• padmabati kund

ଅନୁଭବଙ୍କୁ ଦେଖିବାକୁ ବଳଦେବଜୀଉ ମନ୍ଦିରରେ ପଶିଲେ ଅଣହିନ୍ଦୁ, ଧୁଆ ହେଲା ମନ୍ଦିର


(ବେତାର ବ୍ୟୁରୋ)  ଓଲିଉଡ ଅଭିନେତା ଅନୁଭବ ମହାନ୍ତି କେନ୍ଦ୍ରାପଡାକୁ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ତାଙ୍କୁ ଦେଖିବା ପାଇଁ ଜଣେ ଅଣହିନ୍ଦୁ ଯୁବକ ବଳଦେବଜୀଉଙ୍କ ମନ୍ଦିରରେ ପଶିଯାଇଥିଲେ। 

ଏହି ଘଟଣାକୁ ନେଇ ସେଠାରେ ମଙ୍ଗଳବାର ଉତ୍ତେଜନା ସୃଷ୍ଟି ହେବା ସହ ସଂପୃକ୍ତ ଯୁବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଏଥିପାଇଁ ମନ୍ଦିର ନୀତିରେ ମଧ୍ୟ ୪ ଘଣ୍ଟା ବିଳମ୍ବ ହୋଇଛି।

ଓଲିଉଡର ଏହି ଅଭିନେତା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଠିଆ ହୋଇଛନ୍ତି। ସୂଚନା ଅନୁଯାୟୀ ଅନୁଭବ ମହାନ୍ତି ନିଜର ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବା ପୂର୍ବରୁ ଇଚ୍ଛାପୁର ସ୍ଥିତ ବଳଦେବଜିଉଙ୍କ ଦର୍ଶନ କରିବାକୁ ଯାଇଥିଲେ। ଏହି ସମୟରେ ଅନୁଭବଙ୍କୁ ଦେଖିବା ପାଇଁ ବଳଦେବଜୀଉ ମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ସାଲେପୁର ଅଞ୍ଚଳର ଜଣେ ଅଣହିନ୍ଦୁ ଯୁବକ ମନ୍ଦିର ବେଢ଼ା ଭିତରକୁ ସେହି ସମୟରେ ପଶି ଆସିଥିଲେ।

ମନ୍ଦିରରେ ଉପସ୍ଥିତ ଥିବା ଜଣେ ପୂଜକ ଉକ୍ତ ଯୁବକଙ୍କ ନାମ, ଗୋତ୍ର ପଚାରିଲା ବେଳେ ସେ ଅନ୍ୟ ଧର୍ମର ବୋଲି କହି ଭୁଲ ମାଗିଥିଲେ। ତେବେ ସେ ଏ ସମ୍ପର୍କରେ ନଜାଣି ସିନେ ତାରକା ଅନୁଭବଙ୍କୁ ଦେଖିବାକୁ ମନ୍ଦିର ବେଢ଼ାକୁ ଚାଲି ଆସିଥିଲେ ବୋଲି କହିଥିଲେ। ଏହାପରେ ଉକ୍ତ ଯୁବକଙ୍କୁ ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ଼ରେ ହାଜର

କରାଯାଇଥିଲା।

ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଫାଣ୍ତି କର୍ମଚାରୀଙ୍କ ଜରିଆରେ ଉକ୍ତ ଯୁବକଙ୍କୁ ଟାଉନ୍ ଥାନାକୁ ହସ୍ତାନ୍ତର କରିଥିଲେ। ଯୁବକ ଜଣକ ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିବା ସହ ମନ୍ଦିରର ଶୁଦ୍ଧିକରଣ ପାଇଁ ଆବଶ୍ୟକ ଅର୍ଥ ଜମା ଦେବାକୁ ରାଜି ହେବାରୁ ସମସ୍ୟାର ସମାଧାନ ହୋଇଥିଲା। ଏହି ଘଟଣାକୁ ନେଇ ଠାକୁରଙ୍କ ନୀତିକାନ୍ତି ୪ ଘଣ୍ଟା ବିଳମ୍ବ ହୋଇଥିଲା।

ଅଣହିନ୍ଦୁ ଯୁବକ ମନ୍ଦିରରେ ପ୍ରବେଶ କରିଥିବାରୁ ମନ୍ଦିରରେ ଥିବା ପିତଳ ସାମଗ୍ରୀକୁ ଛାଡ଼ି ଠାକୁରଙ୍କ ସବୁ ସାମଗ୍ରୀ ବଦଳା ଯିବ ଓ ଶ୍ରୀଜିଉଙ୍କୁ ମହାସ୍ନାନରେ ଧୂପ ଦୀପ ଦେଇ ଶୋଧ କରାଯିବ ବୋଲି ମନ୍ଦିର ଟ୍ରଷ୍ଟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ କହିଥିଲେ। ଏହାସହିତ ରୋଷ ସାମଗ୍ରୀ ସବୁ ବଦଳାଯାଇଛି। ରୋଷଘରର ୧୪ଟି ଚୂଲାରୁ ସମ୍ପୂର୍ଣ୍ଣ ପାଉଁଶ କାଢ଼ି ସଫା କରାଯିବା ସହିତ ଗୋବରରେ ଲିପାଯାଇଛି।

ଏହାସହିତ ମଙ୍ଗଳବାର ଦିନ ୧୧ଟାରେ ଧୂପ ଭୋଗ ପାଇଁ ପ୍ରସ୍ତୁତ ପ୍ରସାଦ, କୁଲା, ଟୋକେଇ, ଝୁଡ଼ି ନଷ୍ଟ କରାଯାଇଛି। ପ୍ରସାଦ ଗୁଡ଼ିକୁ ନେଇ ମନ୍ଦିର ପଛପଟେ ପୋତି ଦିଆଯାଇଛି। ପ୍ରସାଦ ପ୍ରସ୍ତୁତ ବାବଦ ପାଉଣା ଓ ଦୁଇ ବେଳା ପ୍ରସାଦର ମୂଲ୍ୟ ଭରଣା କରିବାକୁ ପଡ଼ିବ। ଏହାବ୍ୟତୀତ ଦିନ ୨ଟା ବେଳେ ଯେଉଁ ପ୍ରସାଦ ବାହାରିବା କଥା ତାହା ବାହାରି ପାରିନଥିଲା। ଏ ବାବଦ ଖର୍ଚ୍ଚ ୨୫ ହଜାର ଟଙ୍କା ମନ୍ଦିର ଅଫିସ୍‌ରେ ଜମା ଦିଆଯିବାକୁ ସଂପୃକ୍ତ ଯୁବକଙ୍କୁ କୁହାଯାଇଛି ବୋଲି ଶ୍ରୀ ପତ୍ରୀ କହିଛନ୍ତି।

#anubhavmohanty #baladebajeeutemple

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon