• padmabati kund

ଆଇପିଏଲରେ 150 ୱିକେଟ ନେବାରେ ପ୍ରଥମ ଭାରତୀୟ ବୋଲର ହେଲେ ଏହି ଖେଳାଳୀ


(ବେତାର ବ୍ୟୁରୋ) ଇଣ୍ଡିଆନ ପ୍ରିମିୟର ଲିଗରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଲେଗ୍ ସ୍ପିନର ଅମିତ ମିଶ୍ରା ଏକ ବଡ ରେକର୍ଡ ହାସଲ କରିଛନ୍ତି। ଆଇପିଏଲର ଦ୍ଵାଦଶ ସଂସ୍କରଣରେ 34ନମ୍ବର ମ୍ୟାଚରେ ମୁମ୍ବାଇ ବିରୁଦ୍ଧରେ ବୋଲିଂ କରି ନିଜ ଆଇପିଏଲ କ୍ୟାରିୟରର 150ତମ ୱିକେଟ ହାସଲ କରିଛନ୍ତି। ଏହି ଉପଲବ୍ଧି ହାସଲ କରିବାରେ ସେ ପ୍ରଥମ ଭାରତୀୟ ଖେଳାଳୀ ଅଟନ୍ତି।

ନିଜ ଆଇପିଏଲ କ୍ୟାରିୟରର 140ତମ ମ୍ୟାଚ ଖେଳିଥିବା ଏହି 36 ବର୍ଷୀୟ ଖେଳାଳୀ ଅମିତ ମିଶ୍ରା ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ବିରୁଦ୍ଧରେ ବୋଲିଂ କରିବା ସମୟରେ ପ୍ରଥମ ବଲରେ ହିଁ ରୋହିତ ଶର୍ମାଙ୍କୁ ବୋଲ୍ଡ କରିଥିଲେ। ଏହା ତାଙ୍କର ଚଳିତ ସିଜିନରେ ଚାରିଟି ମ୍ୟାଚରେ ଚତୁର୍ଥ ୱିକେଟ ଅଟେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ 140ଟି ଆଇପିଏଲ ମ୍ୟାଚ ଖେଳି 150ଟି ୱିକେଟ ନେବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି।

ମାଲିଙ୍ଗା ପ୍ରଥମ

ଆଇପିଏଲରେ ଅମିତ ମିଶ୍ରାଙ୍କ ପୂର୍ବରୁ କେବଳ ଗୋଟିଏ ଖେଳାଳୀ 150ଟି ୱିକେଟ ନେଇଛନ୍ତି। ଏହି ରେକର୍ଡ ଶ୍ରୀଲଙ୍କାର ଫାଷ୍ଟ ବୋଲର ଲାସିଥ ମାଲିଙ୍ଗାଙ୍କ ନାମରେ ରହିଛି। ସେ ଆଇପିଏଲରେ 100ଟି ମ୍ୟାଚ ଖେଳି 150 ୱିକେଟ ନେବାରେ ପ୍ରଥମ ଖେଳାଳୀ ହୋଇପାରିଥିଲେ। ତାଙ୍କ ନାମରେ ଏହି ଲିଗରେ ସର୍ବାଧିକ 161ଟି ୱିକେଟ ନେବାର ରେକର୍ଡ ରହିଛି। ଆଇପିଏଲରେ ଏହି ଦୁଇ ଖେଳାଳୀଙ୍କ ବ୍ୟତୀତ ଅନ୍ୟ କୌଣସି ବୋଲର 150ଟି ୱିକେଟ ନେଇପାରିନାହାନ୍ତି।

ଆଇପିଏଲରେ ସର୍ବାଧିକ ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଲାସିଥ ମାଲିଙ୍ଗା ଓ ଦ୍ଵିତୀୟରେ ଅମିତ ମିଶ୍ରା ରହିଥିବା ବେଳେ ତୃତୀୟରେ ପିୟୁଷ ଚାୱଲା(146 ୱିକେଟ), ଚତୁର୍ଥରେ ଡ୍ୱେନ ବ୍ରାଭୋ (143ୱିକେଟ) ଓ ପଞ୍ଚମରେ ହରଭଜନ ସିଂ(141ୱିକେଟ) ରହିଛନ୍ତି।

ସର୍ବାଧିକ ହ୍ୟାଟ୍ରିକ ରେକର୍ଡ

ଅମିତ ମିଶ୍ରା ଆଇପିଏଲରେ ସବୁଠାରୁ ସଫଳ ଭାରତୀୟ ବୋଲରଙ୍କ ମଧ୍ୟରୁ ଜଣେ ଅଟନ୍ତି। ତାଙ୍କ ନାମରେ ଆଇପିଏଲରେ ସର୍ବାଧିକ ହ୍ୟାଟ୍ରିକ ୱିକେଟ ନେବାର ରେକର୍ଡ ମଧ୍ୟ ରହିଛି। ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ 3ଥର ହ୍ୟାଟ୍ରିକ ୱିକେଟ ନେଇଛନ୍ତି। ଏହାସହିତ ସେ ଗୋଟିଏ ମ୍ୟାଚରେ 5ଟି ୱିକେଟ ମଧ୍ୟ ନେଇଛନ୍ତି।

2008ରେ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିବା ଏହି ଖେଳାଳୀ ପ୍ରଥମେ ଦିଲ୍ଲୀ ତରଫରୁ ଖେଳି ଡେକାନ ଚାର୍ଜର ବିରୁଦ୍ଧରେ ପ୍ରଥମ ହ୍ୟାଟ୍ରିକ ନେଇଥିଲେ।ଏହାପରେ 2011 ମସିହାରେ ସେ ଡେକାନ ଚାର୍ଜର ତରଫରୁ ଖେଳି ଦ୍ଵିତୀୟ ହ୍ୟାଟ୍ରିକ ନେଇଥିଲେ ଓ 2013ରେ ସନରାଇଜର୍ସ ହାଇଦ୍ରାବାଦ ତରଫରୁ ଖେଳି ପୁଣେ ଦଳ ବିରୁଦ୍ଧରେ ତୃତୀୟ ହ୍ୟାଟ୍ରିକ ନେଇଥିଲେ।

ଆଇପିଏଲରେ ସର୍ବାଧିକ ହ୍ୟାଟ୍ରିକ ନେଇଥିବା ବୋଲର ତାଲିକାରେ ଦ୍ଵିତୀୟ ସ୍ଥାନରେ ୟୁବରାଜ ସିଂ (2ଥର), ତୃତୀୟରେ ସାମ କରନ (1ଥର) ରହିଛନ୍ତି।

#cricket #ipl2019 #amitmishra

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon