- padmabati kund
ମୋବାଇଲରେ ଉପନ୍ୟାସ,ପୁସ୍ତକ ପଢିବା ପାଇଁ ଆସିଲା ଏୟାରଟେଲର ନୂଆ ଆପ୍

(ବେତାର ବ୍ୟୁରୋ) ଟେଲିକମ କମ୍ପାନୀ ଏୟାରଟେଲ ତରଫରୁ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ସେବା ଆରମ୍ଭ କରାଯାଇଛି। ଇ-ବୁକ୍ ସର୍ଭିସ ‘ଏୟାରଟେଲ ବୁକ୍’କୁ ଲଞ୍ଚ କରାଯାଇଛି। ଏୟାରଟେଲର ଏହି ନୂଆ ସେବାକୁ ଏୟାରଟେଲ ଗ୍ରାହକଙ୍କ ବ୍ୟତୀତ ଅନ୍ୟ ନେଟୱାର୍କର ଗ୍ରାହକମାନେ ମଧ୍ୟ ବ୍ୟବହାର କରିପାରିବେ।
ଏହି ‘ଏୟାରଟେଲ ବୁକ୍’ରେ ଗ୍ରାହକମାନେ ଦେଶ ବିଦେଶର ପ୍ରଖ୍ୟାତ ଲେଖକଙ୍କର ବହି ପଢିପାରିବେ। ଆରମ୍ଭରୁ ଏଥିରେ ପ୍ରାୟ ୭୦ହଜାରରୁ ଅଧିକ ଇ-ବୁକ୍ ସାମିଲ କରାଯାଇଛି ଓ ଆଗକୁ ଏଥିରେ ଇ-ବୁକ୍ କଲେକ୍ସନ ମଧ୍ୟ ବୃଦ୍ଧି ପାଇବ। ଆରମ୍ଭରୁ ଏଥିରେ ଏୟାରଟେଲ ଗ୍ରାହକଙ୍କୁ ୩୦ଦିନ ପାଇଁ ଫ୍ରୀ-ଟ୍ରାୟଲ ଦିଆଯିବ ଓ ଏହାସହିତ ରିଡର କ୍ଲବ ସବସ୍କ୍ରିପସନର ମଧ୍ୟ ଲାଭ ମିଳିବ।
ଇ-ବୁକ୍ ସର୍ଭିସର ରିଡର କ୍ଲବରେ ସବସ୍କ୍ରିପସନ ନେବା ପାଇଁ ବାର୍ଷିକ ଟ.୧୯୯ ଦେବାକୁ ପଡିବ ଓ ଛଅମାସ ପାଇଁ ଟ.୧୨୯ ଦେବାକୁ ପଡିବ। ଗ୍ରାହକମାନେ ଏହି ଏ-ବୁକ୍ ସେବା ଜରିଆରେ ବହି ଗୁଡିକ ମଧ୍ୟ କିଣିପାରିବେ।
କମ୍ପାନୀ ତରଫରୁ କୁହାଯାଇଛି ଯେ, ଏହି ଏୟାରଟେଲ୍ ବୁକରେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର କାହାଣୀ ପଢିବାକୁ ମିଳିବ। ସେଥିମଧ୍ୟରେ ଅପରାଧ, ପ୍ରେମ, ସେକ୍ସ, ରୋମାନ୍ସ, ବ୍ୟବସାୟ, ଇତିହାସ ଓ ରାଜନୀତି, ଅଧ୍ୟାତ୍ମିକତା ଓ କ୍ଲାସିକ ପରି ଅନେକ ଶୈଳୀର ବହି ଉପଲବ୍ଧ ରହିବ।

ଏୟାରଟେଲର ଏହି ସେବାକୁ ବିଶେଷ କରି ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଲଞ୍ଚ କରାଯାଇଛି। ଏହାକୁ ଆଣ୍ଡ୍ରଏଡ ବ୍ୟବହାରକାରୀ ଗୁଗୁଲ ପ୍ଲେ-ଷ୍ଟୋର ଓ ଆଇଓଏସ ବ୍ୟବହାରକାରୀ ଆପଲ ଷ୍ଟୋରରୁ ଡାଉନଲୋଡ କରିପାରିବେ।
ଏହି ନୂଆ ସେବାକୁ ନେଇ ଏୟାରଟେଲର କଣ୍ଟେଣ୍ଟ ଓ ଆପ୍ ର CEO ସମୀର ବତ୍ରା କହିଛନ୍ତି ଯେ, ମ୍ୟୁଜିକ ଓ ଭିଡିଓ ସହିତ ଇ-ବୁକର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ବଡସ୍କ୍ରିନ ଥିବା ସ୍ମାର୍ଟଫୋନ ଆସିବା ପରେ ଲୋକମାନଙ୍କର ଡିଜିଟାଲ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି। ତେଣୁ ଲୋକଙ୍କ ପସନ୍ଦ ଅନୁଯାୟୀ ଏୟାରଟେଲ ଏହି ନୂଆ ସେବା ଲଞ୍ଚ କରିଛି।
ଏହାପୂର୍ବରୁ ଆମାଜନ ତରଫରୁ ମଧ୍ୟ ଇ-ବୁକ୍ ସେବା ‘କିଣ୍ଡଲ’ ଆରମ୍ଭ କରାଯାଇଥିଲା। ଏୟାରଟେଲ ଇ-ବୁକ୍ ରେ ରିଡର୍ କ୍ଲବର ସଦସ୍ୟଙ୍କୁ ପାଞ୍ଚ ହଜାର ବହି ମିଳୁଥିବା ବେଳେ ଏହାର ପ୍ରତିଦ୍ଵନ୍ଦୀ ଆମାଜନ କିଣ୍ଡଲରେ ୧୦ଲକ୍ଷରୁ ଅଧିକ ବହି ପାଇଁ ପ୍ରତି ମାସକୁ ଟ.୧୬୯ ଦେବାକୁ ପଡିଥାଏ।