• ବେତାର ବ୍ୟୁରୋ

ନିର୍ବାଚନ ଭେଳିକି : ଭୋଟରଙ୍କୁ ବାଣ୍ଟିବାକୁ ଆସିଥିବା ଫ୍ରିଜ, ଗ୍ରାଇଣ୍ଡର ଭର୍ତ୍ତି ଟ୍ରକ ପୁରୀରେ ଜବତ


(ବେତାର ବ୍ୟୁରୋ) ରାଜ୍ୟରେ ନିର୍ବାଚନୀ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରଶାସନ ଦ୍ଵାରା ଗଠିତ ଫ୍ଲାଇଙ୍ଗ ସ୍କ୍ୱାଡ ଭୋଟରଙ୍କୁବିଶେଷ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ବାଣ୍ଟିବା ପାଇଁ ଆସୁଥିବା ଫ୍ରିଜ୍ ଓ ଟିଭି ଭର୍ତ୍ତି ଗାଡ଼ିକୁ ଜବତ କରିଛି। ସେଥିରୁ ବହୁ ପରିମାଣରେ ଫ୍ରିଜ୍, ଗ୍ରାଇଣ୍ଡର, ଟିଭି ଓ ଇଣ୍ଡକ୍ସନ କୁକର୍ ଜବତ ହୋଇଛି। 

ରାଜ୍ୟର ରାଜଧାନୀ ଭୁବନେଶ୍ଵର ଠାରୁ 50କିମି ଦୂର କଣାସର ଚୁପୁରିଂ ଗ୍ରାମରେ ଏହି ଗାଡିକୁ ଜବତ କରାଯାଇଛି। ଏହି ଗାଡିରୁ ପ୍ରାୟ 10ଟି ଫ୍ରିଜ, 12ଟି ଗ୍ରାଇଣ୍ଡର ମିଳିଛି। ଏହାବ୍ୟତୀତ ଗାଡିରୁ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ମିଳିଛି।

ଗାଡ଼ିର ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ପରେ ଏଥିରୁ କେତେକ ବିଲ୍ ମିଳିଥିଲା, ଯେଉଁଥିରେ କିଛି ଲୋକଙ୍କର ସେହି ସାମଗ୍ରୀ ଉପରେ ବିଲ୍ ଥିବା ଦେଖିବାକୁ ମିଳିଛି। ତେବେ ବିଲ୍ ଅନୁଯାୟୀ ସାମଗ୍ରୀ ମେଳ ଖାଇନଥିଲା ଓ ଗାଡ଼ି ଚାଳକ ଏ ସଂପର୍କରେ ସଠିକ୍ ବିବରଣୀ ଦେଇ ପାରିନଥିଲେ। ତେଣୁ ଗାଡ଼ିଟିକୁ କଣାସ ଥାନାକୁ ପଠାଇ ଦିଆଯାଇଥିଲା। ଜବତ ସାମଗ୍ରୀ ଯାଞ୍ଚ ପାଇଁ କଟକର ହୋଲସେଲର ମାଲିକଙ୍କୁ ଡକାଯିବା ସହ ଯେଉଁମାନଙ୍କ ନାମରେ ବିଲିଂ ହୋଇଥିଲା, ସେମାନଙ୍କୁ ମଧ୍ୟ ଡକାଯାଇଛି।

ଜିଲ୍ଲା ରିଟର୍ଣ୍ଣିଂ ଅଫିସର ତଥା ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ କହିଛନ୍ତି ଯେ, ଏହି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଗୁଡିକ ଭୋଟର ମାନଙ୍କୁ ପ୍ରଲୋଭନ କରିବା ଉଦ୍ଦେଶ୍ୟରେ ଯାଉଥିଲା। ବିଶେଷ କରି ସ୍ଵୟଂ ସହାୟକ ଗୋଷ୍ଠୀ ପାଇଁ ଆସିଛି ବୋଲି ଅନୁମାନ କରାଯାଉଛି। କାରଣ ଗାଡି ଚାଳକ ପାଖରେ ଏହିସବୁ ସାମଗ୍ରୀକୁ କେଉଁ ଉଦ୍ଦେଶ୍ୟରେ ନିଆଯାଉଛି ସେନେଇ କିଛି କାଗଜପତ୍ର ନାହିଁ। ଏହାର ସତ୍ୟାସତ୍ୟ ଯାଞ୍ଚ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ବିଜୁ ଜନତା ଦଳ ଉପରେ ସନ୍ଦେହ

ଏହି ଇଲେକ୍ଟ୍ରିନିକ୍ସ ସାମଗ୍ରୀ ବୋଝେଇ ଟ୍ରକ ପଛରେ ବିଜୁ ଜନତା ଦଳର ହାତ ଥିବା ନେଇ ସନ୍ଦେହ କରାଯାଉଛି। ଓଡିଶାରେ ସ୍ଵୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ଥିବା ଛଅ ଲକ୍ଷ ମହିଳାଙ୍କ ସମର୍ଥନ ନବୀନ ପଟ୍ଟନାୟକଙ୍କ ପାଇଥାନ୍ତି। ମୁଖ୍ୟମନ୍ତ୍ରୀଙ୍କ ମିଶାଣ ଶକ୍ତି ଅଧୀନରେ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡିକ କମ ସୁଧ ହାରରେ ବ୍ୟାଙ୍କଋଣ ପାଇଥାନ୍ତି। ଏହାସହିତ ଚଳିତ ନିର୍ବାଚନରେ ନବୀନ ପଟ୍ଟନାୟକ ଏହି ସ୍ଵୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କୁ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବରେ ଠିଆ କରିଛନ୍ତି।

ରାଜ୍ୟରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ରୋକିବା ପାଇଁ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ନେଇ 42 ଫ୍ଲାଇଙ୍ଗ ସ୍କ୍ୱାଡ ଗଠନ କରାଯାଇଛି।କେବଳ ପୁରୀ ଜିଲାରେ 3ଟି ସ୍ଥାନରେ ଚଢାଉ କରାଯାଇ ବର୍ତ୍ତମାନ ପର୍ଯ୍ୟନ୍ତ 27ଲକ୍ଷ 16ହଜାର ଟଙ୍କା ଜବତ କରାଯାଇଛି। ଏହାପୂର୍ବରୁ ଗତ 5 ତାରିଖ ଦିନ କଣାସରୁ ଜଣେ ଠିକାଦାରଙ୍କ ଗାଡି ତନଖି କରି ଫ୍ଲାଇଙ୍ଗ ସ୍କ୍ୱାଡ 8ଲକ୍ଷ 96ହଜାର ଟଙ୍କା ଜବତ କରିଥିଲା। ଗତ 10ତାରିଖ ଦିନ କାକଟପୁରର ଜଣେ ବ୍ୟକ୍ତିଙ୍କ ଠାରୁ 1ଲକ୍ଷ 50ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଶନିବାର କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଣିଛତ୍ର ନିକଟରେ ଗୋପ ଥାନା ଅନ୍ତର୍ଗତ ପ୍ରଣୟ କୁମାର ସାହୁଙ୍କ ଠାରୁ 16ଲକ୍ଷ 70ହଜାର ଟଙ୍କା ଜବତ କରାଯାଇଛି।

ତେବେ ନିର୍ବାଚନରେ ଭୋଟର ମାନଙ୍କୁ ପ୍ରଲୋଭନ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପହାର ସ୍ୱରୂପ ଦେବା ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।  

#election #bribetovoter #odisha

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon