- padmabati kund
‘ପି.ଏମ ନରେନ୍ଦ୍ର ମୋଦୀ’ ଫିଲ୍ମର ରିଲିଜ ତାରିଖ ଘୁଞ୍ଚିଲା

(ବେତାର ବ୍ୟୁରୋ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ପି.ଏମ ନରେନ୍ଦ୍ର ମୋଦୀ’କୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ଲାଗିରହିଛି। କିଛି ନା କିଛି ବିବାଦକୁ ନେଇ ଫିଲ୍ମଟି ଖୁବ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ଆଗ୍ରହର ସହ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଫିଲ୍ମକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଫିଲ୍ମର ରିଲିଜ ତାରିଖକୁ ପୁଣିଥରେ ବଦଳାଇ ଦିଆଯାଇଛି। ଏପ୍ରିଲ 5 ତାରିଖରେ ଫିଲ୍ମଟି ରିଲିଜ କରାଯିବ ନାହିଁ।
ବରିଷ୍ଠ ଫିଲ୍ମ ସମୀକ୍ଷକ କୋମଲ ନାହଟା ହିନ୍ଦୀ ନ୍ୟୁଜ ଚ୍ୟାନେଲ ଆଜତକକୁ କହିଛନ୍ତି ଯେ, ଫିଲ୍ମ ପି.ଏମ ନରେନ୍ଦ୍ର ମୋଦୀର ରିଲିଜ ତାରିଖକୁ ଏକ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହାପୂର୍ବରୁ ମଧ୍ୟ ଫିଲ୍ମ ରିଲିଜ ତାରିଖକୁ ପରିବର୍ତ୍ତନ କରଯାଇଥିଲା। ପ୍ରଥମେ ଫିଲ୍ମକୁ ଏପ୍ରିଲ 12ରେ ରିଲିଜ କରାଯିବ ବୋଲି ଘୋଷଣା କରାଯାଇଥିଲା, ପରବର୍ତ୍ତୀ ସମୟରେ ଏପ୍ରିଲ 5 କୁ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ପୁଣିଥରେ ରିଲିଜ ତାରିଖ ଘୁଞ୍ଚିବା ପରେ ଫିଲ୍ମଟି ଏପ୍ରିଲ12 ରେ ରିଲିଜ ହୋଇପାରେ ବୋଲି ଅନୁମାନ କରାଯାଉଛି।
ତେବେ ଫିଲ୍ମ ରିଲିଜ ତାରିଖ ଘୁଞ୍ଚିବାର କାରଣ ବର୍ତ୍ତମାନ ଜଣାପଡିନାହିଁ। ଆଗକୁ ଦେଶରେ ନିର୍ବାଚନ ଥିବାରୁ ଫିଲ୍ମ ରିଲିଜକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆପତ୍ତି ଆଣିଥିଲେ। ଲୋକସଭା ନିର୍ବାଚନର ଫଳାଫଳ ନଆସିବା ପର୍ଯ୍ୟନ୍ତ ଫିଲ୍ମ ରିଲିଜକୁ କଂଗ୍ରେସ, ଡିଏମକେ ଓ ମହାରାଷ୍ଟ୍ରର ନବନିର୍ମାଣ ସେନା କଡା ବିରୋଧ କରିଥିଲେ। ଏହି ଦଳ ଗୁଡିକର କହିବା ଅନୁଯାୟୀ, ଏହି ଫିଲ୍ମ ରିଲିଜ ଦ୍ଵାରା ଲୋକସଭା ନିର୍ବାଚନରେ ଭୋଟରଙ୍କ ଉପରେ ପ୍ରଭାବ ପଡିବ।

ଦିଲ୍ଲୀ ଓ ବମ୍ବେ ହାଇକୋର୍ଟ ମଧ୍ୟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ। ଏହାପରେ ନିର୍ବାଚନ ଆୟୋଗ ମଧ୍ୟ ଫିଲ୍ମ ରିଲିଜ ବନ୍ଦ କରିବାକୁ ମନା କରିଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମକୁ ଉମଙ୍ଗ କୁମାର ନିର୍ଦ୍ଦେଶନା ଦେଇଛନ୍ତି ଓ ସୁରେଶ ଓବରୟ, ସନ୍ଦୀପ ସିଂହ ଓ ଆନନ୍ଦ ପଣ୍ଡିତ ଏହାର ପ୍ରଯୋଜନା ଦେଇଛନ୍ତି।
ତେବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି ଓ ଫିଲ୍ମର ପୋଷ୍ଟର ଜାନୁୟାରୀ 7 ତାରିଖରେ ମୋଟ 23ଭାଷାରେ ରିଲିଜ କରାଯାଇଥିଲା। ଫିଲ୍ମର ଟ୍ୟାଗ ଲାଇନ ରହିଛି ‘ଦେଶ ଭକ୍ତି ହିଁ ମେରି ଶକ୍ତି ହେ’। ତେବେ ନରେନ୍ଦ୍ର ମୋଦିଙ୍କ ଏହି ବାୟୋପିକରେ ତାଙ୍କ ଜୀବନର ଅନେକ ଘଟଣା ଉପରୁ ପରଦା ଉଠିବ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫିଲ୍ମ ନିର୍ମାଣକାରୀ ମାନେ ଦୀର୍ଘ ୨ ବର୍ଷ ଧରି ଏହି ପ୍ରୋଜେକ୍ଟ ଉପରେ କାମ କରିଛନ୍ତି ।