• padmabati kund

ଆଇପିଏଲ 2019 : ଏହି 5 ବୋଲରଙ୍କ ଆଗରେ ଆଣ୍ଠଉଛନ୍ତି ବ୍ୟାଟ୍ସମ୍ୟାନ


(ବେତାର ବ୍ୟୁରୋ) ଟି20 କ୍ରିକେଟର କଥା ଆଲୋଚନା କଲେ କ୍ରିକେଟପ୍ରେମୀଙ୍କ ମନରେ ପ୍ରଥମେ ଗୋଟିଏ କଥା ଆସିଥାଏ ଯେ, ମ୍ୟାଚରେ ଛକା ଓ ଚଉକାର ବର୍ଷା ହେବ ଏବଂ ବ୍ୟାଟ୍ସମ୍ୟାନମାନେ ବୋଲରଙ୍କ ଆଗରେ ଖୁବ ରନ କରିବେ। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ମଧ୍ୟ ଏହାଠାରୁ କମ ନୁହେଁ। ଆଇପିଏଲର ଚଳିତ ସିଜିନରେ ପ୍ରତି ଇନିଙ୍ଗ୍ସରେ ହାରାହାରି 162ରନ ହେଉଛି। ଏହାସତ୍ତ୍ଵେ ମଧ୍ୟ ଏମିତି କିଛି ବୋଲର ରହିଛନ୍ତି, ଯାହାଙ୍କ ସାମ୍ନାରେ ବ୍ୟାଟ୍ସମ୍ୟାନମାନେ ଅଧିକ ରନ କରିପାରୁନାହାନ୍ତି ।

ଆଶ୍ଚର୍ଯ୍ୟର କଥା ହେଉଛି ଏହି ସମସ୍ତ ବୋଲର ସ୍ପିନର ଅଟନ୍ତି। ମ୍ୟାଚରେ ଯେତେବେଳେ କମ ରନରେଟରେ ବୋଲିଙ୍ଗ କରିବାର ଆବଶ୍ୟକ ଥାଏ ସେତେବେଳେ ଅଧିନାୟକ ସ୍ପିନରଙ୍କୁ ହିଁ ବାଛିଥାଏ। ଚଳିତ ସିଜିନରେ ପ୍ରାୟ ସମସ୍ତ ମ୍ୟାଚରେ ଏହା ଦେଖିବାକୁ ମିଳିଛି। ସବୁଠାରୁ କମ ରନ ଦେଇଥିବା ବୋଲର ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି ଚେନ୍ନାଇ ଦଳର ହରଭଜନ ସିଂ। ଚଳିତ ସିଜିନରେ ସେ 4ଟି ମ୍ୟାଚ ଖେଳିଛନ୍ତି ଓ 5.12 ଇକୋନୋମି ରେଟରେ 82 ରନ ଦେଇ 7ଟି ୱିକେଟ ନେଇଛନ୍ତି ।

ଏହାପରେ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ମହମ୍ମଦ ନବି। ସେ 5.49 ଇକୋନୋମି ରେଟରେ 87ରନ ଦେଇ 7ଟି ୱିକେଟ ନେଇଛନ୍ତି। ହାଇଦ୍ରାବାଦର ବୋଲର ରଶିଦ ଖାନ 5.59 ଇକୋନୋମି ରେଟ ସହିତ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ଓ ଆଠଟି ମ୍ୟାଚରେ ଆଠଟି ୱିକେଟ ନେଇଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସର ଅନ୍ୟତମ ସ୍ପିନ ବୋଲର ଇମ୍ରାନ ତାହିର ଏହି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ମୋଟ 9ଟି ମ୍ୟାଚ ଖେଳି ସେ 15ଟି ୱିକେଟ ନେଇଛନ୍ତି। ତାଙ୍କର ଇକୋନୋମି ରେଟ 5.67 ରହିଛି। ରବୀନ୍ଦ୍ର ଜାଡେଜା ମଧ୍ୟ ଚଳିତ ସିଜିନରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ସେ 9ଟି ମ୍ୟାଚରେ 6.34 ଇକୋନୋମି ରେଟରେ ରନ ଦେଇ 7ଟି ୱିକେଟ ନେଇଛନ୍ତି ଓ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଶ୍ରେଷ୍ଠ ଦଶ ବୋଲର ମଧ୍ୟରେ ଜଣେ ଫାଷ୍ଟ ବୋଲର

କମ ଇକୋନୋମି ରେଟରେ ବୋଲିଙ୍ଗ କରୁଥିବା ଶ୍ରେଷ୍ଠ ଦଶ ବୋଲରଙ୍କ ତାଲିକାରେ ମଧ୍ୟ ସ୍ପିନରଙ୍କ ସଂଖ୍ୟା ଅଧିକ ରହିଛି। ଶ୍ରେଷ୍ଠ ଦଶ ବୋଲରଙ୍କ ମଧ୍ୟରେ କେବଳ ଜଣେ ଫାଷ୍ଟ ବୋଲର ରହିଛନ୍ତି। ସେ ହେଉଛନ୍ତି ହାଇଦ୍ରାବାଦ ଦଳର ଖଲୀଲ ଅହମ୍ମଦ। ସେ ଦୁଇଟି ମ୍ୟାଚ ଖେଳି 6.50 ଇକୋନୋମି ରେଟରେ ରନ ଦେଇଛନ୍ତି।

ସର୍ବାଧିକ ୱିକେଟ ରବାଡାଙ୍କ ନାମରେ

ବର୍ତ୍ତମାନ ପର୍ଯ୍ୟନ୍ତ ସିଜିନରେ 33ଟି ମ୍ୟାଚ ଖେଳାଯାଇଛି ଓ ବ୍ୟାଟ୍ସମ୍ୟାନ ମାନେ ମୋଟ 10,719 ରନ ହୋଇଛି। ସେହିପରି ବୋଲରମାନେ ମଧ୍ୟ ମୋଟ 374ଟି ୱିକେଟ ନେଇଛନ୍ତି। ୱିକେଟ ନେବାରେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲର କଗିସୋ ରବାଡା ପ୍ରଥମ ସ୍ଥାନରେ ରହିଛନ୍ତି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆଠଟି ମ୍ୟାଚରେ 17ଟି ୱିକେଟ ନେଇଛନ୍ତି। କିନ୍ତୁ ରବାଡାଙ୍କ ଇକୋନୋମି ରେଟ ସାମାନ୍ୟ ଅଧିକ ରହିଛି।

ତାଲିକାରେ ଦ୍ଵିତୀୟ ସ୍ଥାନରେ ଇମ୍ରାନ ତାହିର (15ୱିକେଟ), ତୃତୀୟରେ ୟୁଜବେନ୍ଦ୍ର ଚହଲ(13ୱିକେଟ), ଚତୁର୍ଥରେ ମହମ୍ମଦ ଶାମି(12ୱିକେଟ) ଓ ପଞ୍ଚମରେ ଦୀପକ ଚହର (11ୱିକେଟ) ରହିଛନ୍ତି।

#Cricket #ipl2019 #bestbowler

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon