• ବେତାର ବ୍ୟୁରୋ

ଭୁଲରେ ବିଜେପିକୁ ଭୋଟ ଦେଇ ଅଙ୍ଗୁଳି କାଟିଲେ ମାୟାବତୀ ସମର୍ଥକ


(ବେତାର ବ୍ୟୁରୋ) ଗୁରୁବାର ଦିନ ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ସେ ଦିନ ଭୋଟ୍‌ ଦାନ ବେଳେ ଉତ୍ତରପ୍ରଦେଶର ବୁଲନ୍ଦସର ଅଞ୍ଚଳର ଅବଦୁଲ୍ଲାପୁର-ହୁଳାସପୁର ଗ୍ରାମର ଏକ ବୁଥ୍‌ରେ ଜଣେ ଦଳିତ ଭୋଟଦାତା ଭୋଟ୍ ମେସିନରେ ମାୟାବତୀଙ୍କ ପାର୍ଟି ବହୁଜନ ସମାଜ ପାର୍ଟିର (ବିଏସ୍‌ପି) ସଙ୍କେତ ଥିବା ବଟନ୍‌ ନ ଟିପି ଭୁଲ୍‌କ୍ରମେ ଭାରତୀୟ ଜନତା ପାର୍ଟି (ବିଜେପି) ସଙ୍କେତ ଥିବା ବଟନ୍‌ ଟିପି ଦେବା ପରେ ନିଜର ଆଙ୍ଗୁଠି କାଟି ପକାଇଛନ୍ତି।

ଆଙ୍ଗୁଠି କାଟି ପକାଇଥିବା ବିଏସ୍‌ପି ସମର୍ଥକ ଜଣକ ହେଉଛନ୍ତି ୨୫ ବର୍ଷିୟ ପବନ କୁମାର। ନିର୍ବାଚନ ମଣ୍ଡଳୀର ଶିକରପୁର ଅନ୍ତର୍ଗତ ଅବ୍‌ଦୁଲ୍‌ପୁର ହୁଲାସନ୍‌ ଗାଁ’ର ବାସିନ୍ଦା ପବନ ବର୍ମାଙ୍କୁ ଭୋଟ୍‌ ଦେବାକୁ ଯାଇଥିଲେ, କିନ୍ତୁ ଦୈବାତ୍‌ ବିଜେପିକୁ ଭୋଟ୍‌ ଦେଇ ପକାଇଲେ।

ଆପଣା ଭୁଲ୍‌ର ହତାଶ ହୋଇ ପବନ ଘରକୁ ଫେରି ଗୋଟାଏ କଟୁରିରେ ନିଜ ଆଙ୍ଗୁଠି କାଟି ପକାଇଲେ।

ନିୟମ ଅନୁସାରେ କୌଣସି ମତଦାତାଙ୍କ ଭୋଟ୍ ଥରେ ମେସିନରେ ରହିଗଲା ପରେ ଏହାକୁ ଆଉ ବଦଳାଇହେବାର କୌଣସି ବ୍ୟବସ୍ଥା ନାହିଁ । ଏକଥା 25-ବର୍ଷୀୟ ପବନ କୁମାର ଜାଣିବା ପରେ ଅନୁତାପ ବଶତଃ ଏପରି କରିଥିଲେ ବୋଲି କହିଛନ୍ତି ।

ଏ ସଂକ୍ରାନ୍ତରେ ପରେ ପବନ ଏକ ଭିଡ଼ିଓ ରିଲିଜ୍‌ କରିଥିଲେ, ଯାହା ଏବେ ଟୁଇଟର୍‌ରେ ଅଛି। ସେଥିରେ ସେ କହିଛନ୍ତି ଆପଣା ଭୁଲ୍‌ ପାଇଁ ଅନୁତାପ କରିବାକୁ ସେ ତାଙ୍କ ଆଙ୍ଗୁଠି ଛେଦନ କରିଛନ୍ତି।

ସେ ଏକଥା ମଧ୍ୟ ସ୍ଵୀକାର କରିଛନ୍ତି ଯେ ଅଙ୍ଗୁଳି କାଟିବା ପାଇଁ ତାଙ୍କୁ କେହି ବାଧ୍ୟ କରି ନ ଥିଲେ ।

ବୁଲନ୍ଦସରରେ ସମ୍ପ୍ରତି ସାଂସଦ ଥିବା ବିଜେପି ପ୍ରାର୍ଥୀ ଭୋଳା ସିଂହ ଏବଂ ଏସ୍‌ପି-ବିଏସ୍‌ପି-ଆର୍‌ଏଲ୍‌ଡି ମେଣ୍ଟର ପ୍ରାର୍ଥୀ ଯୋଗେଶ ବର୍ମାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ସମଗ୍ର ଦେଶରେ 64% ମତଦାନ ହେଇଥିବା ବେଳେ ଉତ୍ତରପ୍ରଦେଶରେ ମାତ୍ର 62% ପ୍ରତିଶତ ଭୋଟଦାନ ହେଇଥିଲା ।

#Elections2019 #PMnarendramodi

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon