• ବେତାର ବ୍ୟୁରୋ

ମୀନ ରାଶିରେ ଶୁକ୍ର ପ୍ରବେଶ : ଜାଣନ୍ତୁ କ'ଣ ରହିବ ପ୍ରଭାବ


(ବେତାର ବ୍ୟୁରୋ) ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଏକ ଆଧ୍ୟାତ୍ମିକ ଗୁରୁ ହିସାବରେ ବର୍ଣ୍ଣନା କରାଯାଇ ଦେଖାଯାଇଥାଏ ଏବଂ ଧନ ସମ୍ପତ୍ତି, ବିଳାସବ୍ୟସନ (ନୂଆ ମୋବାଇଲ ବା ଗାଡି ଇତ୍ୟାଦି କିଣିବା) ସହିତ ଶୁକ୍ର

ଗ୍ରହକୁ ଯୋଡ଼ାଯାଇ ଦେଖାଯାଇଥାଏ ।

ଯଦିଓ ପ୍ରାୟ ପ୍ରତିଦୁଇ ମାସ ସମୟରେ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ କରିଥାଏ ତେବେ ଏହି ପରିବର୍ତ୍ତନ ଖାସ୍ ଅଟେ କାରଣ ଜ୍ୟୋତିଷ ଶାସ୍ତ୍ର ମତରେ ମୀନ ରାଶିରେ ଶୁକ୍ର ଗ୍ରହର ସ୍ଥିତି ମଜବୁତ ଥାଏ ଓ ଏହାର ଉଚ୍ଚ ସ୍ଥାନ ବୋଲି ଗଣନା କରାଯାଏ ।

ଗଣନା ମୁତାବକ ଏପ୍ରିଲ 15 ରାତି 12 ଘଟିକା ସମୟରେ ଶୁକ୍ର ଗ୍ରହ କୁମ୍ଭ ରାଶି ପରିତ୍ୟାଗ କରି ବୃହସ୍ପରି ଗ୍ରହର ରାଶି ମୀନରେ ପ୍ରବେଶ କରିବ ଓ ମେ' 10 ତାରିଖ ସନ୍ଧ୍ୟା 7 ପର୍ଯ୍ୟନ୍ତ ରହିବ ।

ମୀନ ରାଶିରେ ବାର୍ତ୍ତା ଓ ବିଚକ୍ଷଣତାର ଗ୍ରହ ବୁଧ ପୂର୍ବରୁ ଅଛନ୍ତି । ଶୁକ୍ର ଓ ବୁଧ ଏକାଠି ରହିଲେ ବ୍ୟକ୍ତିଙ୍କ ମାନସିକ ବିକାଶ ତ୍ଵରିତ ହେଇଥାଏ ଓ କଳା,ବିଜ୍ଞାନ ପରି ଶାସ୍ତ୍ର ଜାଣିବାର ଆଗ୍ରହ ବଢିଥାଏ । ପୁନଶ୍ଚ ଏହି ସ୍ଥିତି ବୃହସ୍ପତିଙ୍କ ରାଶି ମୀନରେ ସଂଗଠିତ ହେଉଥିବାରୁ ଏହାର ପ୍ରଭାବ ସମସ୍ତ ରାଶିରେ ଊଣାଅଧିକ ପଡିବାର ସମ୍ଭାବନା ରହିଛି ।

ଆସନ୍ତୁ ଜାଣିବା ସେଗୁଡିକ କ'ଣ ।

ମେଷ: ବୈବାହିକ ଜୀବନ ବା ଜୀବନସାଥୀଙ୍କ ସହିତ ପୂର୍ବରୁ ହେଇଥିବା ମତଭେଦ ଦୂର ହେବ ଓ ପାରିବାରିକ ସ୍ଥିତି ଆନନ୍ଦପୂର୍ଣ୍ଣ ରହିବ। ବିଳାସବ୍ୟସନ ପାଇଁ ଖର୍ଚ୍ଚ କରି ପାରନ୍ତି ଯାହା ପରେ ବ୍ୟୟଭାର ବଢେଇବାର ଯୋଗ ରହୁଛି । ନିଜ ଶରୀର ପ୍ରତି ଯତ୍ନ ନିଅନ୍ତୁ ।

ବୃଷ: ସ୍ୱାସ୍ଥ୍ୟ ପ୍ରତି ବିଶେଷ ସଚେତନ ରହିବାକୁ ପଡିବ। ଭୌତିକ ବସ୍ତୁ ପାଇବାର ଲୋଭ ବଢିବ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। କର୍ମ କ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତି ବିଶେଷଙ୍କ ସହିତ ମିଳାମିଶା ହେବାର ସ୍ଥିତି ଆସିପାରେ । ଜୀବନସାଥୀ ବା ପ୍ରେମିକାଙ୍କ ସହିତ ରୋମାନ୍ସ ବଢିବାର ଯୋଗ ରହିଲେ ମଧ୍ୟ ମଝିରେ ମଝିରେ ବିବାଦ ଯୋଗ ମଧ୍ୟ ଆସିପାରେ । ନିଶା ସେବନରୁ ଦୂରେଇ ରହିବା ଭଲ ।

ମିଥୁନ: ଏହି ଗୋଚର ଆପଣଙ୍କ ଜୀବନରେ ମିଶ୍ରିତ ପ୍ରଭାବ ପାକାଇପାରେ । ଶୁକ୍ର ଆପଣଙ୍କ ରାଶିର ଦଶମ ସ୍ଥାନ ଅର୍ଥାତ କର୍ମ ଗୃହରେ ପ୍ରବେଶ କରୁଥିବାରୁ କର୍ମଜୀବି ପୁରୁଷ ତଥା ମହିଳାମାନେ ଚାକିରି କ୍ଷେତ୍ରରେ ଅନ୍ୟମନସ୍କତା ହେତୁ ବିବାଦରେ ପଶିବାର ସମ୍ଭାବନା ରହିଛି । ତେବେ ଗ୍ରହ ସ୍ଥିତି ଓ ଦଶା ଭଲ ରହିଲେ କିଛି ମିଥୁନ ରାଶିର ବ୍ୟକ୍ତି ବ୍ୟବସାୟ କରୁଥିଲେ ଲାଭବାନ ହେଇପାରନ୍ତି । କର୍ମକ୍ଷେତ୍ରରେ କାହା ସହିତ କୌଣସି ଯୁକ୍ତିତର୍କ କରନ୍ତୁ ନାହିଁ।

କର୍କଟ: ଏହି ଗୋଚରରେ ଆପଣଙ୍କ ଚାକିରି କ୍ଷେତ୍ରରେ ଦରମା ବୃଦ୍ଧି ବା ପଦୋନ୍ନତି ହେଇପାରେ । ପାରିବାରିକ ସ୍ଥିତି ସୁଖପ୍ରଦ ରହିପାରେ ଓ ଆପଣ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ପ୍ରେମିକ/ପ୍ରେମିକାଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିପାରେ । କୌଣସି ଧାର୍ମିକ ଗୁରୁଙ୍କ ସଂସ୍ପର୍ଶରେ ଆସି ପାରନ୍ତି ।

ସିଂହ: ଏହି ଗୋଚର ଆପଣଙ୍କ ପାଇଁ କର୍ମକ୍ଷେତ୍ରରେ ଅନେକ ସମସ୍ୟା ଆଣିପାରେ । ଅଫିସ ରାଜନୀତିରୁ ଯେତେ ପାରୁଛନ୍ତି ସେତେ ଦୂରେଇ ରୁହନ୍ତୁ । ପରିବାରରେ ସାନ ଭାଇ-ଭଉଣୀ ସହ ଝଗଡା ହେବାର ପରିସ୍ଥିତି ଆସିଲେ ମୌନ ରୁହନ୍ତୁ । ପାରିବାରିକ ସମସ୍ୟା ଲାଗିରହିବ , ତେବେ ଆର୍ଥିକ କ୍ଷେତ୍ରରୁ ଲାଭବାନ ହେବାର ଯୋଗ ରହିଛି ।

କନ୍ୟା: ଚଳିତ ଗୋଚରରେ ଆପଣଙ୍କ ଜୀବନସାଥି ବା କର୍ମକ୍ଷେତ୍ରର ସହକର୍ମୀଙ୍କ ସହିତ ଝଗଡା ହେବାର ସ୍ଥିତି ଉତ୍ପନ୍ନ ହେଉଛି । ନିଜ ବାଣୀପ୍ରତି ନିୟନ୍ତ୍ରଣ ରଖନ୍ତୁ । କାରଣ ପରେ ଆପଣ ପରିବାର ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଆଣିବାକୁ ଚେଷ୍ଟା କଲେ ମଧ୍ୟ ପରିସ୍ଥିତିରେ ସେତେଟା ସୁଧାର ଆସି ନ ପାରେ । ବାହାର ଜଳଖିଆ ଖାଇବା ଛାଡି ସୁଷମ ଆହାର ଖାଆନ୍ତୁ । ଅଳସୁଆମୀ ଛାଡନ୍ତୁ ।

