• padmabati kund

ଚୀନ ବକ୍ସଅଫିସରେ 'ବାହୁବଳୀ' ରେକର୍ଡ ଭାଙ୍ଗିଲା 'ଅନ୍ଧାଧୁନ'


(ବେତାର ବ୍ୟୁରୋ) ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୁନ’ ଗତବର୍ଷ ଅକ୍ଟୋବର ମାସରେ ଭାରତରେ ରିଲିଜ ହୋଇଥିଲା। ବଲିଉଡ ଇଣ୍ଡଷ୍ଟ୍ରୀରେ ଏହି ସିନେମାଟି ନିଜର କାହାଣୀ ଜରିଆରେ ବକ୍ସଅଫିସରେ ଖୁବ ଜବରଦସ୍ତ ରୋଜଗାର କରିଥିଲା ଓ ଦର୍ଶକମାନେ ଫିଲ୍ମଟିକୁ ବହୁତ ପସନ୍ଦ ମଧ୍ୟ କରିଥିଲେ। ଏହାପରେ କିଛିଦିନ ପୂର୍ବରୁ ଫିଲ୍ମଟି ଚୀନରେ ରିଲିଜ କରାଯାଇଛି ଓ ରିଲିଜ ହେବାର ମାତ୍ର ଛଅଦିନ ମଧ୍ୟରେ ଫିଲ୍ମଟି ୧୦୦କୋଟିରୁ ଅଧିକ ରୋଜଗାର କରି ନୂଆ ରେକର୍ଡ କରିଛି।

ଜଣେ ଚକ୍ଷୁହୀନ ପିଆନୋ ବାଦକର କାହାଣୀ ଓ ମର୍ଡର ସସପେନ୍ସ ଉପରେ ଆଧାରିତ ଏହି ଏହି ଫିଲ୍ମଟି ଚୀନରେ ରିଲିଜ ହେବାର ଛଅଦିନ ମଧ୍ୟରେ ବହୁତ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟିକୁ ଚୀନରେ ୫ଦିନର ୱିକେଣ୍ଡ ମିଳିଥିଲା। ଫିଲ୍ମଟି ଛଅ ଦିନରେ ୧୦୦କୋଟିରୁ ଅଧିକ ରୋଜଗାର କରିବା ସହିତ ‘ବାହୁବଳୀ ୨’ର ରେକର୍ଡ ଭାଙ୍ଗିଛି। ‘ବାହୁବଳୀ ୨’ ଚୀନରେ ରିଲିଜ ହେବାର ଛଅ ଦିନରେ ୭୬କୋଟି ଟଙ୍କା ରୋଜଗାର କରିପାରିଥିଲା।

‘ଅନ୍ଧାଧୁନ’କୁ ଚୀନରେ ଏପ୍ରିଲ ୩ ତାରିଖରେ ମୋଟ ୩୦୦୦ଟି ସ୍କ୍ରିନରେ ‘ପିଆନୋ ପ୍ଲେୟାର’ ନାମରେ ରିଲିଜ କରାଯାଇଥିଲା। ଫିଲ୍ମଟି ରିଲିଜ ହେବାର ପ୍ରଥମ ଦିନରେ ଚୀନ ବକ୍ସଅଫିସରେ ୭କୋଟି ୩୩ଲକ୍ଷ ଟଙ୍କା ରୋଜଗାର କରିଥିଲା। ଏହାପରେ ଫିଲ୍ମଟିକୁ ଚୀନର ଦର୍ଶକମାନେ ଖୁବ ପସନ୍ଦ କରିଥିଲେ ଓ ସପ୍ତମ ଦିନରେ ଫିଲ୍ମଟି ମୋଟ ୧୧୫କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି।

ଚାଇନାରେ ଲୋକପ୍ରିୟ ବଲିଉଡ

ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଓ ଆୟୁଷ୍ମାନ ଖୁରାନା, ତବ୍ବୁ, ରାଧିକା ଆପ୍ତେଙ୍କ ଅଭିନୀତ ଏହି ଫିଲ୍ମକୁ ମୋଟ ୨୨କୋଟି ଟଙ୍କାର ବଜେଟରେ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଆୟୁଷ୍ମାନ ଜଣେ ଅନ୍ଧ ପିଆନୋ ବାଦକ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମରେ ଭରି ରହିଥିବା ସସପେନ୍ସକୁ ଚୀନର ଦର୍ଶକମାନେ ବହୁତ ପସନ୍ଦ କରୁଛନ୍ତି ଓ କାହାଣୀରେ ଥିବା ଟ୍ଵିଷ୍ଟ ଏହାକୁ ଅଧିକ ରୋମାଞ୍ଚକର କରିଛି।

ଏହାପୂର୍ବରୁ ଚୀନରେ ରିଲିଜ ହୋଇଥିବା ଅନ୍ୟ ବଲିଉଡ ଫିଲ୍ମଗୁଡିକ ମଧ୍ୟ ଖୁବ ଭଲ ରୋଜଗାର କରିଛି। ଏହାମଧ୍ୟରେ ପ୍ରଥମରେ ରହିଛି ଅମିର ଖାନଙ୍କ ଅଭିନୀତ ଫିଲ୍ମ ‘ଦଙ୍ଗଲ’। ଫିଲ୍ମଟି ଚୀନର ବକ୍ସଅଫିସରେ ମୋଟ ୧୩୦୫କୋଟିରୁ ଅଧିକ ରୋଜଗାର କରିଥିଲା। ଏହାବ୍ୟତୀତ ‘ବାହୁବଳୀ ୨’, ‘ସିକ୍ରେଟ ସୁପରଷ୍ଟାର’, 'ହିଚକି' ମଧ୍ୟ ଚୀନ ବକ୍ସଅଫିସରେ ଖୁବ ଭଲ ରୋଜଗାର କରିଥିଲା।

ଚୀନରେ ‘ଅନ୍ଧାଧୁନ’କୁ ଏତେ ଲୋକପ୍ରିୟତା ମିଳୁଥିବାରୁ ଅଭିନେତା ଆୟୁଷ୍ମାନ ଖୁରାନା ବହୁତ ଖୁସି ଅଛନ୍ତି। ଆଗକୁ ଆୟୁଷ୍ମାନ ଖୁରାନାଙ୍କୁ ‘ଡ୍ରିମଗାର୍ଲ’ ଫିଲ୍ମରେ ଦେଖିବାକୁ ମିଳିବ। ଏହାସହିତ ନିକଟରେ ସେ ‘ଆର୍ଟିକିଲ ୧୫’ର ସୁଟିଙ୍ଗ ମଧ୍ୟ ଶେଷ କରିଛନ୍ତି।

#entertainment #andhadhun #chinaboxoffice #bollywood #cinema

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon