• ବେତାର ବ୍ୟୁରୋ

ଦେଶର ‘ଶ୍ରେଷ୍ଠ 100’ ଶିକ୍ଷାନୁଷ୍ଠାନରେ ଓଡିଶାରୁ ଚାରି


(ବେତାର ବ୍ୟୁରୋ) କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ‘ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍‌ ଫ୍ରେମୱାର୍କ (ଏନ୍‌ଆଇଆରଏଫ୍‌) ତରଫରୁ ଦେଶର ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନର ତାଲିକା ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକର ଖରାପ ପ୍ରଦର୍ଶନ ଜାରି ରହିଥିବା ବେଳେ ସାମଗ୍ରିକ ସଫଳତାକୁ ଆଧାରକରି ପ୍ରକାଶିତ ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ଓଡ଼ିଶାରୁ ୪ଟି ଶିକ୍ଷାନୁଷ୍ଠାନକୁ ସ୍ଥାନ ମିଳିଛି।

'ଶ୍ରେଷ୍ଠ ବିଶ୍ଵବିଦ୍ୟାଳୟ' ତାଲିକାରେ ଓଡ଼ିଶାରୁ ଦୁଇଟି ଶିକ୍ଷାନୁଷ୍ଠାନ ଥିବା ବେଳେ ଇଞ୍ଜିନିୟରି˚ରେ ୬ଟି, ମ୍ୟାନେଜମେଣ୍ଟରେ ୩ଟି, ମେଡିକାଲ ବିଭାଗରେ ୨ଟି ଶିକ୍ଷାନୁଷ୍ଠାନ ରହିଛନ୍ତି। ତେବେ ସାଧାରଣ କଲେଜ, ଫାର୍ମାସି, ଆର୍କିଟେକ୍‌ଚର ବିଭାଗରେ ଓଡ଼ିଶାରୁ କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି।

IIT,NIT ଉଠିଲେ, 'ସୋଆ' ଖସିଲା

‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକାରେ ଓଡିଶାର ରାଉରକେଲାସ୍ଥିତ ଏନ୍‌ଆଇଟି ଉନ୍ନତ ପ୍ରଦର୍ଶନ କରିଛି। ଗତବର୍ଷ ୪୨ତମ ସ୍ଥାନରେ ଥିବା ଏନ୍‌ଆଇଟି ଏଥର ୩୮ତମ ସ୍ଥାନକୁ ଉନ୍ନୀତ ହୋଇଛି। ଗତବର୍ଷ ୩୮ତମ ସ୍ଥାନରେ ରହି ଓଡ଼ିଶାର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଡିମ୍‌ଡ ବିଶ୍ଵବିଦ୍ୟାଳୟ ୫୦.୩୧ ମାର୍କ ସହ ୪୧ତମ ସ୍ଥାନକୁ ଖସିଛି। ୨୦୧୮‌ରେ ୫୧ତମ ସ୍ଥାନରେ ଥିବା ଆଇଆଇଟି ଭୁବନେଶ୍ଵର ଏଥର ୪୬ତମ ସ୍ଥାନକୁ ଉଠିଥିବା ବେଳେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌) ଡିମ୍‌ଡ ବିଶ୍ଵବିଦ୍ୟାଳୟ ୫୦ତମ ସ୍ଥାନରେ ରହିଛି। ୫୧ରୁ ଶହେ ମଧ୍ୟରେ ଓଡିଶାର କୌଣସି ଗୋଟିଏ ଶିକ୍ଷାନୁଷ୍ଠାନ ନାହାନ୍ତି। ଏହି ତାଲିକାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ୧୩୩ତମ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ୧୯୭ତମ ସ୍ଥାନରେ ରହିଛି।

୨୦୧୯ରେ ‘ଶ୍ରେଷ୍ଠ ଶହେ’ର ଶ୍ରେଷ୍ଠ ତାଲିକାରେ ପ୍ରଥମ ସ୍ଥାନରେ ଆଇଆଇଟି ମାଡ୍ରାସ୍‌, ଦ୍ଵିତୀୟ ସ୍ଥାନରେ ଆଇଆଇଏସ୍‌ ମାଡ୍ରାସ, ତୃତୀୟରେ ଆଇଆଇଟି ଦିଲ୍ଲୀ, ଚତୁର୍ଥରେ ଆଇଆଇଟି ବମ୍ବେ, ପଞ୍ଚମରେ ଆଇଆଇଟି ଖଡ଼ଗପୁର, ଷଷ୍ଠରେ ଆଇଆଇଟି କାନପୁର, ସପ୍ତମରେ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ, ଅଷ୍ଟମରେ ଆଇଆଇଟି ରୁର‌୍‌କି, ନବମରେ ଆଇଆଇଟି ଗୌହାଟୀ ଓ ଦଶମ ସ୍ଥାନରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ରହିଛି। ତାଲିକାର ଶ୍ରେଷ୍ଠଦଶ ମଧ୍ୟରେ ୭ଟି ଆଇଆଇଟି ସ୍ଥାନ ପାଇଛି।

ସେହିପରି ‘ଶ୍ରେଷ୍ଠ ଶହେ ବିଶ୍ଵବିଦ୍ୟାଳୟ’ ତାଲିକାରେ ଓଡିଶାର ସୋଆ ୨୪ତମ ସ୍ଥାନ ବଜାୟ ରଖିଛି। ୨୦୧୮ରେ ୪୨ତମ ସ୍ଥାନରେ ଥିବା କିଟ୍‌ ୩୧ତମ ସ୍ଥାନକୁ ଉଠିଛି। ଓୟୁଏଟି ୧୩୦ତମ ସ୍ଥାନକୁ ଖସିଆସିଛି। ଏହି ବିଭାଗରେ ଇଣ୍ତିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ, ବେଙ୍ଗାଲୁରୁ ପ୍ରଥମ ସ୍ଥାନ, ଜେଏନ୍‌ୟୁ ଦ୍ଵିତୀୟ ସ୍ଥାନ, ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ ତୃତୀୟସ୍ଥାନ, ୟୁନିଭରସିଟି ଅଫ୍‌ ହାଇଦ୍ରାବାଦ ଚତୁର୍ଥସ୍ଥାନ ଓ କଲିକତା ବିଶ୍ଵବିଦ୍ୟାଳୟ ପଞ୍ଚମ ସ୍ଥାନରେ ରହିଛନ୍ତି।

ଇଞ୍ଜିନିୟରି˚ବିଭାଗର ଶ୍ରେଷ୍ଠ ଶହେରେ ଓଡ଼ିଶାରୁ ୬ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛି। ଏଥିରେ ଏନ୍‌ଆଇଟି ରାଉରକେଲା ୧୬ତମ ସ୍ଥାନରେ, ଆଇଆଇଟି ଭୁବନେଶ୍ଵର ୧୭ତମ, ସୋଆ ବିଶ୍ଵବିଦ୍ୟାଳୟ ୩୨ତମ, କିଟ୍‌ ୪୮ତମ, ସିଭି ରମଣ କଲେଜ ଅଫ୍‌ ଇଞ୍ଜିନିୟରି˚ ୯୪ତମ ସ୍ଥାନରେ ରହିଛି। ଭିଏସ୍‌ଏସ୍‌ୟୁଟି ବୁର୍ଲା ୧୨୬ତମ ସ୍ଥାନକୁ ଉନ୍ନୀତ କରିଛି। ଏହି ବିଭାଗରେ ଆଇଆଇଟି ମାଡ୍ରାସ ପ୍ରଥମ, ଆଇଆଇଟି ଦିଲ୍ଲୀ ଦ୍ଵିତୀୟ, ଆଇଆଇଟି ବମ୍ବେ ତୃତୀୟ, ଆଇଆଇଟି ଖଡ଼ଗପୁର ଚତୁର୍ଥ, ଆଇଆଇଟି କାନପୁର ପଞ୍ଚମରେ ରହିଛି।

ନୂଆ ମୁହଁ

ମ୍ୟାନେଜମେଣ୍ଟ ବିଭାଗରେ କିଟ୍‌ ୩୦ତମ ସ୍ଥାନ ବଜାୟ ରଖିଥିବା ବେଳେ ଜାଭିୟର ବିଶ୍ଵବିଦ୍ୟାଳୟ ୪୪ତମ ସ୍ଥାନକୁ ଖସିଛି। ଇଣ୍ଟରନ୍ୟାସନାଲ ମ୍ୟାନେଜ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରଥମ ଥର ପାଇଁ ତାଲିକାକୁ ଆସିବା ସହ ୬୬ତମ ସ୍ଥାନରେ ରହିଛି। ମେଡିକାଲ ବିଭାଗରେ ସୋଆ ବିଶ୍ଵବିଦ୍ୟାଳୟ ୨୧ତମ ସ୍ଥାନରେ,କିଟ୍‌ ୩୦ତମ ସ୍ଥାନରେ ରହିଛି। ଏଥିସହିତ ଲ’ ବିଭାଗରେ ପ୍ରଥମ ଥର ପାଇଁ କିଟ୍‌ ବିଶ୍ଵବିଦ୍ୟାଳୟ ସ୍ଥାନ ପାଇବା ସହ ୧୨ତମ ସ୍ଥାନରେ ରହିଛି।

#universityranking #odishauniversity #NITrourkela

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon