- ବେତାର ବ୍ୟୁରୋ
ସୋସିଆଲ ମିଡିଆରେ ନିର୍ବାଚନ ପ୍ରଚାର : ଆଗରେ ବିଜେପି, ତୃତୀୟରେ ବିଜେଡି

(ବେତାର ବ୍ୟୁରୋ) ନିର୍ବାଚନରେ ଯୁବପିଢୀଙ୍କୁ ପ୍ରଥମିକତା ଦେଉଥିବା ଦଳଗୁଡିକ ସୋସିଆଲ ମିଡିଆରେ ନିଜର ନିର୍ବାଚନୀ ପ୍ରଚାର ତୀବ୍ର କରିଛନ୍ତି ।
ଗତ ଫେବୃୟାରି ଓ ମାର୍ଚ୍ଚ --ଏହି ଦୁଇମାସରେ ବିଭିନ୍ନ ଦଳମାନେ ଫେସବୁକରେ ମୋଟ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ବିଜ୍ଞାପନ ଦେଇଛନ୍ତି । ତେବେ ଫେସବୁକ ବିଜ୍ଞାପନରେ ବିଜେପି ସବୁଠାରୁ ଆଗରେ ଥିବାବେଳେ ତାପଛକୁ ରହିଛି କଂଗ୍ରେସ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ଯେ, ଓଡ଼ିଶାର ଆଞ୍ଚଳିକ ଦଳ ବା ଶାସକ ବିଜେଡି ଏହି ତାଲିକାର ୩ୟ ସ୍ଥାନରେ ରହିଛି । ଗତ ଦୁଇମାସ ମଧ୍ୟରେ ବିଜେପି ଫେସବୁକ ପ୍ରଚାରରେ ପ୍ରାୟ ୩ହଜାର ୭୦୦ଟି ବିଜ୍ଞାପନ ଦେଇଥିବାବେଳେ ଏଗୁଡ଼ିକର ମୂଲ୍ୟ ୨.୨୩ କୋଟି ଟଙ୍କା ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, କେବଳ ମାର୍ଚ୍ଚ ମାସରେ ଦେଶର ସର୍ବଭାରତୀୟ ରାଜନୈତିକ ଦଳମାନେ ଫେସବୁକରେ ବିଜ୍ଞାପନ ଲାଗି ୪ କୋଟିରୁ ଅଧିକ ଟଙ୍କା ବ୍ୟୟ କରି ଛନ୍ତି। କେନ୍ଦ୍ରରେ ଶାସନରେ ଥିବା ବିଜେପି ଏ ବାବଦରେ ୨ କୋଟିରୁ ଅଧିକ ଖର୍ଚ୍ଚ କେବଳ ଗତ ମାସରେକରିଛି।
ତେବେ ଭାଜପା ତୁଳନାରେ ଭାରତୀୟ ଜାତୀୟ କଂଗ୍ରେସ ୪୧୦ ବିଜ୍ଞାପନ ଦେଇ ଫେବୃୟାରୀରୁ ମାର୍ଚ୍ଚ ମଧ୍ୟରେ ୫.୯୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି।
ଆଞ୍ଚଳିକ ଦଳ
ଦେଶରେ ଯେତିକି ଆଞ୍ଚଳିକ ଦଳ ଅଛନ୍ତି ସେମାନଙ୍କ ମଧ୍ୟରେ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ ସୋସିଆଲ ନେଟ୍ଓ୍ଵାର୍କିଂ ସାଇଟରେ ରାଜନୈତିକ ବିଜ୍ଞାପନ ଲାଗି ସର୍ବାଧିକ ଖର୍ଚ୍ଚ କରିଥିବା ଆଞ୍ଚଳିକ ଦଳ ବୋଲି ଜଣାପଡ଼ିଛି। ଫେସବୁକ୍ଆଡ୍ଆର୍କାଇଭ୍ପ ତରଫରୁ ମିଳିଥିବା ତଥ୍ୟରୁ ଏହା ସାମ୍ନାକୁ ଆସିଛି। ସୋସିଆଲ୍ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ ବ୍ୟାପାରରେ ବିଜେଡି ପଛକୁ ନ୍ୟାସାଲିଷ୍ଟ କଂଗ୍ରେସ ପାର୍ଟି, ତେଲୁଗୁ ଦେଶମ୍ ପାର୍ଟି ଓ ଓ୍ଵାଇଏସ୍ଆର କଂଗ୍ରେସ ରହିଛନ୍ତି।
ବିଜୁ ଜନତା ଦଳ(ବିଜେଡି) ବିଜ୍ଞାପନ ବାବଦରେ ୮.୫୬ ଲକ୍ଷ ଟଙ୍କା, ତେଲୁଗୁ ଦେଶମ ପାର୍ଟି(ଟିଡିପି) ୧.୫୮ ଲକ୍ଷ ଟଙ୍କା ଏବଂ ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ଏହି ଅବଧିରେ ୫୮,୩୫୫ ଟଙ୍କା ବ୍ୟୟ କରିଛି।
ସୂଚନାଥାଉ କି, ଗତ କିଛି ମାସ ହେଲା ଫେସ୍ବୁକ, ଟୁଇଟର ଓ ଗୁଗଲ ରାଜନୈତିକ ବିଜ୍ଞାପନ ବାବଦରେ ଖର୍ଚ୍ଚରେ ସ୍ବଚ୍ଛତା ଆଣିବା ଲାଗି ପ୍ରତିଶ୍ରୁତି ଦେଇ ଏକାଧିକ ପଦକ୍ଷେପ ଘୋଷଣା କରିଥିଲେ। ଭାରତରେ ଫେସ୍ବୁକ୍ର ୨୦ କୋଟି ୟୁଜର ରହିଛନ୍ତି।
ଏଥିପୂର୍ବରୁ ‘ଭାରତୀୟ ସ୍ବଚ୍ଛତା ରିପୋର୍ଟ’ ଅନୁସାରେ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲରେ ବିଜ୍ଞାପନ ବାବଦରେ ଖର୍ଚ୍ଚରେ ଭାଜପା ସମସ୍ତ ରାଜନୈତିକ ଦଳଗୁଡ଼ିକୁ ପଛରେ ପକାଇ ଦେଇଛି।
ରିପୋର୍ଟ ଅନୁଯାୟୀ, ରାଜନୈତିକ ଦଳଗୁଡ଼ିକ ଏବଂ ସେମାନଙ୍କ ସମର୍ଥକଙ୍କ ପକ୍ଷରୁ ଫେବୃୟାରୀ, ୨୦୧୯ ସୁଦ୍ଧା ବିଜ୍ଞାପନ ବାବଦରେ ୩.୭୬ କୋଟି ଟଙ୍କା ବ୍ୟୟ କରିଛନ୍ତି। ଭାଜପା ଏ ବାବଦରେ ୧.୨୧ କୋଟି ଟଙ୍କା ଖର୍ଚ୍ଚ କରି ତାଲିକାର ଶୀର୍ଷରେ ରହିଛି, ଯାହାକି ଗୁଗଲରେ ମୋଟ ବିଜ୍ଞାପନ ଖର୍ଚ୍ଚର ୩୨ ପ୍ରତିଶତ।