- ବେତାର ବ୍ୟୁରୋ
ଆପତ୍ତିଜନକ ମନ୍ତବ୍ୟ ପାଇଁ ପାଣ୍ଡ୍ୟା, ରାହୁଲ ଗଣିବେ ଟ.20 ଲକ୍ଷ ଜରିମାନା

(ବେତାର ବ୍ୟୁରୋ) ଚଳିତ ବର୍ଷ ଜାନୁଆରୀ ମାସରେ ଏକ ଟିଭିରେ ଶୋ’ ରେ ମହିଳାମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇ ଦଳରୁ କିଛି ଦିନ ପାଇଁ ସସପେଣ୍ଡ ହେଇ ପୁଣି ପ୍ରତ୍ୟାବର୍ତ୍ତନ କରିଥିବା ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ ରାହୁଲଙ୍କ ଉପରେ ବିସିସିଆଇ ଶନିବାର ଦଣ୍ଡବିଧାନ କରିଛି । ଏହି ନିଷ୍ପତ୍ତି ସ୍ୱରୂପ ଉଭୟଙ୍କୁ 20 ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ ।
ତେବେ ଏହି ଜୋରିମାନ ବିସିସିଆଇକୁ ପଇଠ ହେବ ନାହିଁ । ବରଂ ଏହି ଅର୍ଥକୁ ମୃତ ସୈନିକଙ୍କ ପରିବାର ଓ ଦୃଷ୍ଟିହୀନ କ୍ରିକେଟ ସଂଘ ପାଇବେ ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଟ୍ଵିଟର ଆକାଉଣ୍ଟ ମୁତାବକ ଉଭୟ ପାଣ୍ଡ୍ୟା ଓ ରାହୁଲ ପୁଲବାମା ଆକ୍ରମଣରେ ସହିଦ ହେଇଥିବା 10ଟି ମୃତ ସୈନିକଙ୍କ ପରିବାରକୁ 1 ଲକ୍ଷ ଟଙ୍କା ଲେଖାଏଁ ଦେବେ । ସେହିପରି ଉଭୟ ଖେଳାଳୀ ଦୃଷ୍ଟିହୀନ କ୍ରିକେଟ ସଂଘକୁ 10 ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବେ ।
ଯଦି ଚାରି ସପ୍ତାହ ମଧ୍ୟରେ ସେମାନେ ଏହି ଅର୍ଥ ପ୍ରଦାନ ନ କରନ୍ତି , ତେବେ ଏହି ଜରିମାନାକୁ ସେମାନଙ୍କ ମ୍ୟାଚ ଫି’ ରୁ କାଟିନିଆଯିବ ବୋଲି ବିସିସିଆଇ ତରଫରୁ କୁହାଯାଇଛି ।
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟ୍ସମ୍ୟାନ କେ.ଏଲ ରାହୁଲଙ୍କୁ କରନ ଜୋହରଙ୍କ ଟିଭି ଶୋ’ ‘କଫି ୱିଥ କରନ’ରେ ମହିଳାଙ୍କ ଅଭଦ୍ର ମନ୍ତବ୍ୟ ଦେଇଥିବା ଅଭିଯୋଗରେ
ମାମଲାର ଯାଞ୍ଚ ସାରିବା ଯାଏଁ ବ୍ୟାନ କରଯାଇଥିଲା। ଏପରିକି ଏହି ଦୁଇ ଖେଳାଳୀଙ୍କୁ ଅଷ୍ଟ୍ରେଲିଆ ସିରିଜ ଅଧାରୁ ଭାରତକୁ ଡକା ଯାଇଥିଲା। ତେବେ ଘଟଣାର ପ୍ରାୟ ଦୁଇ ସପ୍ତାହ ପରେ ସୁପ୍ରିମ କୋର୍ଟ ଦ୍ଵାରା ନିଯୁକ୍ତ ହୋଇଥିବା ପ୍ରଶାସକ ସମିତି ନିଲମ୍ବନ ଆଦେଶକୁ ହଟାଇ ଦେଇଥିଲେ ।
ଉଭୟ କ୍ରିକେଟରଙ୍କୁ ଆଗାମୀ ବିଶ୍ଵକପରେ ଭାରତ ତରଫରୁ ଖେଳିବା ପାଇଁ ବିସିସିଆଇ ଚୟନ କରିଛି ।

କଣ ଥିଲା ବିବାଦ
କରନ ଜୋହରଙ୍କ ଆଳାପ ଶୋ' 'କଫି ୱିଥ କରନ'ରେ କେ.ଏଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା। ଏହି ଶୋ'ରେ ହାର୍ଦ୍ଦିକ ପାଣ୍ଡ୍ୟା ମହିଳାଙ୍କୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଝିଅମାନଙ୍କ ସହ କଥା ହେବା ଅପେକ୍ଷା ସେ ଝିଅମାନଙ୍କୁ ଦେଖିବାକୁ ଭଲପାଆନ୍ତି।
ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ସେ କ୍ଲବ ଯାଆନ୍ତି ଝିଅ ମାନଙ୍କୁ ତାଙ୍କ ନାମ ବି ପଚାରି ନଥାନ୍ତି। ଯେଉଁ ମେସେଜ ଗୋଟିଏ ଝିଅକୁ ପଠାଇଥାନ୍ତି ସେହି ମେସେଜକୁ ଅନ୍ୟ ଏକ ଝିଅକୁ ମଧ୍ୟ ପଠାଇଥାନ୍ତି ବୋଲି କହିଥିଲେ। ତେବେ କେ.ଏଲ ରାହୁଲ ବାରମ୍ବାର ଏହି କଥାକୁ ବଦଳେଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟା କହିବା ବନ୍ଦ କରିନଥିଲେ।
ପାଣ୍ଡ୍ୟାଙ୍କ କମେଣ୍ଟକୁ ଦର୍ଶକଙ୍କ ସହିତ ତାଙ୍କ ପ୍ରଶଂସକମାନେ ମଧ୍ୟ ପସନ୍ଦ କରିନଥିଲେ। ଏଥିପାଇଁ ତାଙ୍କୁ ଟ୍ଵିଟରରେ ନାରୀ ବିରୋଧୀ ବୋଲି କୁହାଯାଇଥିଲା। କିଛି ଟ୍ଵିଟର ବ୍ୟବହାରକାରୀମାନେ ହାର୍ଦ୍ଦିକଙ୍କୁ କ୍ରିକେଟର ରାକ୍ଷୀ ସାୱନ୍ତ ବୋଲି ମଧ୍ୟ କହିଥିଲେ। ଫ୍ୟାନମାନଙ୍କ ଦ୍ଵାରା ସମାଲୋଚିତ ହେବା ପରେ ନିଜ ବ୍ୟବହାର ପାଇଁ ସେ ସୋସିଆଲ ମିଡିଆ ଜରିଆରେ କ୍ଷମା ପ୍ରାର୍ଥନା କରିଥିଲେ।