ତୁଳା: ଏହି ଗୋଚର ଆପଣଙ୍କ ପାଇଁ ଶୁଭଦାୟକ ରହିବ। ନିଜ ଜୀବନ ସାଥି ସହିତ ବିବାଦ

ହେଲେ ମଧ୍ୟ ପରେ ଏହାକୁ ସୁଧାରିବାରେ ସକ୍ଷମ ହେଇପାରିବେ । ପାରିବାରିକ ଖର୍ଚ୍ଚ ବୃଦ୍ଧି ପାଇପାରେ , ଏଣୁ ବଜେଟ ମୁତାବକ ଖର୍ଚ୍ଚ କରନ୍ତୁ ।

ବିଛା: ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବା ବିଦେଶ ଯିବା ପ୍ରବେଶିକା ପରୀକ୍ଷାରେ ସଫଳତା ପାଇ ପାରନ୍ତି । ପ୍ରେମ ସମ୍ବନ୍ଧରେ ଉନ୍ନତି ହେଇ ବିବାହ ପ୍ରସ୍ତାବ ଯାଏଁ କଥା ବଢିପାରେ । ଚାକିରି କରୁଥିବା ପୁରୁଷ, ମହିଳା ମାନଙ୍କ ଦରମା ବୃଦ୍ଧି ହେଇପାରେ ।

ଧନୁ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ପାରିବାରିକ ସ୍ଥିତି ଭଲ ନ ରହିପାରେ । ତେବେ ଏହା ଆପଣକ କର୍ମ କ୍ଷେତ୍ରରେ ସ୍ଥିତିକୁ ବିଗାଡି ପାରିବ ନାହିଁ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେଇପାରନ୍ତି । ଛାତ୍ରଛାତ୍ରୀମାନେ କୁସଙ୍ଗ ଠାରୁ ଦୂରେଇ ରୁହନ୍ତୁ । ମନେ ରଖନ୍ତୁ : ଦଶ ଜଣ କୁସଙ୍ଗ ରହିବା ଅପେକ୍ଷା ଏକା ରହିବା ସବୁଠୁ ଭଲ ।

ମକର: ଚଳିତ ଗୋଚରରେ ଆପଣ କର୍ମକ୍ଷେତ୍ରରେ ଅନେକ ସଫକତା ପାଇପାରନ୍ତି ଓ ନୂତନ ଚାକିରି ଖୋଜୁଥିଲେ ସେଥିରେ ସଫଳ ହେଇପାରନ୍ତି । ବ୍ୟବସାୟୀ ମାନେ ସେମାନଙ୍କ ପୂର୍ବରୁ ସ୍ଥିର କରିଥିବା ଯୋଜନା ଉପରେ ଅଗ୍ରସର ହେବା ପାଇଁ ଉଚିତ ସମୟ । ସ୍ୱାସ୍ଥ୍ୟ ଭଲ ରହିବ ।

କୁମ୍ଭ: ନିଜ ନରମ ସ୍ଵଭାବ ପାଇଁ ସମାଜରେ ଆପଣଙ୍କ ମାନପ୍ରତିଷ୍ଠା ବଢିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ ଓ ପଦୋନ୍ନତି ବା ଦରମା ବୃଦ୍ଧି ହୋଇପାରେ। ପୁରୁଣା ଜମି ବିକ୍ରି କରିବାକୁ ଚାହୁଁଥିଲେ ଉପଯୁକ୍ତ ସମୟ । ତେବେ ପରିବାରରେ ନିଜ ଆତ୍ମୀୟଙ୍କ ସହିତ ବିବାଦ ଏହି ଗୋଚର ସମୟରେ ଦେଖା ଦେଇପାରେ ।

ମୀନ: ଆପଣଙ୍କ ରାଶିରେ ଶୁକ୍ର ପ୍ରବେଶ କରୁଥିବାରୁ ଏହା ଏକ ଭଲ ସମୟ । ପରିବାର ଓ କର୍ମକ୍ଷେତ୍ରରେ ଶାନ୍ତ ବାତାବରଣ ଲାଗି ରହିବ । ପରିବାର ସଦସ୍ୟଙ୍କ ସହିତ ମିଶି କୌଣସି ସ୍ଥାନକୁ ବୁଲି ଯାଇପାରନ୍ତି । ତେବେ ଏହି ସମୟରେ ଏପରି ବ୍ୟବହାର କରନ୍ତୁ ନାହିଁ, ଯାହା ଫଳରେ କେହି ନିଜର ଦୂରେଇ ଯାଇପାରେ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ନିଶାଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

(ବି ଦ୍ର : ଗ୍ରହ ଚଳନର ଫଳାଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଲଗ୍ନ ରାଶି ତଥା ଦଶା ଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ)

#astrology #venusentersinsagitarius

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon