- ବେତାର ବ୍ୟୁରୋ
ସିଭିଲ ସର୍ଭିସ ପରୀକ୍ଷାରେ ଓଡିଶାରୁ 24ଜଣଙ୍କ ସଫଳତା

(ବେତାର ବ୍ୟୁରୋ) ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ଵାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା-2018ର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ତେବେ ଏହି ପରୀକ୍ଷାରେ ଓଡିଶାରୁ ମୋଟ 24ଜଣ ପରୀକ୍ଷାର୍ଥୀ କୃତିତ୍ବ ହାସଲ କରିଛନ୍ତି।
ଏହି ପରୀକ୍ଷାରେ ସାରାଦେଶରେ ଆଇଆଇଟି ମୁମ୍ବାଇ ବିଟେକ୍ ଛାତ୍ର କନିଷ୍କ କଟାରିଆ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଦ୍ଵିତୀୟ ସ୍ଥାନରେ ଅକ୍ଷତ ଜୈନ, ତୃତୀୟରେ ଯୁନେଦ ମହମ୍ମଦ, ଚତୁର୍ଥ ସ୍ଥାନରେ ଶ୍ରେୟାଂସ କୁମତ ଓ ପଞ୍ଚମ ସ୍ଥାନରେ ସୃଷ୍ଟି ଜୟନ୍ତ ଦେଶମୁଖ ରହିଛନ୍ତି। ତେବେ ପଞ୍ଚମ ସ୍ଥାନରେ ରହିଥିବା ସୃଷ୍ଟି ଜୟନ୍ତ ଦେଶମୁଖ ମହିଳା ଟପ୍ପର ରହିଛନ୍ତି ଓ ନକ୍ସଲ ପ୍ରଭାବିତ ଦାନ୍ତେୱାଡାର ନମ୍ରତା ଜୈନ 12ତମ ସ୍ଥାନରେ ରହିଛନ୍ତି।
ଓଡିଶାରୁ 24ପ୍ରାର୍ଥୀଙ୍କ କୃତିତ୍ତ୍ଵ
ଝାଡଖଣ୍ଡର ଜମସେଦପୁରରେ ରହୁଥିବା ଜଣାଶୁଣା ଓଡିଆ କବି ଓ ସଂଗଠକ ବାଦଲ ଭୂୟାଁ ଓ ଗୃହିଣୀ ସୀମା ଦାସଙ୍କ ସୁପୁତ୍ରୀ ଅନ୍ୟା ଦାସ 60ତମ ସ୍ଥାନ ଅଧିକାର କରିଛନ୍ତି।
ଓଡିଶାରୁ କୃତିତ୍ତ୍ଵ ହାସଲ କରିଥିବା ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୌମ୍ୟରଞ୍ଜନ ରାଉତ(118), ଉପାସନା ମହାପାତ୍ର(119), ଶମ୍ଭବୀ ମିଶ୍ର(199), ଜୁବିନ ମହାପାତ୍ର(235), ଆଦିତ୍ୟ ମିଶ୍ର(247), ରବିକେଶ ତ୍ରିପାଠୀ(292), ଦୀପ୍ତି ବାଗ(297), ପ୍ରଶାନ୍ତ ମିଶ୍ର(367), ସୌରଭ ମିଶ୍ର(357), ଆଦିତି ସିଂହ(388), ଶୁଭେନ୍ଦୁ କୁମାର ପାତ୍ର(456), ସୋମାଲିନ ଶୁଭଦର୍ଶିନୀ(478), ସୁଧାଂଶୁ ନାୟକ(500), ଦୀପକ କୁମାର ମିଶ୍ର(511), ସଞ୍ଜୟ ସାହୁ(526), ଦେବରାଜ ଦାସ(529), ସିଦ୍ଧାନ୍ତ ଗୌତମ (538), ଅଜୟ ଚୌଧୁରୀ(545), ସୋମାନନ୍ଦ ସାହୁ(554), ଯୋଗେଶ ପଟେଲ(592), ରାକେଶ କୁମାର ସାହୁ(627), ଭୁକ୍ୟାଚରଣ ନାଏକ(699) ଓ ବିଭୁତି ଭୂଷଣ ନାୟକ(759) ରହିଛନ୍ତି।
ଏଥର ଚୁଡାନ୍ତ ପରୀକ୍ଷାରେ ବିଶେଷକରି ମହିଳାମାନେ ଉତ୍ତମ ପ୍ରଦର୍ଶନ କରିଥିବା ବେଳେ ମୋଟ 759ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ 577ଜଣ ପୁରୁଷ ଥିବା ବେଳେ 182ଜଣ ମହିଳା ରହିଛନ୍ତି। ଶ୍ରେଷ୍ଠ 25ଟି ସ୍ଥାନରେ 10ଜଣ ମହିଳା ଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଏଥର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ଲାଗି ସାଧାରଣ ବର୍ଗରେ 91ଜଣ, ପଛୁଆ ବର୍ଗ(ଓବିସି)ରେ 48ଜଣ, ତଫସିଲଭୁକ୍ତ ଜାତି (ଏସସି)ରେ 27ଜଣ ଓ ତଫସିଲଭୁକ୍ତ ଜନଜାତି(ଏସଟି)ରେ 14ଜଣଙ୍କୁ ମିଶାଇ ମୋଟ 180ଟି ପଦ ପାଇ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହିପରି ଭାରତୀୟ ବିଦେଶ ସେବା (ଆଇଏଫଏସ) ଲାଗି ସାଧାରଣ ବର୍ଗରେ 18, ଓବିସିରେ 9, ତଫସିଲଭୁକ୍ତ ଜାତି(ଏସସି)ରେ 5 ଓ ତଫସିଲଭୁକ୍ତ ଜନଜାତିରେ ଜଣକୁ ମିଶାଇ ମୋଟ 30ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
ଏହାସହିତ ଭାରତୀୟ ପୋଲିସ ସେବା (ଆଇପିଏସ) ପାଇଁ ସାଧରଣ ବର୍ଗରେ 75ଟି, ଓବିସି ପାଇଁ 42ଟି, ତଫସିଲଭୁକ୍ତ ଜାତି(ଏସସି)ପାଇଁ 24ଟି ଓ ତଫସିଲଭୁକ୍ତ ଜନଜାତି(ଏସଟି) ପାଇଁ 9ଟି ପଦବୀ ସହିତ ମୋଟ 150ଟି ପଦବୀ ପ୍ରକାଶ ପାଇଥିଲା। ସେହିଭଳି କେନ୍ଦ୍ରୀୟ ସେବା ଗ୍ରୁପ-ଏ ଲାଗି 384ଟି ପଦ ଏବଂ ଗ୍ରୁପ-ବି ସେବା ଲାଗି 68ଟି ଖାଲିଥିବା ପଦ ଲାଗି ନିଯୁକ୍ତି ସୂଚନା ପ୍ରକାଶ ପାଇଥିଲା।