• ବେତାର ବ୍ୟୁରୋ

ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରୁ ଚୋରି : 10ଦିନରେ ଦ୍ଵିତୀୟ ଘଟଣା


(ବେତାର ବ୍ୟୁରୋ) ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ରହିଥିଲେ ମଧ୍ୟ ବୁଧବାର ଶ୍ରୀମନ୍ଦିରରେ ପୁଣି ଚୋରି ହୋଇଛି। ଗତ ୧୦ ଦିନ ମଧ୍ୟରେ ଦ୍ଵିତୀୟ ଥର ପାଇଁ ମନ୍ଦିରରେ ଦୁର୍ବୃତ୍ତ ଲୁଟିଛନ୍ତି। ଏପ୍ରିଲ ୨ ତାରିଖରେ ରାମ ମନ୍ଦିର ଗ୍ରୀଲ୍‌ ତାଡ଼ି ହୁଣ୍ଡି ଲୁଟି ନେଇଥିଲେ। ଏଥର କୋଇଲି ବୈକୁଣ୍ଠରେ ଥିବା ସୁଆର ମହାସୁଆର ନିଯୋଗ ଅଫିସର ଲକର୍‌ ଭାଙ୍ଗି ଲୁଟିଛନ୍ତି। ମାସକ ଭିତରେ ଦୁଇ ଦୁଇ ଥର ଚୋରି ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ବୁଧବାର ରାତି ସାଢ଼େ ୧୧ଟା ବେଳକୁ ମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ହୋଇଥିଲା। ଶୋଧ ହେବାପରେ ମନ୍ଦିରକୁ ବନ୍ଦ କରା ଯାଇଥିଲା । ସିସିଟିଭିରେ ରେକଡିଙ୍ଗ ହୋଇଥିବା ଭିଡିଓରୁ ଜଣାପଡ଼ିଛି ଯେ, ରାତି ପ୍ରାୟ ୧୧ଟା ୫୩ରେ ୩/୪ ଜଣ ସନ୍ଦିଗ୍ଧ ନିଯୋଗ କାର୍ଯ୍ୟାଳୟ ନିକଟରେ ଚଳପ୍ରଚଳ କରୁଥିଲେ। ପରେ ନିଯୋଗର ସିମେଣ୍ଟ ଜାଲି ଭାଙ୍ଗି ୧୨ରୁ ୧୪ ବର୍ଷର ଜଣେ ବାଳକ ଭିତରକୁ ପଶିଥିଲା।

ଭିତରେ ୪ଟି ସିସିଟିଭି କ୍ୟାମେରା ଲାଗିଥିବା ବେଳେ ବାଳକଟି ପ୍ରଥମେ ଲକର୍‌ ଉପରେ ଚଢ଼ି କ୍ୟାମେରାକୁ ମୋଡ଼ି ଭାଙ୍ଗି ଦେଇଥିଲା ଏବଂ ଦୁଇଟି ଲକର୍‌ ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲା। ଖାଲି ସେତିକି ନୁହେଁ, କାର୍ଯ୍ୟାଳୟରେ ଝାଡ଼ା ଫେରି ତାକୁ ଏକ ଭୋଗେଇ ଘୋଡ଼ାଇ ପୁଣି ସେହି ସିମେଣ୍ଟ ଜାଲି ଫାଙ୍କରେ ସେ ବାହାରି ଯାଉଥିବା ସିସିଟିଭି ରେକଡିଙ୍ଗରେ ଦେଖିବାକୁ ମିଳିଛି।

ଲୁଟ୍‌ ଖବର ପାଇ ଏସ୍‌ପି ଉମାଶଙ୍କର ଦାଶ, ସିଟି ଡିଏସ୍‌ପି ସୁଧାକର ସାହୁ, ସିଂହଦ୍ଵାର ଥାନା ଆଇଆଇସି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ନେଇ ନିଯୋଗ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯିବା ପରେ ଫରେନ୍ସିକ୍‌ ଟିମ୍‌ ସହାୟତାରେ ପୁଲିସ ତଦନ୍ତ ଚଳାଇଛି। କିନ୍ତୁ ଏପର୍ଯ୍ୟନ୍ତ ଚୋରି ସଂପର୍କରେ କୌଣସି ସୂଚନା ପାଇନାହିଁ।

କେବଳ ଏହି ଘଟଣା ନୁହେଁ, ଏପ୍ରିଲ ୨ ତାରିଖରେ ଦକ୍ଷିଣଦ୍ଵାର ରାମ ମନ୍ଦିରର ପଛପଟ ଜାଲି କାଟି ହୁଣ୍ଡିରୁ ଟଙ୍କା ଲୁଟି ନେଇଥିଲେ। ସେହି ଘଟଣା ବିଷୟରେ ମଧ୍ୟ ପୋଲିସକୁ କୌଣସି ସୂଚନା ମିଳିନାହିଁ। ୧୦ ଦିନରେ ଶ୍ରୀମନ୍ଦିର ଭିତରୁ ଦୁଇ ଦୁଇଟି ଚୋରି ଘଟଣା ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।

ଶ୍ରୀମନ୍ଦିରରେ ଦୁଇ ପ୍ରକାର ସୁରକ୍ଷା ବ୍ୟବସ୍ଥା ରହିଛି। ପାରମ୍ପରିକ ସୁରକ୍ଷା ବ୍ୟବସ୍ଥା ହେଉଛି, ପହୁଡ଼ ପରେ ସମ୍ପୂର୍ଣ୍ଣ ଶୋଧ କରାଯିବ। ଶୋଧ ଅର୍ଥ, ସମସ୍ତଙ୍କୁ ମନ୍ଦିରରୁ ବାହାର କରି ତାଲା ବନ୍ଦ କରାଯିବ। ଏହା ପରେ ସରକାରୀ ପୁଲିସ ମନ୍ଦିରକୁ ଜଗିବେ। ଚାରିଦ୍ଵାର ସମେତ ମେଘନାଦ ପାଚେରୀ ଉପରେ ମଧ୍ୟ ଧ୍ୟାନ ଦେବା ସରକାରୀ ପୁଲିସଙ୍କ କାର୍ଯ୍ୟ। ହେଲେ ସେମାନେ ତାହା କରିବାରେ ବିଫଳ ହୋଇଛନ୍ତି।

ଶ୍ରୀମନ୍ଦିରକୁ ସୁରକ୍ଷା ଦେବାରେ ପୁଲିସ ବିଫଳ ହୋଇଥିବାରୁ ବାରମ୍ବାର ଏପରି ଲୁଟ୍‌ ହେଉଛି। ଶ୍ରୀମନ୍ଦିର ସୁରକ୍ଷିତ ବୋଲି ସରକାର ବାରମ୍ବାର କହୁଥିଲେ ମଧ୍ୟ ଶ୍ରୀମନ୍ଦିରରେ ପହୁଡ଼ ପଡ଼ିବା ପରେ ଲୁଟ୍‌ ହେବା ଘଟଣା ଚିନ୍ତାର ବିଷୟ ପାଲଟିଛି। ବୁଧବାର ରାତିରେ ଯେଉଁଠୁ ଲୁଟ୍‌ ହୋଇଛି, ସେଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ଠାକୁରଙ୍କ ରତ୍ନଭଣ୍ଡାର। ଏଭଳି ପରିସ୍ଥିତିରେ ରତ୍ନଭଣ୍ଡାର ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି।

#shreemandira #purijagannathtemple #crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon