• ବେତାର ବ୍ୟୁରୋ

‘‘ମୁଁ ଜଗନ୍ନାଥ ମନ୍ଦିର ଭଲଭାବେ ଚଳାଇ ପାରିବି’’ : ପୁରୀ ଶଙ୍କାରାଚାର୍ଯ୍ୟ


(ବେତାର ବ୍ୟୁରୋ) ପୁରୀ ଶ୍ରୀମନ୍ଦିର ପରିଚାଳନା ନେଇ ଶଙ୍କରାଚାର୍ଯ୍ୟଙ୍କୁ ଦାୟିତ୍ବ ଦିଆଯାଇପାରିବ କି ବୋଲି ସୁପ୍ରିମକୋର୍ଟ ଏ ନେଇ ମତାମତ ମାଗିଥିବାବେଳେ ପୁରୀର ଶଙ୍କରାଚାର୍ଯ୍ୟ ଏ ନେଇ ନିଜର ମତ ପ୍ରକାଶ କରି କହିଛନ୍ତି ଯେ ସେ ପୁରୀ ମନ୍ଦିରକୁ ସୂଚାରୁ ରୂପେ ଚଳାଇପାରିବେ।

ଜଗତଗୁରୁ ଶଙ୍କାରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ କହିଛନ୍ତି ମନ୍ଦିର ଚଳାଇବା ପାଇଁ  ଧାର୍ମିକ ନେତୃତ୍ଵର ଆବଶ୍ୟକତା ରହିଛି ଓ ଜଗନ୍ନାଥ ମନ୍ଦିରକୁ ସେ ଭଲ ଭାବରେ ଚଳାଇପାରିବେ ବୋଲି କହିଛନ୍ତି।

ଶ୍ରୀ ମନ୍ଦିର ପରିଚାଳନା ଦାୟିତ୍ଵ ଗୋବର୍ଦ୍ଧନ ପୀଠକୁ ହସ୍ତାନ୍ତର ପ୍ରସ୍ତାବ ସମ୍ପର୍କରେ ବୁଧବାର ସାମ୍ବାଦିକ ସମ୍ମୀଳନୀରେ ସେ କହିଛନ୍ତି ଯେ, ଆଦି ଶଙ୍କାରାଚାର୍ଯ୍ୟ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିକୁ ପୁନଃ ପ୍ରତିଷ୍ଠା କରିଥିଲେ। ଶ୍ରୀ ମନ୍ଦିର ପରିଚାଳନା ଦାୟିତ୍ଵ ଯଦି ତାଙ୍କୁ ହସ୍ତାନ୍ତର କରାଯାଏ ତେବେ ସେ ଏହାକୁ ସୂଚାରୁରୂପେ ନିର୍ବାହ କରିପାରିବେ। ବିଦେଶରେ ଯଦି ପୋପ୍ ଏବଂ ଦଲାଇଲାମାଙ୍କ ଶାସନ ଚାଲିଛି ତେବେ ପୁରୀରେ କାହିଁକି ହୋଇପାରିବ ନାହିଁ ବୋଲି  ନିଶ୍ଚଳାନନ୍ଦ ପ୍ରଶ୍ନ କରିଛନ୍ତି।

ରଥଯାତ୍ରାରେ ପରମ୍ପରା ଉଲ୍ଲଂଘନ କରାଯାଉଛି ଓ ଶ୍ରୀମନ୍ଦିର ପାଇଁ ଧାର୍ମିକ ସମ୍ବିଧାନର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ଏକ ପବିତ୍ର ଦିବ୍ୟସ୍ଥାନ। ଧାର୍ମିକ ବିଧି ବ୍ୟବସ୍ଥା ଏବଂ ଦୈବିକ ପରମ୍ପରା ଉପରେ ଠାକୁରଙ୍କ ନିତୀକାନ୍ତି ପରିଚାଳିତ ହେଉଛି। ସେବକ ଓ ଭକ୍ତଙ୍କ ଅଧିକାର ସୁରକ୍ଷିତ ରଖାଯାଇ ମନ୍ଦିର ସୁପରିଚାଳନା କରାଯାଇ ପାରିବ ବୋଲି ନିଶ୍ଚଳାନନ୍ଦ କହିଛନ୍ତି।

ଏହାସହିତ ପୁରୀ ଶଙ୍କାରାଚାର୍ଯ୍ୟଙ୍କ ପ୍ରତି ପ୍ରଶାସନ ଅବହେଳା କରୁଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିରରେ କାହାର ପ୍ରବେଶ ଅଧିକାର ଅଛି ଏବଂ କାହାର ନାହିଁ ସେ ସମ୍ପର୍କରେ କେବଳ ପୁରୀ ଶଙ୍କାରାଚାର୍ଯ୍ୟ ନିଷ୍ପତ୍ତି ନେଇପାରିବେ। ଶ୍ରୀମନ୍ଦିର ପରିଚାଳନାରେ ଶୃଙ୍ଖଳା ଆଣିବା ପାଇଁ ସୁପ୍ରିମକୋର୍ଟରେ 14ଟି ପ୍ରସ୍ତାବ ରଖିଥିବା ଶଙ୍କାରାଚାର୍ଯ୍ୟ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପରିଚାଳନା ବିଭ୍ରାଟ, ରକ୍ଷଣାବେକ୍ଷଣରେ ଅବହେଳା ଏବଂ ଠାକୁରଙ୍କ ନୀତିକାନ୍ତିରେ ବିଶୃଙ୍ଖଳା  ତାଙ୍କୁ ବିଚଳିତ କରିଥିବାରୁ ଗାଦିସୀନ ହେବାର 27ବର୍ଷ ପରେ ସେ ଏପରି ପ୍ରସ୍ତାବ ଦେଇଛନ୍ତି।

ଦେଶର ଅନ୍ୟ ତିନି ଶଙ୍କରଚାର୍ଯ୍ୟଙ୍କ ପୀଠକୁ କ୍ଷେତ୍ରାଧିପତିଙ୍କ ସେବାପୂଜା ଏବଂ ପରିଚାଳନା ପାଇଁ ସ୍ଵାଧୀନତା ଦିଆଯାଇଥିବା ବେଳେ ପୁରୀ ଗୋବର୍ଦ୍ଧନ ପୀଠ ପ୍ରତି ରାଜ୍ୟ ସରକାର ଅବହେଳା କରିଛନ୍ତି। ପ୍ରଶାସନିକ ବ୍ୟବସ୍ଥାକୁ ସମାଲୋଚନା କରି ସେ କହିଲେ, “ଶାସନତନ୍ତ୍ର ଧାର୍ମିକ ବ୍ୟବସ୍ଥାରେ ହସ୍ତକ୍ଷେପ କରିପାରିବ ନାହିଁ। ପରମ୍ପରାପ୍ରାପ୍ତ ଧାର୍ମିକ ଓ ଆଧ୍ୟାତ୍ମିକ ପୀଠ ହେଉଛି ଶ୍ରୀମନ୍ଦିର। ରାଜ୍ୟ ସରକାର, ସେବକ, ଜିଲ୍ଲା ପ୍ରଶାସନ ଏବଂ ଦେବୋତ୍ତର କମିଶନରଙ୍କ ମଧ୍ୟରେ ସଦ୍ଭାବ ଓ ସମନ୍ଵୟ ଦ୍ଵାରା ମନ୍ଦିରରେ ଶୃଙ୍ଖଳା ଆସିପାରିବ।“

ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଉଚ୍ଛେଦ କରାଯାଇ ଧାର୍ମିକ ସମ୍ବିଧାନ ଓ ବିଧି ବ୍ୟବସ୍ଥା ପ୍ରଣୟନର ଆବଶ୍ୟକତା ରହିଛି। ତେବେ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ପଚାରିବାରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ପ୍ରଶାସନ କିଏ ବୋଲି ସେ କହିଛନ୍ତି। ଶ୍ରୀମନ୍ଦିର ପରିଚାଳନା ସମ୍ପର୍କିତ ମୋକଦ୍ଦମାରେ ଖୁବଶୀଘ୍ର ସେ ଜବାବ ଦାଖଲ କରିବେ ବୋଲି ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି।

#puritemple #shankaracharjya

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon