• padmabati kund

ଆଇପିଏଲ 2019 : ନୋ'ବଲ ବିବାଦ ପାଇଁ ଧୋନିଙ୍କ 50% ଫି' କଟିଲା


(ବେତାର ବ୍ୟୁରୋ) ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସିଜିନର 25ତମ ମ୍ୟାଚରେ ରାଜସ୍ଥାନ ରୟାଲକୁ 4ୱିକେଟରେ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ହାସଲ କରିଛି କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ଆଚାର ସଂହିତା ଉଲ୍ଲଂଘନ ପାଇଁ ଜୋରିମାନା ଲାଗିଛି। ଗ୍ରାଉଣ୍ଡରେ ଅମ୍ପାୟାରଙ୍କ ସହିତ ଯୁକ୍ତିତର୍କ କରିଥିବାରୁ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ମ୍ୟାଚ ଫି’ର 50% ଜୋରିମାନା ଲଗାଯାଇଛି।

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନିଙ୍କୁ ଆଉଟ ହେବା ପରେ ମଧ୍ୟ ଗ୍ରାଉଣ୍ଡ ଭିତରକୁ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା। ଭାରତୀୟ କ୍ରିକେଟ ବୋର୍ଡ ମହେନ୍ଦ୍ର ସିଂ ଧୋନିଙ୍କର ଏପରି ବ୍ୟବହାରକୁ ଆଚାର ସଂହିତାର ଇଲ୍ଲଙ୍ଘନ ବୋଲି ଦର୍ଶାଇ ତାଙ୍କ ଉପରେ ଜୋରିମାନା ଲଗାଇଛନ୍ତି। ଧୋନି ମଧ୍ୟ ନିଜର ଭୁଲ ମାନିବା ସହିତ ଏହି ଜୋରିମାନା ଆଦେଶକୁ ଗ୍ରହଣ କରିଛନ୍ତି। ନିୟମ ଅନୁସାରେ, ଆଇପିଏଲରେ କୌଣସି ଖେଳାଳୀ ଉପରେ ଲାଗିଥିବା ଜୋରିମାନାକୁ ସେହି ଖେଳାଳୀଙ୍କର ଫ୍ରାଞ୍ଚାଇଜିକୁ ଭରିବାକୁ ପଡିବ।

ଶେଷ ଓଭରରେ ହୋଇଥିଲା ବିବାଦ

ଚେନ୍ନାଇ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଙ୍ଗ କରି 152ରନର ଲକ୍ଷ୍ୟ ଦେଇଥିଲା। ଏହାପରେ ଚେନ୍ନାଇକୁ ଜିତିବା ପାଇଁ ଶେଷ ଓଭରରେ 18ରନର ଆବଶ୍ୟକତା ଥିଲା। ରାଜସ୍ଥାନ ତରଫରୁ ବେନ ଷ୍ଟୋକ୍ସ ବୋଲିଂ କରୁଥିଲେ ଓ ଓଭରର ତୃତୀୟ ବଲରେ ଧୋନିଙ୍କୁ ବୋଲ୍ଡ କରିଦେଇଥିଲେ। ଏହାପରେ ଚତୁର୍ଥ ବଲରେ ସାଣ୍ଟନରଙ୍କୁ ଏକ ଫୁଲଟସ୍ ବଲ ପକାଇଥିଲେ। ଏହି ବଲରେ ଅମ୍ପାୟାର ଉଲ୍ଲାସ ଗାନ୍ଧେ ଆରମ୍ଭରୁ ନୋ-ବଲର ଇଶାରା ଦେଇଥିଲେ ମାତ୍ର ଲେଗ୍ ଅମ୍ପାୟାର ବ୍ରୁସ ଅକ୍ସେନଫୋର୍ଡଙ୍କ ତରଫରୁ କୌଣସି ସଂକେତ ମିଳିନଥିଲା। ଏହାପରେ ସେ ନୋ-ବଲ ଦେଇନଥିଲେ।

ଏହି ନିଷ୍ପତ୍ତି ଉପରେ ନିରାଶ ହୋଇ ମହେନ୍ଦ୍ର ସିଂ ଧୋନି ଗ୍ରାଉଣ୍ଡ ଭିତରକୁ ଆସିଯାଇଥିଲେ ଓ ଅମ୍ପାୟାରଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ବ୍ରୁସ ଅକ୍ସେନଫୋର୍ଡ ବୁଝାଇବା ପରେ ସେ ନିରାଶ ହୋଇ ଡଗଆଉଟ୍ ଫେରିଯାଇଥିଲେ। ମାତ୍ର ଶେଷ ବଲରେ ଛକା ମାରି ସାଣ୍ଟନର ଚେନ୍ନାଇକୁ ଜିତାଇ ଦେଇଥିଲେ।

‘କ୍ୟାପଟେନ କୁଲ’ ଭାବରେ ପରିଚିତ ମହେନ୍ଦ୍ର ସିଂ ଧୋନିଙ୍କୁ କ୍ରିକେଟ ଗ୍ରାଉଣ୍ଡରେ ସମସ୍ତ ବିପରୀତ ପରିସ୍ଥିତିରେ ମଧ୍ୟ ଶାନ୍ତ ରହିବାର ଦେଖିବାକୁ ମିଳିଥାଏ। ମାତ୍ର ପ୍ରଥମ ଥର ପାଇଁ ତାଙ୍କୁ ଏପରି କରୁଥିବାର ଦେଖିବାକୁ ମିଳିଲା। ଏକ ରୋମାଞ୍ଚକର ମ୍ୟାଚରେ ଅମ୍ପାୟାରଙ୍କ ଏପରି ନିଷ୍ପତ୍ତି ଯୋଗୁଁ ଧୋନି ନିଜ କ୍ରୋଧକୁ ସମ୍ଭାଳି ପାରିନଥିଲେ।

ଅମ୍ପାୟରିଙ୍ଗକୁ ନେଇ ଆଗରୁ ହୋଇଛି ବିବାଦ

ଚଳିତ ଆଇପିଏଲ ସିଜିନରେ ଅମ୍ପାୟରିଙ୍ଗର ସ୍ତର ବହୁତ ନିମ୍ନମାନର ରହିଛି। କେବଳ ଏହି ଘଟଣା ନୁହେଁ ଏହା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଭୁଲ ନିଷ୍ପତ୍ତିକୁ ନେଇ ବିବାଦ ହୋଇଥିଲା। ଯାହାଫଳରେ ବାଙ୍ଗାଲୋର 6ରନରେ ମ୍ୟାଚ ହାରିଥିଲା। ଏହି ଘଟଣା ପରେ ବାଙ୍ଗାଲୋରର ଅଧିନାୟକ  ବିରାଟ କୋହଲିଙ୍କୁ ମଧ୍ୟ ଅମ୍ପାୟାରଙ୍କ ଉପରେ ଖୁବ ନିରାଶ ଥିବାର ଦେଖିବାକୁ ମିଳିଥିଲା।

#cricket #ipl2019 #msdhoni #noballcontroversy #CSKVsRR

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon