- padmabati kund
ଆଇପିଏଲ 2019 : ଜିତିବା ପାଇଁ ସଂଘର୍ଷ କରିବେ ଚେନ୍ନାଇ ଓ ମୁମ୍ବାଇ

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ 2019ରେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ନରେ
ପ୍ରଥମ ମ୍ୟାଚ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଏବଂ ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯିବ। ଆଇପିଏଲ 2019 ଆରମ୍ଭରୁ ଖରାପ ପ୍ରଦର୍ଶନ କରିବା ପରେ ବିଜୟ ଧାରାକୁ ଫେରିଥିବା ମୁମ୍ବାଇ ଦଳ ଏହି ମ୍ୟାଚରେ ମଧ୍ୟ ହାଇଦ୍ରାବାଦ ବିରୁଦ୍ଧରେ ଭଲ ପ୍ରଦର୍ଶନ କରିବାର ଲକ୍ଷ୍ୟ ରଖିବ।
ଚମତ୍କାର ଫର୍ମରେ ହାଇଦ୍ରାବାଦ ଓପନର
ଲଗାତାର ତିନୋଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନରେ ଥିବା ସନ ରାଇଜର୍ସ ହାଇଦ୍ରାବାଦ ନିଜର ଏହି ବିଜୟଧାରାକୁ ଜାରି ରଖିବାକୁ ପ୍ରୟାସ କରିବ। ସନ ରାଇଜର୍ସ ହାଇଦ୍ରାବାଦର ଦୁଇ ଓପନର ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ ଏହି ସିଜିନରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।ଏହି ଦୁଇ ଖେଳାଳୀ ମୋଟ ଚାରୋଟି ମ୍ୟାଚରୁ ତିନୋଟି ମ୍ୟାଚରେ ଶତକୀୟ ଇନିଙ୍ଗ୍ସ ଖେଳିଛନ୍ତି।

ପ୍ରଥମେ କୋଲକାତା ନାଇଟ ରାଇଡ଼ର୍ସ ବିରୁଦ୍ଧରେ 118ରନର ଇନିଙ୍ଗ୍ସ ଖେଳିବା ପରେ ୱାର୍ଣ୍ଣର ଓ ବେୟାରଷ୍ଟୋଙ୍କ ଯୋଡି ରାଜସ୍ଥାନ ବିରୁଦ୍ଧରେ 110ରନ ଓ ବାଙ୍ଗାଲୋର ବିରୁଦ୍ଧରେ 185ରନର ଇନିଙ୍ଗ୍ସ ଖେଳିଥିଲେ। ମୁମ୍ବାଇ ବିରୁଦ୍ଧରେ ଉଭୟ ଖେଳାଳୀଙ୍କ ଏପରି ପ୍ରଦର୍ଶନ ଜାରି ରହିବ ବୋଲି ଆଶା ରହିଛି। ଏହାସହିତ ହାଇଦ୍ରାବାଦର ବୋଲର ରାସିଦ ଖାନ ଓ ଭୁବନେଶ୍ଵର କୁମାର ମଧ୍ୟ ନିଜର ଭଲ ପ୍ରଦର୍ଶନ ଜାରି ରଖି ମୁମ୍ବାଇ ବିରୁଦ୍ଧରେ ଦଳକୁ ଜିତାଇବାର ପ୍ରୟାସ କରିବେ।
ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ପୂର୍ବ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇଥିଲା, ଯାହାକି ଚେନ୍ନାଇ ସୁପରକିଙ୍ଗର ଚଳିତ ସିଜିନରେ ପ୍ରଥମ ପରାଜୟ ଥିଲା। ପଏଣ୍ଟ ତାଲିକାରେ ଷଷ୍ଠ ସ୍ଥାନରେ ଥିବା ଏହି ଦଳ ହାଇଦ୍ରାବାଦ ବିରୁଦ୍ଧରେ ମ୍ୟାଚ ଜିତି ପଏଣ୍ଟ ତାଲିକାରେ ଆଗକୁ ବଢିବାର ଲକ୍ଷ୍ୟ ରଖିବ। ଏଥିପାଇଁ ମୁମ୍ବାଇର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଯୁବରାଜ ସିଂହ, ସୂର୍ଯ୍ୟକୁମାର ଯାଦବ, କ୍ଵିଣ୍ଟନ ଡ଼ିକକ୍, କାୟରନ ପୋଲର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ।
ଓପନରଙ୍କ ଫର୍ମକୁ ନେଇ ଚିନ୍ତାରେ ଚେନ୍ନାଇ

ଆଇପିଏଲ 2019ରେ ଶନିବାର ଅପରାହ୍ନରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ପ୍ରଥମ ତିନୋଟି ମ୍ୟାଚ ଜିତିଥିବା ଚେନ୍ନାଇ ଦଳର ଓପନରଙ୍କ ଫର୍ମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ଚେନ୍ନାଇର ଓପନର ଅମ୍ବତି ରାୟୁଡୁ ମୋଟ ଚାରିଟି ମ୍ୟାଚରେ 34ରନ୍ କରିଥିବା ବେଳେ ସେନ ୱାଟସନ ମଧ୍ୟ ସେତେଟା ଭଲ ପ୍ରଦର୍ଶନ କରିନାହାନ୍ତି। ଏପରି ସମୟରେ ଚେନ୍ନାଇ ଦଳ ମୁରଲୀ ବିଜୟଙ୍କୁ ଦଳରେ ସାମିଲ କରିପାରେ।
ଅନ୍ୟପଟେ ପଞ୍ଜାବ ଦଳର ସମସ୍ତ ଖେଳାଳୀ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଏହାସତ୍ତ୍ଵେ ଓପନର କେ.ଏଲ ରାହୁଲଙ୍କ ଆହୁରି ଭଲ ପ୍ରଦର୍ଶନ ଦଳ ଆଶା ରଖିବ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଚାରିଟି ମ୍ୟାଚରେ ମୋଟ 91ରନ ହିଁ ସଂଗ୍ରହ କରିଛନ୍ତି। ପୂର୍ବ ମ୍ୟାଚରେ ବିଶ୍ରାମ ନେଇଥିବା କ୍ରିସ ଗେଲଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇପାରେ। ପଏଣ୍ଟ ତାଲିକାରେ ଉଭୟ ଦଳଙ୍କ ପାଖରେ ସମାନ ପଏଣ୍ଟ ରହିଛି, ତେଣୁଏହି ମ୍ୟାଚରେ ବିଜୟ ହାସଲ କରି ଉଭୟ ଦଳ ଆଗକୁ ବଢିବାକୁ ଲକ୍ଷ୍ୟ ରଖିବ।