- padmabati kund
ଚେନ୍ନାଇ Vs କୋଲକାତା : ଧୋନି-ରସେଲ ଟକ୍କରରେ କିଏ ପଡିବ ଭାରୀ

(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) 2019ରେ ପଏଣ୍ଟ ତାଲିକାରେ ପ୍ରଥମ ସ୍ଥାନ ଓ ଦ୍ଵିତୀୟ ସ୍ଥାନରେ ଥିବା ଦୁଇଦଳ କୋଲକାତା ନାଇଟ୍ ରାଇଡ଼ର୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମଙ୍ଗଳବାର ଏମ.ଏ ଚିଦମ୍ବରମ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ସିଜିନରେ ଚାରିଟି ଲେଖାଏଁ ମ୍ୟାଚ ଜିତି ସମାନ ପଏଣ୍ଟ ହାସଲ କରିଛନ୍ତି। ତେବେ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନକୁ ଆସିବା ପାଇଁ ଦୁଇଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ।
ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁଇ ଦଳ ମଧ୍ୟରେ ମୋଟ 21ଟି ମ୍ୟାଚ ଖେଳାଯାଇଛି, ସେଥିମଧ୍ୟରୁ ଚେନ୍ନାଇ 12ଟି ମ୍ୟାଚ ଜିତିଥିବା ବେଳେ କୋଲକାତା 8ଟି ମ୍ୟାଚ ଜିତିଛି। ତେବେ ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ଦଳର ପ୍ରଦର୍ଶନ ବର୍ତ୍ତମାନ ବହୁତ ଭଲ ରହିଛି। ଏହି ଷ୍ଟାଡିୟମରେ ଚେନ୍ନାଇ ଶେଷ 5ଟି ମ୍ୟାଚରେ ବିଜୟୀ ହୋଇଛି। ତେବେ ଗତବର୍ଷ ଏହି ଦୁଇ ଦଳ ପରସ୍ପରକୁ ନିଜ ନିଜର ଘରୋଇ ଷ୍ଟାଡିୟମରେ ହରାଇବାରେ ସଫଳ ହୋଇଥିଲେ।
ସୁନ୍ଦର ଫର୍ମରେ କେକେଆର
ଚେନ୍ନାଇ ସୁପର କିଙ୍ଗ୍ସକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ବାଟରେ କୋଲକାତାର ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ ବାଧା ସୃଷ୍ଟି କରିପାରନ୍ତି। କୋଲକାତାର ଏହି ବ୍ୟାଟ୍ସମ୍ୟାନ ଚଳିତ ସିଜିନରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। କୋଲକାତାର ଏହି ଖେଳାଳୀ ପାଖରେ ମ୍ୟାଚରେ ଯେକୌଣସି ପରିସ୍ଥିତିରୁ ଦଳକୁ ଜିତାଇବାର ଦକ୍ଷତା ରହିଛି ଯାହାକି କୋଲକାତା ଓ ବାଙ୍ଗାଲୋର ମ୍ୟାଚରେ ପ୍ରମାଣିତ ହୋଇସାରିଛି।
କୋଲକାତା ନାଇଟ୍ ରାଇଡ଼ର୍ସ ପାଖରେ ଆଣ୍ଡ୍ରେ ରସେଲଙ୍କ ବ୍ୟତୀତ କ୍ରିସ ଲିନ, ରବିନ ଉତ୍ଥାପା ଓ ଦିନେଶ କାର୍ତ୍ତିକଙ୍କ ପରି ବ୍ୟାଟ୍ସମ୍ୟାନ ରହିଛନ୍ତି। ଏହାସହିତ ସୁନୀଲ ନାରାୟଣଙ୍କ ପାଖରେ ମଧ୍ୟ ବଡ ହିଟ୍ ମାରିବାର ଦକ୍ଷତା ରହିଛି। ଚେନ୍ନାଇର ହରଭଜନ ସିଂ, ଇମ୍ରାନ ତାହିର, ସେନ ୱାଟସନ, ଦୀପକ ଚହର ଓ ରବୀନ୍ଦ୍ର ଜାଡେଜାଙ୍କ ପାଖରେ ଏହି ଖେଳାଳୀଙ୍କୁ ଆଉଟ୍ କରିବାର ଦାୟିତ୍ଵ ରହିବ।

ଧୋନୀଙ୍କ ଭରସାରେ ଚେନ୍ନାଇ
ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଏହି ସିଜିନରେ ବହୁତ ଭଲ ପ୍ରଦର୍ଶନ କରିଆସୁଛି। ଚେନ୍ନାଇ ଦଳ ପାଖରେ ଏକ କମ ସ୍କୋର ହୋଇଥିବା ମ୍ୟାଚକୁ ମଧ୍ୟ ଜିତିବାରେ ସକ୍ଷମତା ଅଛି। ଚେନ୍ନାଇ ଦଳର ସବୁଠାରୁ ମଜଭୁତ ପକ୍ଷ ହେଉଛି ଏହାର ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଯିଏକି ନିଜର ରଣନୀତି ସାହାଯ୍ୟରେ ଯେକୌଣସି ଦଳକୁ ହରାଇ ପାରିଥାନ୍ତି। ଏହାପୂର୍ବରୁ ମଧ୍ୟ ସେ ପଞ୍ଜାବର କ୍ରିସ ଗେଲ୍ ଓ ବାଙ୍ଗାଲୋରର ବିରାଟ କୋହଲିଙ୍କୁ ଅଧିକ ରନ କରିବାକୁ ଦେଇନଥିଲେ। ତେବେ କୋଲକାତା ବିପକ୍ଷ ମ୍ୟାଚରେ ଆଣ୍ଡ୍ରେ ରସେଲଙ୍କୁ ସେ କିପରି ରୋକିପାରିବେ ତାହା ଦେଖିବାକୁ ବାକି ରହିଲା।
ଚେନ୍ନାଇର ବ୍ୟାଟ୍ସମ୍ୟାନ ଗତ ମ୍ୟାଚରେ ସେତେ ବଡ ସ୍କୋର କରିପାରିନଥିଲେ ମଧ୍ୟ କୋଲକାତା ବିରୁଦ୍ଧରେ ଏହି ମ୍ୟାଚରେ ବଡ ସ୍କୋର କରିବାର ପ୍ରୟାସ କରିବେ। ଫାଫ ଡୁପ୍ଲେସି, ସେନ ୱାଟସନ, ସୁରେଶ ରାଇନା, ଅମ୍ବତି ରାୟୁଡୁଙ୍କୁ ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ। ଏମାନଙ୍କୁ କୋଲକାତାର ତିନି ଷ୍ଟାର ବୋଲର କୁଳଦୀପ ଯାଦବ, ପୀୟୂଷ ଚାୱଲା ଓ ସୁନୀଲ ନାରାୟଣଙ୍କ ଠାରୁ ସାବଧାନ ରହିବାକୁ ପଡିବ, କାରଣ ଏହି ତିନି ବୋଲର ରନରେ ଅଙ୍କୁଶ ଲଗାଇବା ସହିତ ୱିକେଟ ନେବାର ମଧ୍ୟ ଦକ୍ଷତା ରଖନ୍ତି।