଟକ୍ ବ୍ୟବହାର କରୁଛନ୍ତି ସେମାନେ ଯୌନ ଶିକାରୀଙ୍କ ସମ୍ପର୍କରେ ସହଜରେ ଆସିପାରିବେ। ଏହି ଆପ୍ ବିରୁଦ୍ଧରେ ମଦୁରାଇର ଜଣେ ବରିଷ୍ଠ ଓକିଲ ତଥା ସାମାଜିକ କାର୍ଯ୍ୟକର୍ତ୍ତା ମୁଥୁ କୁମାର କେସ୍ ଦାଖଲ କରିଥିଲେ। ସାହିତ୍ୟକୁ ଅଶ୍ଳୀଳ କରିବା, ବାଳ ଶୋଷଣ ଓ ଆତ୍ମହତ୍ୟାକୁ ପ୍ରଶୟ ଦେଉଥିବା ଏହି ଆପକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଅନୁରୋଧ କରିଥିଲେ।

ନିୟମ ଲାଗୁ

ଏହାକୁ ବ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଜଷ୍ଟିସ କିରୁୱାକରଣ ଓ ଏସ.ଏସ. ସୁନ୍ଦର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଯେପରି ଆମେରିକାରେ ପିଲାମାନଙ୍କର ସୁରକ୍ଷା ପାଇଁ children online privacy protect act ରହିଛି, ଯଦି ଭାରତରେ ସେହିପରି ନିୟମ ଲାଗୁ କରାଯିବାର ବିଚାର କରାଯାଉଛି ତେବେ ଏନେଇ ଆସନ୍ତା ଏପ୍ରିଲ 16 ମଧ୍ୟରେ ଉତ୍ତର ଦିଅନ୍ତୁ।

ଖବର ପ୍ରସାରଣ ଏଜେନ୍ସି ରଏଟରକୁ ଟିକ୍ ଟକର ପ୍ରବକ୍ତା କହିଛନ୍ତି ଯେ, କମ୍ପାନୀ ଭାରତର ପାଇଁ ପ୍ରତିବଦ୍ଧ ଅଟେ ଓ ଆମେ କୋର୍ଟର ଆଦେଶକୁ ଅପେକ୍ଷା କରିଛୁ। ଏହାପରେ ଉଚିତ ପଦକ୍ଷେପ ନିଆଯିବ। ଏକ ସୁରକ୍ଷିତ ଓ ସକାରାତ୍ମକ ବାତାବରଣ ସୃଷ୍ଟି କରିବା କମ୍ପାନୀର ପ୍ରାଥମିକତା ବୋଲି ସେ କହିଛନ୍ତି।

କିଛି ମାସ ପୂର୍ବରୁ ଏ.ଆଇ.ଡି.ଏମ.କେର ବିଧାୟକ ତାମିଲନାଡୁ ବିଧାନସଭାରେ ଏହି ଟିକ୍ ଟକ୍ ଆପ୍ ଉପରେ ବ୍ୟାନ ଲଗାଇବା ପାଇଁ ସ୍ଵର ଉଠାଇଥିଲେ। ଏହି ଆପ୍ ଆମ ସଂସ୍କୃତିକୁ ଦୁର୍ବଳ କରୁଛି ବୋଲି ସେ କହିଥିଲେ।

ସୁପରହିଟ ଆପ୍

ଚୀନର ବେଜିଙ୍ଗସ୍ଥିତ କମ୍ପାନୀ ଦ୍ଵାରା ପ୍ରସ୍ତୁତ ଏହି ଆପକୁ ପ୍ରଥମେ ‘ମ୍ୟୁଜିକାଲି’ ନାମରେ ଲଞ୍ଚ କରାଯାଇଥିଲା। ପରେ ଏହାର ନାମବଦଳାଇ ଟିକ୍ ଟକ୍ ରଖାଯାଇଥିଲା। ଏଥିରେ ବ୍ୟବହାରକାରୀମାନେ ନିଜର ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି ଶେୟାର କରିଥାନ୍ତି। ଏହି ଆପ୍ ଜରିଆରେ ଫିଲ୍ମ ଡାଇଲଗ, ଗୀତ ଓ କମେଡି ଉପରେ ଲୋକମାନେ ଭିଡିଓ ପ୍ରସ୍ତୁତ କରିଥାନ୍ତି।

ଭାରତରେ ଏହା ବହୁତ ଲୋକପ୍ରିୟ ହୋଇଯାଇଛି। ଭାରତରେ ଏହି ଆପର ପ୍ରାୟ 104ମିଲିୟନରୁ ଅଧିକ ବ୍ୟବହାରକାରୀ ଅଛନ୍ତି ଓ ପ୍ରତି ମାସରେ ଏଥିରେ 54ମିଲିୟନରୁ ଅଧିକ ବ୍ୟବହାରକାରୀ ଆକ୍ଟିଭ ରହୁଛନ୍ତି।

#tiktokapp #court #tiktokban

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon